ବନ୍ଦେ ଭାରତ ଏକ୍ସପ୍ରେସର ରାସ୍ତାରେ ପୁଣି ଥରେ ବାଧା, ୬ଟି କୋଚର ଝରକା କାଚ ଭାଙ୍ଗିଲା

144

ଦେଶରେ ନିର୍ମିତ ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁଣି ଥରେ ଚର୍ଚ୍ଚାରେ । ଟ୍ରେନର ପରିଚାଳନା ପରେ ଏହା ଉପରକୁ ପଥରମାଡ ଓ ଅନେକ ଅସୁବିଧାର ସୂଚନା ସାମନାକୁ ଆସୁଛି । ଶନିବାର ଦିନ ମଧ୍ୟ ଏମିତି କିଛି ଘଟିଛି । ଏକ ଛୋଟ ଦୁର୍ଘଟଣା ପାଇଁ ଯାତ୍ରୀ ଓ ରେଳକର୍ମଚାରୀ ଚିନ୍ତିତ ହୋଇଗଲେ । ଶନିବାର ସନ୍ଧ୍ୟା ୭ଟା ୪୬ ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସର ଡ୍ରାଇଭରର ୱିଣ୍ଡ ସ୍କ୍ରିନ୍ ଓ ୭ଟି କୋଚର ଝରକାର କାଚ ଭାଙ୍ଗିଯାଇଛି । ଏହି ଘଟଣା କାନପୁର ଓ ଟୁଣ୍ଡଲା ମଧ୍ୟରେ ହୋଇଛି । ରେଳବାଇ ପ୍ରଶାସନ ଏହି ଘଟଣା ସମ୍ବନ୍ଧରେ ସୂଚନା ଦେଇଛନ୍ତି । ତାଙ୍କ ମତରେ ଉଡୁଥିବା ପଥର କାରଣରୁ ଏହି ଘଟଣା ଘଟିଛି ।

ବନ୍ଦେ ଭାରତ ଏକ୍ସପ୍ରେସ ଓ ଡିବ୍ରୁଗଢ଼ ରାଜଧାନୀ ଏକ୍ସପ୍ରେସ୍ ପାଖାପାଖି ଅତିକ୍ରମ କରୁଥିଲେ । ସେତେବେଳେ ଏକ ଉଡନ୍ତା ପଥରଖଣ୍ଡ ବନ୍ଦେ ଭାରତ ଏକ୍ସପ୍ରେସ ଆଡକୁ ଆସିଲା । ଟ୍ରେନ୍ ର ବେଗ ଅଧିକ ଥିବାରୁ ଏହା ଟ୍ରେନ୍ କୁ ବାଜିଲା ପରେ ପଥରଖଣ୍ଡ ଅନ୍ୟ କୋଚ ଗୁଡିକୁ କ୍ଷତିଗ୍ରସ୍ତ କରି ଚାଲିଗଲା । ପଥରଖଣ୍ଡ ଡ୍ରାଇଭର ସିଟର ସାମନାରେ ଥିବା କାଚକୁ ବାଜି , ତା’ପରେ କୋଚ୍ ସଂଖ୍ୟା ସି୪, ସି୬, ସି୮, ସି୧୩ ର କାଚରେ ବାଜିଲା । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଭ୍ରାମ୍ୟମାଣ ବୈଷୟିକ ଦଳ କ୍ଷୟକ୍ଷତିକୁ ଭଲକରି ତଦାରଖ କରିବା ପରେ ଟ୍ରେନ୍ ଚଳାଚଳ ପାଇଁ ଠିକ୍ ଥିବା କଥା କହିଥିଲେ। ତା’ପରେ ଟ୍ରେନ୍ ତା’ର ସ୍ୱାଭାବିକ ବେଗରେ ଯାତ୍ରା କରି ରାତି ୧୧: ୦୫ରେ ଗନ୍ତବ୍ୟସ୍ଥଳ ଦିଲ୍ଲୀରେ ପହଞ୍ଚିଥିଲା। ଝରକା କାଚ ଭାଙ୍ଗିବା ଯୋଗୁଁ ଯାତ୍ରୀମାନଙ୍କର କୌଣସି ଅସୁବିଧା ହୋଇ ନାହିଁ।