କନକ ବ୍ୟୁରୋ: ଟ୍ରମ୍ପଙ୍କ ବୋହୂଙ୍କୁ ଲଫାଫା ଡର । ଡୋନାଲ୍ଡ ଟ୍ରମ୍ପଙ୍କ ବୋହୂଙ୍କୁ ମିଳିଲା ସନ୍ଧିଗ୍ଧ ପାଉଡର ଲଗା ଲଫାଫା । ଆମେରିକା ରାଷ୍ଟ୍ରପତିଙ୍କ ବୋହୂ ତଥା ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ପତ୍ନୀ ଭେନେସା ଟ୍ରମ୍ପଙ୍କୁ ମିଳିଛି ଏକ ପାଉଡର ଲଗା ଲଫାଫା । ଏଥିପାଇଁ ତାଙ୍କୁ ହସ୍ପିଟାଲ ଯିବାକୁ ପଡିଛି ।

ସୂଚନା ମୁତାବକ, ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ମାନହଟନ ସ୍ଥିତ ଠିକଣାରେ ଏକ ଲଫାଫା ମିଳିଥିଲା । ଯାହାକୁ ତାଙ୍କ ଶାଶୂ ରିସିଭ୍ କରିଥିଲେ । ପରେ ଟ୍ରମ୍ପଙ୍କ ବୋହୂ ଭେନେସା ଲଫାଫା ଖୋଲିବା ପରେ ଏଥିରେ କିଛି ଧଳା ପାଉଡର ଲାଗିଥିବା ଦେଖିବାକୁ ମିଳିଥିଲା । ଏକଥା ଜାଣିବା ପରେ ସୁରକ୍ଷାରେ ମୁତୟନ ସିକ୍ରେଟ୍ ସର୍ଭିସ ତୁରନ୍ତ ଭେନେସା ଟ୍ରମ୍ପ ଓ ତାଙ୍କ ସହ ଉପସ୍ଥିତ ୨ ଜଣଙ୍କୁ ହସ୍ପିଟାଲରେ ପହଂଚାଇଥିଲେ । ତେବେ ପରୀକ୍ଷା ପରେ ଏହି ଧଳା ପାଉଡର ବିପଜ୍ଜନକ ନଥିବା ଜଣାପଡିଥିଲା । ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବୋହୂ ଭେନେସାଙ୍କ ସହ କଥା ହୋଇଛନ୍ତି ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ଜଣାପଡିଛି । ତେବେ ଏହି ଲଫାଫା କାହିଁକି ଓ କେଉଁଠୁ ଆସିଛି ସେ ସମ୍ପର୍କରେ ତଦନ୍ତ ଜାରି ରଖିଛି ସିକ୍ରେଟ୍ ସର୍ଭିସ ।

ସେପଟେ, ପାକିସ୍ତାନକୁ ସହାୟତା ପାଇଁ ସର୍ତ ରଖିଲା ଆମେରିକା । ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି କଡା ଆଭିମୁଖ୍ୟ ନଆପଣାଇଛି ସେପର୍ଯ୍ୟନ୍ତ ସହାୟତା ମିଳିବାନାହିଁ ବୋଲି ସଫା ସଫା କହିଛି ଆମେରିକା । ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଜେଟ ଉପସ୍ଥାପନ କରିଛନ୍ତି । ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ୨୦୧୯ ଆର୍ଥିକ ବର୍ଷ ପାଇଁ ୪୦ ଖରବ ଡଲାରର ବାର୍ଷିକ ବଜେଟ ଉପସ୍ଥାପନ କରାଯାଇଛି ।

ଯେଉଁଥିରେ ପାକିସ୍ତାନକୁ ସୈନ୍ୟ ସହାୟତା ନେଇ ଘୋଷଣା କରାଯାଇଛି । ଅସୈନ୍ୟ ସହାୟତା ପାଇଁ ୨୫.୬ କୋଟି ଡଲାର ଓ ସୈନ୍ୟ ସହାୟତା ପାଇଁ ୮କୋଟି ଡଲାରର ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏଥିପାଇଁ ପାକିସ୍ତାନକୁ କିଛି ସର୍ତ ମାନିବାକୁ ପଡିବ ବୋଲି ବାଧ୍ୟତାମୂଳକ ବୋଲି କହିଛି ଆମେରିକା । ଆମରିକା ରାଷ୍ଟ୍ରପତି ଶାସନଭାର ସମ୍ଭଳିବା ପରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।