ଇତି ତୁମର ଭାଲେଣ୍ଟାଇନ୍ ! ଗପ ନୁହେଁ ତଥ୍ୟ

148

ଫେବୃୟାରୀ ୧୪ ତାରିଖ । ପ୍ରତି ଯୁବକ-ଯୁବତୀଙ୍କ ମନରେ ଭରିଦିଏ ନୂତନ ଶିହରଣ ।  ଅତୀତର ମାନଅଭିମାନକୁ ଭୁଲି ମନ ପୁଣି ଗଢେ ନୂଆ ସଂପର୍କର ସେତୁ । ପ୍ରୀତିର ବିସ୍ତୃତ ପାରାବାରେ ହଜିଯାନ୍ତି ଦୁଇ ପ୍ରେମୀ, ଦୁଇ ବନ୍ଧୁ । ପ୍ରେମ ଦିବସ ଭାବେ ଏହି ଦିନ ଏକ ନିଆରା ପରିଚୟ ତିଆରି କରିପାରିଛି । ଏହିଦିନ ଯେତେବେଳେ ପାଖେଇ ଆସେ ମନେପଡିଯାନ୍ତି ଆରଣାର ଅତି ପ୍ରିୟର ମଣିଷ । ପ୍ରୀତିର ନୀଡରୁ ସ୍ମୃତି ସାଜି ଉଡିଆସନ୍ତି ସେହି ଦିନ, ସେହି ଚିଠି, ସେହି ପ୍ରେମ । ଉପହାର ଓ ସମ୍ଭାଷଣର ଭେଣ୍ଟାଫେଣ୍ଟି କଳକଲ୍ଲୋଳିନୀ ବହେ ଏହି ଭାଲେଣ୍ଟାଇନ୍ ଡେ’ ରେ ।

ଏହି ଭାଲେଣ୍ଟାଇନ୍ ଡେ’ର ପର୍ବ ଆରମ୍ଭ ହୁଏ ରୋମାନ ରାଜତ୍ୱ କାଳରୁ । ରୋମରେ ସେତେବେଳେ ଶାସନ କରୁଥାନ୍ତି ଅତି ନିଷ୍ଠୁର ଶାସକ କ୍ଲାଉଡିୟସ୍ ଦ୍ୱିତୀୟ । ଅତି କ୍ରୁର ଓ କଠୋରତା ପୂର୍ଣ୍ଣ ଶାସନ ପାଇଁ ତାଙ୍କର ସେନା ବାହିନୀରେ କୈାଣସି ଯୁବକ ଯୋଗ ଦେବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ତାଙ୍କର ଭ୍ରାନ୍ତ ଧାରଣା ଥିଲା ଯେ ରାଜ୍ୟର ସବୁ ଲୋକେ ସେମାନଙ୍କର ପ୍ରିୟଜନ ଓ ପରିବାରଙ୍କ ସହ ଅୟସ ଆରାମରେ ଜୀବନ ବିତାଉଥିବାରୁ ସେନାବାହିନୀରେ କେହି ଯୋଗ ଦେଉନାହାଁନ୍ତି । ସେଥିପାଇଁ ରାଜ୍ୟର ସବୁ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ନିଷେଧାଦେଶ ଜାରି କରିଥିଲେ ଏବଂ ଆଉ ଏକ ତାଙ୍କର ଧାରଣା ଥିଲା ଯେ ସେନାବାହିନୀର ସିପାହୀମାନେ ସେମାନଙ୍କ ପ୍ରେମିକା ସହ ସଂପର୍କ ରଖିବା ବା ବିବାହ କରିବା ଦ୍ୱାରା ଶକ୍ତି ହୀନ ହୋଇଯିବେ । ସେଥିପାଇଁ ସେମାନଙ୍କୁ ନାନା କଟକଣା ଜାରି କରିଥିଲେ । ଏହାଦ୍ୱାରା ଅନେକ ଅସନ୍ତୋଷ ସୃଷ୍ଟି ହେଲା । ହେଲେ ଏଭଳି ନିଷ୍ଠୁର ଶାସକ ବିରୁଦ୍ଧରେ ମୁହଁ ଖୋଲିବାଲି କେହି ସାହସ କଲେ ନାହିଁ ।

ଏହି ସମୟରେ ଭାଲେଣ୍ଟାଇନ ନାମକ ଜଣେ ପାଦ୍ରୀ ଯୁବକ ନିଜର ସହକର୍ମୀ ମୋରିୟସଙ୍କୁ ସାଥୀ କରି ପ୍ରେମୀ ଯୁବକ-ଯୁବତୀଙ୍କୁ ଲୁଚିଲୁଚି ବିବାହ କରାଇଲେ । ଏଭଳି ଏକ ମହତ କାର୍ଯ୍ୟ ପାଇଁ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହେଲେ । ରାଜା କ୍ଲାଉଡିୟସ ଏହା ଜାଣି ଭାଲେଣ୍ଟାଇନଙ୍କୁ ବନ୍ଦୀ କଲେ । ଏକ ନିର୍ଦ୍ଦିଷ୍ଟ ଦିନରେ ମୃତ୍ୟୁ ଦଣ୍ଡର ଘୋଷଣା କଲେ ଏବଂ ପ୍ରେମ ଓ ପ୍ରେମୀଙ୍କୁ ଜୀବନ୍ୟାସ ଦେଉଥିବା ଭାଲେଣ୍ଟାଇନ୍ ପରମ ଶାସ୍ତି ସ୍ୱରୂପ ଏହି ମୃତ୍ୟୁ ଦଣ୍ଡକୁ ହସି ହସି ଆପଣେଇଥିଲେ ଏବଂ ଜେଲରେ ବନ୍ଦୀ ଭାବେ ଥିବା ବେଳେ ପ୍ରେମର ପ୍ରକୃତ ସ୍ୱରୂପକୁ ବର୍ଣ୍ଣନା କରି ,ଜେଲରଙ୍କ ଝିଅଙ୍କୁ ଜୀବନର ପ୍ରଥମ ଓ ଶେଷ ଚିଠି ଲେଖିଥିଲେ । “…ଏ ଭାଲେଣ୍ଟାଇନ କାଲିର ସୂର୍ଯ୍ୟୋଦୟ ପରେ ଆଉ ଏ ପ୍ରେମର ଦୁନିଆରେ ନଥିବ । ମତେ ତୁମେ କେମିତି ବୁଝିଛ ? ଏ ଦୁନିଆ କେମିତି ବୁଝିଲା … ଏହା ସମୟ କହିବ । ” ଶେଷରେ ଚିଠିର ପୂର୍ଣ୍ଣଚ୍ଛେଦ ଟାଣି ଲେଖିଥିଲେ … ଇତି ତୁମର ଭାଲେଣ୍ଟାଇନ୍

ସେଦିନର ସେହି ନିର୍ଦ୍ଦୟ ରାଜା କ୍ଲାଉଡିୟସ ଦ୍ୱିତୀୟଙ୍କ ଦ୍ୱାରା ସ୍ଥିରୀକୃତ ଫେବୃୟାରୀ ୧୪ରେ ସର୍ବସାଧାରଣଙ୍କ ସମ୍ମୁଖରେ ପାଦ୍ରୀ ଯୁବକ ଭାଲେଣ୍ଟାଇନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । ନିର୍ବାପିତ ହୋଇଗଲା ପ୍ରେମର ପ୍ରକୃତ ପୂଜାରୀ ଓ ପ୍ରକୃତ ନାୟକର ଜୀବନ ଦୀପ । ହେଲେ ‘ଗୋଟିଏ ଉହୁ ,ଅନେକ କୁହୁ’ଲୋକ ବୋଲି ଭଳି ପ୍ରେମର ବାଣୀ ଚାରିଆଡେ ବିସ୍ତାରିତ ହୋଇଗଲା । ତାଙ୍କୁ ସ୍ନରଣ ପାଇଁ ଆରମ୍ଭ ହେଲା ଭାଲେଣ୍ଟାଇନର ପର୍ବ ।