ପୁରୀ ମହୋଦଧିରେ ଲୀନ ହେଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ! ଆସନ୍ତାକାଲି ହେବ ସର୍ବଦଳୀୟ ପ୍ରାର୍ଥନା ସଭା

55

କନକ ବ୍ୟୁରୋ : ପୁରୀ ମହୋଦଧିରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ପାରମ୍ପରିକ ପୂଜାପାଠ ପରେ ଆଜି ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି । ବାଜପେୟୀଙ୍କ ଚିତାଭସ୍ମର ବିସର୍ଜନ ପାଇଁ ପୁରୀ ଦିଗବାରେଣୀ କୂଳରେ ବ୍ୟାପକ ଆୟୋଜନ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବାଜପେୟୀଙ୍କ ଚିତାଭସ୍ମକୁ ବିଧି ଅନୁସାରେ ବିସର୍ଜନ କରିଥିଲେ । ଚିତାଭସ୍ମ ବିସର୍ଜନ କରିବା ପରେ ବାଜପେୟୀଙ୍କ ଆତ୍ମାର ସତଗତି କାମନା କରିଥିଲେ ଶହ ଶହ ବିଜେପି ନେତା । ଏହା ପୂର୍ବରୁ ଭୁବନେଶ୍ୱରରୁ ଏକ ବିଶାଳ ଶୋଭାଯାତ୍ରାରେ ପୁରୀରେ ପହଂଚିଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଚିତାଭସ୍ମ ।

ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଓଡ଼ିଆ ଲୋକଙ୍କ ଭଲ ପାଇବା କେତେ, ଶ୍ରଦ୍ଧାଞ୍ଜଳିର ଶୋଭାଯାତ୍ରା ଏବଂ ବିଶାଳ ଜନସମାଗମରୁ ହିଁ ସ୍ପଷ୍ଟ ବାରି ହୋଇପଡୁଥିଲା । ସୁସଜ୍ଜିତ ଗାଡ଼ିରେ ବାହାରିଥିବା କଳସ ଶୋଭାଯାତ୍ରାରେ ଆପଣା ଯାଏଁ ସାମିଲ ହୋଇଛନ୍ତି ହଜାର ହଜାର ବାଜପେୟୀ ପ୍ରେମୀ । ଦିଲ୍ଲୀରୁ ଭୁବନେଶ୍ୱର ପହଂଚିଥିବା ବାଜପେୟୀଙ୍କ ଚିତାଭସ୍ମ, ରାତିତମାମ୍ ରାଜ୍ୟ ବିଜେପି କାର୍ଯ୍ୟଳୟରେ ରଖାଯାଇଥିଲା । ଭଜନ କିର୍ତନ ସହ ଆଧ୍ୟାତ୍ମିକ ପରିବେଶ ଭିତରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ସାଧାରଣ ଲୋକ । ଆଉ ଆଜି ସକାଳୁ ବାହାରିଥିଲା ଶୋଭାଯାତ୍ରା ।

ଠିକ୍ ଯେମିତି ଦିଲ୍ଲୀରେ ଅସ୍ଥିକଳସ ଶୋଭାଯାତ୍ରା ବାହାରିଥିଲା, ଅନୁରୁପ ଢ଼ଙ୍ଗରେ ଭୁବନେଶ୍ୱରରେ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରା ବାହାରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତା ପଣ୍ଡାଙ୍କ ସହ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଏହି ଶୋଭାଯାତ୍ରା ଆଗକୁ ବଢ଼ିଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଉତରାଛକ, ସେଠୁ ପିପିଲି, ସାକ୍ଷୀଗୋପାଳ ଦେଇ ପୁରୀ ଅଠରନଳାରେ ପହଂଚିଥିଲା ଏହି ବିଶାଳ ଶୋଭାଯାତ୍ରା । ପୁରୀ ଅଠରନଳାରୁ ପୁରୀ ଜିଲ୍ଲା ବିଜେପି କାର୍ଯ୍ୟକର୍ତା ଏହି ଶୋଭାଯାତ୍ରାକୁ ପାଛୋଟି ନେଇଥିଲେ । ଏହି ଜନସମାଗମ ଭିତରେ ପୁଣି ଯୋଡ଼ି ହୋଇଯାଇଥିଲେ ହଜାର ହଜାର ପ୍ରଶଂସକ । ଅଠରନଳାରୁ ଦିଗବାରେଣୀ ଖୁଟି ସମୁଦ୍ରକୂଳକୁ ବାହାରିଥିଲା ଶୋଭାଯାତ୍ରା ।

ମହୋଦଧିରେ ବାଜପେୟୀଙ୍କ ଚିତାଭସ୍କ ଲୀନ ହୋଇଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା । ଏହି ପ୍ରାର୍ଥନା ସଭାରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବରିଷ୍ଠ ନେତା ସମୀର ମହାନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବା ପାଇଁ ନବୀନ ନିବାସ ପହଂଚିଥିଲେ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ନିମନ୍ତ୍ରଣ ଦେବା ପାଇଁ ତାଙ୍କ ପାଖରେ ପହଂଚିଥିଲେ ବିଜେପି ଟିମ୍ । ଏହା ବ୍ୟତୀତ ଉକ୍ରଳ ଭାରତ, ସିପିଆଇ ଏବଂ ସିପିଆଇ ସମେତ ବିଭିନ୍ନ ରାଜନୈତିକ ଦଳ ନେତାଙ୍କୁ ଏହି ପ୍ରାର୍ଥନା ସଭାରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯାଇଛି । ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ବାଜପେୟୀଙ୍କ ଉର୍ଦ୍ଦେଶ୍ୟରେ ହେବାକୁ ଥିବା ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ବିଜେଡି ସବୁଜ ସଂକେତ ଦେଉଥିବା ବେଳେ ଚୁଡାନ୍ତ ନିଷ୍ପତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନେବ । ସବୁ ରାଜନୈତିକ ଦଳର ନେତାଙ୍କ ସହ ବାଜପେୟୀଙ୍କ ଭଲ ସଂପର୍କ ଥିବାରୁ ଏହି ପ୍ରାର୍ଥନା ସଭାରେ ସବୁ ଦଳର ନେତାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।