ପ୍ରେମ ଦିବସରେ ପ୍ରେମିକା ଖୋଜୁଛି ପ୍ରେମିକ! ହେଲେ କଣ ଏମିତି ପ୍ରେମିକ ସତରେ ମିଳିବ?

897

ମୁଁ ହେଉଛି ସେହି ପ୍ରେମିକା ଯିଏ ଜାଣିନାହିଁ ତାର ପ୍ରେମିକ କିଏ । କିନ୍ତୁ ମନେ ମନେ ଅପେକ୍ଷା କରିବସିଛି ତାକୁ । ବିଶ୍ୱାସ ରହିଛି ଦିନେ ନା ଦିନେ ସେ ମୋ ପାଖକୁ ଆସିବ । ଗୀତ ଗାଇବ, ହସେଇବ, କନ୍ଦେଇବ ଏମିତି କେତେ କଣ । ହେଲେ ବେଳେ ବେଳେ କାହିଁକି କେଜାଣି ମନରେ ପ୍ରଶ୍ନଟିଏ ଉଠେ ସେ ସତରେ ଆସିବ ତ । ଏ ପ୍ରଶ୍ନ ଏଥିପାଇଁ ଉଠେ, କାରଣ ସମୟ ବଦଳି ଗଲାଣି ।ଆଜିର ଦୁନିଆରେ ପ୍ରେମର ସଂଜ୍ଞା ବି ବଦଳିଗଲାଣି । ବାସ୍ତବବାଦୀ ଦୁନିଆରେ ଦେଣ ନେଣରେ ଚାଲିଛି ପ୍ରେମ । ସୋ ବାଜିରେ ଚାଲିଛି ପ୍ରେମ । ଦୁନିଆକୁ ଦେଖାଇହେବାରେ ଚାଲିଛି ପ୍ରେମ । କଫି ସପରେ କଫି ଗ୍ଲାସ ଏବଂ ଗୋଲାପ ଫୁଲର ପେନ୍ଥାରେ ଚାଲିଛି ପ୍ରେମ ।

ହେଲେ ମୋର ସେହି ପ୍ରେମ ଦରକାର ନାହିଁ । କଫି ସପରେ ମିଠା ମିଠା ଫୁସ ଫୁସ କଥାରେ କଣ ପ୍ରେମର ମହକ ମିଳିବ ନା ଜିନିଷ ଦିଆ ନିଆରେ ପ୍ରେମର ଭାଷା ବୁଝିହେବ । ମନ ଦିଆନିଆ ପ୍ରେମ ଆଜିକାଲି ଆଉ ଦେଖିବାକୁ ମିଳୁନି । ହଜାରେ ଲକ୍ଷ କୋଟି ଟଙ୍କାରେ ଜାଗା ଖଣ୍ଡିଏ ସ୍ମାର୍ଟ ସିଟିରେ ମିଳିଯାଉଛି କିନ୍ତୁ ହୃଦୟରେ ଇଂଚେ ଜାଗା ପାଉନାହାନ୍ତି ପ୍ରେମିକ ଓ ପ୍ରେମିକା ।

ଇଂରାଜୀ ସଭ୍ୟତାକୁ ଆପଣାଇ ପରସ୍ପରକୁ ଆଇ ଲଭ ୟୁ କହିଦେଲେ ପାଳନ ହେଇଯାଉଛି ପ୍ରେମ ଦିବସ । ହେଲେ ପ୍ରେମ କଣ ଏହି ୩ଟି ଶବ୍ଦରେ ସୀମିତ । ନା ଏହାଛଡା ବି ଆହୁରି କିଛି । ପ୍ରେମରେ ଏମିତି କିଛି ଅଛି ଯାହା ପ୍ରେମିକା ବିନା ପ୍ରେମରେ ବି ପ୍ରେମିକକୁ ବଂଚାଇ ରଖିପାରିବ । ଏକଥାଟା ଭାବିଲା ବେଳକୁ ଟିକିଏ କଷ୍ଟ ଲାଗିବ ସତ । କିନ୍ତୁ ଥରେ ଭାବି ଦେଖିଲେ ପ୍ରେମରେ ପରସ୍ପରକୁ ପାଇବାଟା ସଫଳ ପ୍ରେମ ନା ପରସ୍ପରଠାରୁ ଦୁରେଇ ଯିବାଟା ସତ ପ୍ରେମ ।

କଣ ମତେ ଏମିତି ପ୍ରେମିକ ମିଳିବ ଯିଏ ମୋ ପ୍ରେମକୁ ଜନ୍ମ ଜନ୍ମ ଧରି ବଞ୍ଚାଇ ରଖିପାରିବ । ସେ ମୋର ହୋଇରହିଥିବ ଆଉ ମୁଁ ତାର ହୋଇରହିଥିବି । ପାଖରେ ଥାଉ ଅବା ନଥାଉ ସେ ସବୁଦିନ ପାଇଁ ମୋର ହୋଇରହିଥିବ । ମୋ ମନରେ ମୋ ହୃଦୟରେ, ମୋ ନିଶ୍ୱାସରେ । ମତେ ସେମିତିକା ପ୍ରେମିକଟିଏ ଦରକାର । ସେମିତିକା ପ୍ରେମିକ ଆଉ ପ୍ରେମକୁ ଅପେକ୍ଷା କରିବସିଛି ମୁଁ । ମୁଁ ପ୍ରେମିକା ଆଜି ପ୍ରେମ ଦିବସରେ ଏତିକି ହିଁ କହୁଛି । ମୁଁ ମରିଯାଏ, ମୋର ହେବାକୁ ଥିବା ପ୍ରେମିକ ମରିଯାଉ କିନ୍ତୁ ପ୍ରେମ ବଂଚିଥାଉ ।

(ଏହା ଲେଖକଙ୍କ ନିଜସ୍ୱ ମତ । ଏଥିରେ କନକ ନ୍ୟୁଜର କୌଣସି ମତ ନାହିଁ)
ଲେଖକ : ଲାଲମୋହନ ପଣ୍ଡା