କାଶ୍ମୀରରୁ କନ୍ୟାକୁମାରୀ ସବୁଠି ବିସର୍ଜନ କରାଯିବ ବାଜପେୟୀଙ୍କ ଅସ୍ଥି ! ଆସନ୍ତାକାଲି ବିରାଟ ଶୋଭାଯାତ୍ରାରେ ପୁରୀ ମହୋଦଧିରେ ହେବ ବିସର୍ଜନ ।

52

କନକ ବ୍ୟୁରୋ : କାଶ୍ମୀରରୁ କନ୍ୟାକୁମାରୀ ସବୁଠି ବିସର୍ଜନ କରାଯିବ ଅଟଳ ବିହାରୀଙ୍କ ଅସ୍ଥି । ଦିଲ୍ଲୀରେ ଆଜି ସମସ୍ତ ବିଜେପି ରାଜ୍ୟ ସଭାପତିଙ୍କୁ ବାଜପେୟୀଙ୍କ ଅସ୍ଥି ହସ୍ତାନ୍ତର କରାଯାଇଛି । ଦିଲ୍ଲୀରୁ ଅଟଳ ବିହାରୀଙ୍କ ଅସ୍ଥି ଧରି ଭୁବନେଶ୍ୱରରେ ପହଂଚିଛନ୍ତି ବସନ୍ତ ପଣ୍ଡା । ଆସନ୍ତାକାଲି ପୁରୀ ମହୋଦଧିରେ ବିସର୍ଜିତ ହେବ ଅସ୍ଥି । ତେବେ ୨୪ ତାରିଖରେ ଭୁବନେଶ୍ୱରରେ ହେବ ସର୍ବଦଳୀୟ ସ୍ମୃତିସଭା । ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି ବିଜେପି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ଶୋଭାଯାତ୍ରା ଓ ସ୍ମୃତିସଭା ସାରା ଦେଶରେ କରିବାକୁ ନିଷ୍ପତି ନେଇଛି ଭାରତୀୟ ଜନତା ପାର୍ଟି । ଏଥିପାଇଁ ବୁଧବାର ସମସ୍ତ ରାଜ୍ୟ ବିଜେପି ସଭାପତିଙ୍କୁ ବାଜପେୟୀଙ୍କ ଅସ୍ଥି କଳସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହି କ୍ରମରେ ଓଡିଶା ଆସିଛି ବାଜପେୟୀଙ୍କ ଅସ୍ଥି କଳସ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଦିଲ୍ଲୀ ଅଶୋକା ରୋଡସ୍ଥିତ ବିଜେପି ମୁଖ୍ୟାଳୟରୁ ଅଟଳ ବିହାରୀଙ୍କ ଅସ୍ଥି କଳସ ଧରି ଭୁବନେଶ୍ୱରରେ ପହଂଚିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଏହାକୁ ସାଧାରଣ ଦର୍ଶନ ପାଇଁ ରଖାଯିବା ସହ ଭଜନ, କୀର୍ତନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଛି ।

ଅସ୍ଥି ଶୋଭାଯାତ୍ରା କାର୍ଯ୍ୟସୂଚି :

– ୨୨ ତାରିଖ ରାତିତମାମ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରହିବ ବାଜପେୟୀଙ୍କ ଅସ୍ଥି କଳସ

– ୨୩ ତାରିଖରେ ବିଜେପିର ତୁଙ୍ଗ ନେତା ଶୋଭାଯାତ୍ରାରେ ଅସ୍ଥି କଳସକୁ ପୁରୀ ନେବେ

– ଭୁବନେଶ୍ୱରରୁ ଉତରା ଛକ ଦେଇ ପୁରୁଣା ପୁରୀ ରାସ୍ତାରେ ଶୋଭାଯାତ୍ରା ଅଠରନଳା ଯିବ

– ସେଠାରୁ ପୁରୀବାସୀ ଅସ୍ଥି କଳସକୁ ସ୍ୱାଗତ କରି ପୁରୀ ମହୋଦଧି ଅଭିମୁଖେ ନେଇଯିବେ

– ପୁରୀ ମହୋଦଧିରେ ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥିକୁ ବିସର୍ଜନ କରାଯିବା କାର୍ଯ୍ୟକ୍ରମ ରହିଛି

ଏହାବାଦ ଅଟଳଜୀଙ୍କ ଅସ୍ଥିକୁ ସାରା ଦେଶରେ ୧୦୦ଟି ପ୍ରମୁଖ ନଦୀରେ ମଧ୍ୟ ବିସର୍ଜନ କରିବା କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଓଡିଶାର ୭ଟି ପ୍ରମୁଖ ନଦୀରେ ଅସ୍ଥି ବିସର୍ଜିତ ହେବ । ୨୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ସର୍ବଦଳୀୟ ସ୍ମୃତି ସଭା କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଯେଉଁଥିପାଇଁ ବିଜେଡି ଓ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନଙ୍କୁ ବିଜେପି ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବାଦ ପଂଚାୟତ ସ୍ତରରେ ମଧ୍ୟ ବାଜପେୟୀଙ୍କ ସ୍ମୃତି ଚାରଣ ସଭା କରିବାକୁ ଯୋଜନା ରଖିଛି ବିଜେପି । ବାଜପେୟୀଙ୍କ ବ୍ୟକ୍ତିତ୍ୱ ତାଙ୍କୁ ଦଳୀୟ ରାଜନୀତିଠାରୁ ଢେର ଉଦ୍ଧ୍ୱର୍ରେ ରଖିଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଅଟଳ ବିହାରୀଙ୍କ ଅବର୍ତମାନରେ ତାଙ୍କ ଅବଦାନକୁ ମନେ ପକାଇବା ସହ ଜଣେ ରାଷ୍ଟ୍ରନାୟକ ଭାବରେ ସମ୍ମାନ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ୨୦ଦିନ ଧରି ସ୍ମୃତିସଭାର ଆୟୋଜନ କରୁଛି ।