ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ ! ବାଣୀବିହାରରେ ସାଇନ୍-ଏ-ଡାଏ ଘୋଷଣା,ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

22

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା କରାଯିବା ସହ ନିର୍ବାଚନ ବାତିଲ ହୋଇଛି । କ୍ୟାମ୍ପସରେ ଆଶନ୍ତି ଯୋଗୁଁ ସାଇନ-ଏ-ଡାଏ ଘୋଷଣା କଲେ କର୍ତ୍ତୃପକ୍ଷ । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ମୁତାବକ, ଗତକାଲି ବିଶ୍ୱବିଦ୍ୟାଳୟରେ ବୋମାମାଡ଼ ନେଇ ଉତ୍ତେଜନା ଦେଖାଦେଇଥିଲା । ଗତକାଲି ଗୋଦାବରିଶ ହଷ୍ଟେଲ ନିକଟରେ ବୋମାମାଡ଼ ହୋଇଥିଲା । ଅପରାହ୍ନ ପ୍ରାୟ ସାଢେ ୪ଟାରେ ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ୫ ନମ୍ବର ମହିଳା ହଷ୍ଟେଲ ଉପରକୁ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ । ସେପଟେ ଏହାକୁ କେନ୍ଦ୍ରକରି କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଥିଲା ।

ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ୧ ନମ୍ବର ଗେଟ ନିକଟରେ କିଛି ପ୍ରତିବାଦକାରୀ ଛାତ୍ର ଗୋଷ୍ଠୀ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ବାଣୀବିହାରରେ କ୍ୟାମ୍ପସରେ ପଶି କିଛି ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସର ନିସ୍କ୍ରିୟତାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲା ଛାତ୍ର କଂଗ୍ରେସ ଓ ଏବିଭିପି ସମର୍ଥୀତ ଛାତ୍ର ଗୋଷ୍ଠୀ । ଏହାକୁ ନେଇ ଉତ୍ତେଜନା ଭିତରେ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା । । ଏପରିକି ଉତ୍ତକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାକୁ ବାଣୀବିହାରରେ ପୋଲିସ କମିଶନର ଓ ଡିସିପି ମଧ୍ୟ ଯାଇଥିଲେ ।

ତେବେ ରାଜ୍ୟର ଦୁଇଟି ପ୍ରମୁଖ ଶିକ୍ଷାନୁଷ୍ଠାନରେ  ନିର୍ବାଚନ ବାତିଲ ନିଶ୍ଚିତ ରୂପେ ଚିନ୍ତାଜନକ ବିଷୟ । ପ୍ରଥମେ ବିଜେବି କଲେଜରେ ନିର୍ବାଚନ ବନ୍ଦ ହେବା ସହ କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା ।  ଏବେ ବାଣୀବିହାର ବି ସାଇନ-ଏ-ଡାଏ ଘୋଷଣା କରାଯାଇଛି ।  ପ୍ରାକ-ନିର୍ବାଚନ ଯୋଗୁଁ ପୂର୍ବରୁ ୭ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି ।  ବଡ ପ୍ରଶ୍ନ ହେଉଛି,  ବଡ ବଡ ଶିକ୍ଷାନୁଷ୍ଠାନରେ ରାଜନୈତିକ ହସ୍ତକ୍ଷେପ ହେଉଛି କାହିଁକି  ।  ଛାତ୍ରଙ୍କୁ ଢାଲ କରି  ବିଭିନ୍ନ ଦଳର ରାଜନୈତିକ ନେତା  ନିଜ ଉଦ୍ଦେଶ୍ୟ ପୂରଣ କରୁଛନ୍ତି କି । କ୍ୟାମ୍ପସରେ ବିଶୃଙ୍ଖଳା ରୋକିବାରେ କଲେଜ ଓ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ବିଫଳ ହେଉଛନ୍ତି କି ?