କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ଗୁଜରାଟର ଭାଜୁଭାଇଙ୍କ ହାତରେ କର୍ଣ୍ଣାଟକ ଚାବି, ଶେଷ ନିଷ୍ପତିକୁ ଅପେକ୍ଷା

25

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ଭୋଟ ଗଣତି ସମୟ ଯେତିକି ସରୁଛି କର୍ଣ୍ଣାଟକ ରାଜନୀତିରେ ସେତିକି ସସପେନ୍ସ ବଢ଼ୁଛି । ଏଯାବତ୍ କୌଣସି ଦଳ ମ୍ୟାଜିକ ନମ୍ବର ହାସଲ କରିପାରିନାହାନ୍ତି । କିନ୍ତୁ ୧୦୪ ଆସନରେ ଆଗୁଆ ରହିବା ସହ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ସେହିଭଳି କଂଗ୍ରେସ ୭୮ ଓ ଜେଡ଼ିଏସ ୩୮ଟି ଆସନରେ ଆଗୁଆ ରହିଛନ୍ତି । ତେଣୁ ଏଭଳି ସ୍ଥଳରେ କିଏ ସରକାର ଗଢ଼ିବ ତାହାକୁ ନେଇ ଦେଖାଦେଇଛି ସସପେନ୍ସ । ଗୋଟିଏ ପଟେ ସରକାର ଗଢ଼ିବାକୁ କଂଗ୍ରେସ ଓ ଜେଡ଼ିଏସ ହାତ ମିଳାଇଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ସରକାର ଗଢ଼ିବାକୁ କସରତ ଆରମ୍ଭ କରିଛି । କିନ୍ତୁ କିର୍ଣ୍ଣାଟକରେ କିଏ ସରକାର ଗଢ଼ିବ ତାହା ଗୁଜରାଟ ନିବାସୀ ଭାଜୁଭାଇ ଭାଲା ସ୍ଥିର କରିବେ । ଭାଜୁଭାଇ ଭାଲା ଏବେ କର୍ଣ୍ଣାଟକର ରାଜ୍ୟପାଳ ଭାବେ ଅବସ୍ଥାପିତ ଅଛନ୍ତି ।

ଭାଜୁଭାଇ ଗୁଜରାଟ ବିଜେପିର ପ୍ରମୁଖ ନେତାଙ୍କ ମଧ୍ୟରେ ଅନ୍ୟତମ । ୨୦୦୧ ମସିହାରେ ମୋଦି ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ଭାଜୁଭାଇ ତାଙ୍କ ପାଇଁ ଏହି ଆସନ ଛାଡ଼ିଥିଲେ । ସ୍କୁଲ ସମୟରୁ ଆରଏସଏସ ସହ ଯୋଡ଼ି ହୋଇଥିବା ଭାଜୁଭାଇ କିଛି ବର୍ଷ ପର୍ଯ୍ୟନ୍ତ ଜନସଂଘରେ ସକ୍ରିୟ ସଦସ୍ୟ ଭାବେ ରହିଥିଲେ । ୧୯୭୫ ମସିହାରେ ପ୍ରଥମଥର ପାଇଁ ରାଜକୋଟ ନଗର ନିଗମ ନିର୍ବାଚନରେ ଜିତିବା ପରେ ୧୯୮୩ ମସିହାରେ ମେୟର ଭାବେ ନିର୍ବାଚିତ ହୋଇଥିଲେ । ଆଉ ଏହାପରେ ପଛକୁ ଫେରିନଥିଲେ ଭାଜୁଭାଇ । ୧୯୮୫ ମସିହାରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଆଉ ଏହାପରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ୯ ବର୍ଷ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ରହିଥିଲେ ।ଅର୍ଥମନ୍ତ୍ରୀ ଥିବା ବେଳେ ଭାଜୁଭାଇ ୧୮ଥର ବଜେଟ ଉପସ୍ଥାପନ କରି ରେକର୍ଡ଼ କରିଛନ୍ତି ।

ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାଜୁଭାଇଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ତେଣୁ ରାଜ୍ୟପାଳ ଭାବେ ଭାଜୁଭାଇ କାହାକୁ ସରକାର ଗଠନ କରିବାକୁ ଡାକୁଛନ୍ତି ଏବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଗୋଆରେ କଂଗ୍ରେସର ଆସନ ଅଧିକ ଥିଲେ ମଧ୍ୟ ସରକାର ଗଠନ କରିବାକୁ କଂଗ୍ରେସକୁ ସୁଯୋଗ ଦେଇନଥିଲେ ରାଜ୍ୟପାଳ ।