ବାଣୀବିହାରରେ ରମାଦେବୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ନିଷ୍ପତ୍ତିକୁ ବିରୋଧ : ଭିସି ଅଫିସରେ ଭଙ୍ଗାରୁଜା କଲେ ଛାତ୍ରଗୋଷ୍ଠୀ

34

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣକୁ ବିରୋଧ କରି ତେଜୁଛି ଛାତ୍ର ଅସନ୍ତୋଷ । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ବିରୋଧ କରି ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ଜଳୁଛି ପ୍ରତିବାଦର ନିଆଁ । ୟୁନିଭର୍ସିଟି ରାସ୍ତାକୁ ଅବରୋଧ କରିବା ସହ ଗୋଟିଏ ଇଂଚ ଜମି ଦିଆଯିବ ନାହିଁ ବୋଲି ଦାବି କରିଛି-ବିଜୁ ଛାତ୍ର ଜନତା ଦଳ । ଦୀର୍ଘ ସମୟ ଧରି ବିକ୍ଷୋଭ କରିଥିବା ଏହି ଛାତ୍ରଛାତ୍ରୀମାନେ କୂଳପତିଙ୍କ କାର୍ଯ୍ୟାଳୟ ଭିତରେ ହୋହାଲ୍ଲା କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ରମାଦେବୀ ୟୁନିଭର୍ସିଟିର ଦ୍ୱିତୀୟ କ୍ୟାମ୍ପସ ପାଇଁ ବାଣୀବିହାର କ୍ୟାମ୍ପସ ଭିତରେ ୩୦ ଏକର ସ୍ଥାନ ଚିହ୍ନଟ ପାଇଁ ଏକ କମିଟି ଗଠନ ହୋଇଛି । ଯେଉଁ କମିଟି ଆସନ୍ତା ୧୫ ତାରିଖ ସୁଦ୍ଧା ଜାଗା ଚିହ୍ନଟ କରି ସରକାରଙ୍କୁ ଚୁଡାନ୍ତ ରିପୋର୍ଟ ଦେବ । ଏହି କମିଟିରେ ବାଣୀବିହାର ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଏବଂ ପିଜି ଡିପାର୍ଟମେଂଟର ସଦସ୍ୟମାନେ ଥିବା ଉଚ୍ଚଶିକ୍ଷା ବିଭାଗର ଏହି ଚିଠିରୁ ସ୍ପଷ୍ଟ ହେଉଛି । ଆଉ ଏହାକୁ ବିରୋଧ କରି ବାଣୀବିହାରରେ ଜଳୁଛି ନିଆଁ ।

ବାଣୀବିହାରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ନେଇ ସରକାର ଯୋଜନା କରିବା ଏବଂ ଏହାକୁ ଛାତ୍ରମାନେ ବିରୋଧ କରିବା ଭିତରେ ସାମ୍ନାକୁ ଆସୁଛି ଅନେକ ପ୍ରଶ୍ନ-
– ବାଣୀବିହାରରର ଦ୍ୱିତୀୟ କ୍ୟାମ୍ପସ ଚଣ୍ଡିଖୋଲରେ ହେଉଥିବା ବେଳେ ବାଣୀବିହାରରେ କେମିତି ରମାଦେବୀର ଦ୍ୱିତୀୟ କ୍ୟାମ୍ପସ କଥା ଚିନ୍ତା କରାଯାଉଛି ?
-ମାତ୍ର ୩୦ ଏକର ଜମିରେ ରମାଦେବୀର କେଉଁ ଭଳି ଏକ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ହେବ?
-ରାଜ୍ୟର ଏକ ମାତ୍ର ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ କାହିଁକି ବାଣୀବିହାରକୁ ଏକ ମାତ୍ର ବିକଳ୍ପ ଭାବରେ ଚିନ୍ତା କରୁଛନ୍ତି ସରକାର ?