ଭାଓଲେଣ୍ଟ ହେବ କି ଭାଲେଣ୍ଟାଇନ ଡେ? କଳିଙ୍ଗ ସେନା କହିଲା, ପ୍ରେମ ଦିବସ ପାଳିଲେ ବିଛୁଆତି ବୋଳିବୁ, ସମାଜସେବୀ କହିଲେ, ହିଂସାକାରୀଙ୍କୁ ବେଲଣା କାଠିରେ ହେବ ମାଡ

401

କନକ ବ୍ୟୁରୋ : ଭାଲେଣ୍ଟାଇନ ଡେରେ ଯୁବକ ଯୁବତୀଙ୍କୁ ଅଶ୍ଲୀଳ ଅବସ୍ଥାରେ ଦେଖିଲେ ସେମାନଙ୍କ ଦେହରେ ବିଛୁଆତି ଲଗାଇଦିଆଯିବ । କଳିଙ୍ଗ ସେନା ପକ୍ଷରୁ ଏହିପରି କଡା ଚେତାବନୀ ଦିଆଯାଇଛି । ଏହା ଜବାବରେ ଗଣତାନ୍ତ୍ରିକ ମହିଳା ସମିତି ପ୍ରେମ ଦିବସକୁ ହିନ୍ଦୁ ପରମ୍ପରା କହିବା ସହ ବିଛୁଆତିର ଜବାବ ବେଲେଣାକାଠି ମାଡରେ ଦିଆଯିବ ବୋଲି କହିଛି ।

ହାତରେ ବିଛୁଆତି ଧରି ପ୍ରେମ ଦିବସକୁ ହେବ ବିରୋଧ । ପ୍ରେମ ଦିବସରେ ଏକାଠି ହେଉଥିବା ପ୍ରେମୀଯୁଗଳଙ୍କ ଦେହରେ ବିଛୁଆତି ବୋଳିବାକୁ ଆଗୁଆ ଚେତାବନୀ ଦେଇଛି କଳିଙ୍ଗ ସେନା । ପ୍ରେମ ଦିବସ ପାଳନ ପାଇଁ ପ୍ରେମିକପ୍ରେମିକା ବାଛିଥିବା ସ୍ଥାନ ଗୁଡିକୁ ଟାର୍ଗେଟ କରିବ କଳିଙ୍ଗ ସେନା । ଟାର୍ଗେଟରେ ରହିଛି ସପିଂ ମଲ, ପାର୍କ, ସିନେମା ହଲ ଓ ରେଷ୍ଟୁରାଂଟ । ପ୍ରେମ ଦିବସରେ ଯେଉଁମାନେ ଅଶ୍ଳିଳ ଅବସ୍ଥାରେ ଦୃଷ୍ଟିକୁ ଆସିବେ ସେମାନଙ୍କ ଦେହରେ ବିଛୁଆତି ବୋଳି ବିରୋଧ କରିବ ବୋଲି କହିଛି କଳିଙ୍ଗ ସେନା ।

ଅନ୍ୟପଟେ ପ୍ରେମ ଦିବସ ପାଳନକୁ ସ୍ୱାଗତ କରିଛି ଗଣତାନ୍ତ୍ରିକ ମହିଳା ସମିତି । ପ୍ରେମକୁ ଅଶ୍ଳୀଳ କହୁଥିବା ଲୋକମାନେ ମାନସିକ ରୋଗୀ ଏବଂ ସେମାନଙ୍କୁ ପାଗଳ ଖାନାରେ ବାନ୍ଧି ରଖାଯାଉ ବୋଲି ଦାବି କରିଛି । ପ୍ରେମୀ ଯୁଗଳଙ୍କୁ ଯଦି ବିଛୁଆତି ବୋଳି ବିରୋଧ କରାଯିବ ତେବେ ସମିତି ପକ୍ଷରୁ ତାଙ୍କୁ ପାଲଟା ବେଲଣା କାଠିରେ ମାଡ ଦିଆଯିବ ବୋଲି ପାଲଟା ଚେତାବନୀ ଦେଇଛି ସମିତି । ଅନ୍ୟପଟେ ଡିସିପି କହିଛନ୍ତି ଯଦି ବିଛୁଆତି ବୋଳିବା ଭଳି କିଛି କରାଯାଏ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାରି ଭିତରେ ଦେଖିବାର କଥା ଯୁବକ ଯୁବତୀମାନେ ଏତେ ସବୁ ବିରୋଧ ଭିତରେ କିପରି ମନାଉଛନ୍ତି ପ୍ରେମ ଦିବସ ।