ମହୋଦଧିରେ ମିଶିବ ମହାନ ନେତାଙ୍କ ଅସ୍ଥି : ବିରାଟ ଶୋଭାଯାତ୍ରାରେ ପୁରୀ ମହୋଦଧିରେ ଅଟଳଙ୍କ ଅସ୍ଥି ହେବ ବିସର୍ଜନ

38

କନକ ବ୍ୟୁରୋ : ପୁରୀ ମହୋଦଧିରେ ମିଶିବ ମହାନ ନେତାଙ୍କ ଅସ୍ଥି । ଦିଲ୍ଲୀରେ ସମସ୍ତ ବିଜେପି ରାଜ୍ୟ ସଭାପତିଙ୍କୁ ବାଜପେୟୀଙ୍କ ଅସ୍ଥି ହସ୍ତାନ୍ତର କରାଯାଇଛି । ଦିଲ୍ଲୀରୁ ଅଟଳ ବିହାରୀଙ୍କ ଅସ୍ଥି ଧରି ଭୁବନେଶ୍ୱରରେ ପହଂଚିଛନ୍ତି ବସନ୍ତ ପଣ୍ଡା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ଆଜି ପୁରୀ ମହୋଦଧିରେ ବିସର୍ଜନ କରାଯିବ । ବିରାଟ ଶୋଭାଯାତ୍ରାରେ ଅସ୍ଥି କଳସକୁ ପୁରୀ ନିଆଯିବ । ଭୁବନେଶ୍ୱରରୁ ଉତ୍ତରା ଛକ ଦେଇ ପୁରୁଣା ପୁରୀ ରାସ୍ତାରେ ଶୋଭାଯାତ୍ରା ଅଠରନଳା ଯିବ । ସେଠାରୁ ପୁରୀ ବାସୀ ଅସ୍ଥି କଳସକୁ ସ୍ୱାଗତ କରି ପୁରୀ ମହୋଦଧି ଅଭିମୁଖେ ନେଇଯିବେ । ସେଠାରେ ଅଟଳଙ୍କ ଅସ୍ଥି ବିସର୍ଜନ କରାଯିବା କାର୍ଯ୍ୟକ୍ରମ ରହିଛି ।

ଏଥିସହ ଆସନ୍ତାକାଲି ହେବ ସର୍ବଦଳୀୟ ଶ୍ରଦ୍ଧାଂଜଳି ସଭା । ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି ବିଜେପି । ମିଳିଥିବା ସୂଚନା ଅନୁସାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବାଦ ପଂଚାୟତ ସ୍ତରରେ ମଧ୍ୟ ବାଜପେୟୀଙ୍କ ସ୍ମୃତି ଚାରଣ ସଭା କରିବାକୁ ଯୋଜନା ରଖିଛି ବିଜେପି । ଅଟଳଙ୍କ ପାଇଁ ଭାରତୀୟ ଜନତା ପାର୍ଟି ୨୦ଦିନ ଧରି ସ୍ମୃତିସଭାର ଆୟୋଜନ କରୁଛି । ବୁଧବାର ବିଶାଳ ଶୋଭାଯାତ୍ରାରେ ଅଟଳଙ୍କ ଅସ୍ଥି କଳସକୁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ବାଜପେୟୀଙ୍କୁ ବହୁ ବ୍ୟକ୍ତି ଶ୍ରଦ୍ଧାଂଜଳି ଜଣାଇଥିଲେ ।

ଏହାବାଦ ଅଟଳଜୀଙ୍କ ଅସ୍ଥିକୁ ସାରା ଦେଶରେ ୧୦୦ଟି ପ୍ରମୁଖ ନଦୀରେ ମଧ୍ୟ ବିସର୍ଜନ କରିବା କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଓଡିଶାର ୭ଟି ପ୍ରମୁଖ ନଦୀରେ ଅସ୍ଥି ବିସର୍ଜିତ ହେବ । ୨୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ସର୍ବଦଳୀୟ ସ୍ମୃତି ସଭା କରିବାକୁ କାର୍ୟ୍ୟକ୍ରମ ସ୍ଥିର ହୋଇଛି । ଯେଉଁଥିପାଇଁ ବିଜେଡି ଓ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନଙ୍କୁ ବିଜେପି ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।