କେମିତି ଥିଲା ବାଜପେୟୀ ଓ ନବୀନଙ୍କ ମଧ୍ୟରେ ସର୍ମ୍ପକ ! ଫଟୋ ରହିଛି ସାକ୍ଷୀ

66

କନକ ବ୍ୟୁରୋ : ଆରପାରିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ୯୩ ବର୍ଷ ବୟସରେ ଦିଲ୍ଲୀର ଏମ୍ସରେ ଆଖି ବୁଜିଛନ୍ତି ଦେଶବାସୀଙ୍କ ପ୍ରିୟ ନେତା ବାଜପେୟୀ । ସନ୍ଧ୍ୟା ୫ଟା ୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାଜପେୟୀ । ଆଉ ନିଜ ପ୍ରିୟ ନେତାଙ୍କୁ ହରାଇ କୋଟି କୋଟି ଭାରତୀୟଙ୍କ ଆଖିରେ ଜକେଇ ଆସିଛି ଲୁହ । ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଅଟଳ ବିହାରୀ ଅମର ରହେ । ୬ ଦଶକ ଧରି ଭାରତୀୟ ରାଜନୀତି, ଭାରତୀୟ ସଂସ୍କୃତି, ଭାରତୀୟ ଚେତନାକୁ ପ୍ରଭାବିତ ଆସୁଥିବା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକରେ ସ୍ତମ୍ଭୀଭୁତ ହୋଇ ଯାଇଛନ୍ତି ଦେଶବାସୀ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ବାଜପେୟୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।

ଆଉ ଏସବୁ ଭିତରେ ଦିଲ୍ଲୀ ଏମ୍ସରେ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିିଛନ୍ତି, ଜଣେ ମହାନ ନେତାଙ୍କୁ ଭାରତ ହରାଇଛି । ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ତାହା ପୂରଣ ହେବା କଠିନ । ବାଜପେୟୀ ଓ ନବୀନଙ୍କ ମଧ୍ୟରେ ସର୍ମ୍ପକ ଥିଲା ବେଶ ନିବିଡ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ନବୀନ । ଆଉ ସେତେବେଳେ କେନ୍ଦ୍ରରେ ଥିଲା ବାଜପେୟୀଙ୍କ ସରକାର ।

କହିବାକୁ ଗଲେ, ବାଜପେୟୀଙ୍କ ସରକାର ସମୟରେ ହିଁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ନବୀନ । ଆସ୍କା ଲୋକସଭା ଆସନରେ ବିଜୟୀ ହେବା ସହ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦୁଇ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ନବୀନ । ଏପରିକି ଖଣି ଓ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ନବୀନ । ଆଉ ଏହି ସମୟରେ ସେ ଅଟଳ ବିହାରୀ ବାଜପେୟୀଙ୍କ ଉତୁଙ୍ଗ ବ୍ୟକ୍ତିତ୍ୱକୁ ନିକଟରୁ ଜାଣିବାର ସୁଯୋଗ ପାଇଥିଲେ ନବୀନ ।

କେନ୍ଦ୍ର ରାଜନୀତି ପରେ ଓଡିଶା ରାଜନୀତିରେ ପାଦ ଥାପିଥିଲେ ନବୀନ । ସାଙ୍ଗରେ ଥିଲା ବାଜପେୟୀଙ୍କ ଆର୍ଶିବାଦ । ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ହୋଇଥିବା ବିଜେଡିର ନେତୃତ୍ୱ ନବୀନ ନେବା ସହ ବିଜେପି ସହ ମେଣ୍ଟ କରିଥିଲା । ଆଉ ୨୦୦୦ ମସିହାରେ ସାଥୀ ହୋଇ ଲଢିଥିଲେ ବିଧାନସଭା ନିର୍ବାଚନ । ପ୍ରଥମ ଥର ପାଇଁ ବିଜେଡି-ବିଜେପି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ । ଆଉ ଏହି ସମୟରେ କେନ୍ଦ୍ରରେ ଥିଲା ବାଜପେୟୀଙ୍କ ସରକାର । ଆଉ କେନ୍ଦ୍ରରେ ଥିବା ଏନଡିଏ ସରକାରକୁ ସମର୍ଥନ ଦେଇଥିଲା ବିଜେଡି । ଯାହାଫଳରେ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ରରେ ଏନଡିଏ ସରକାର ନିଜର ଶାସନ କାଳ ପୂରା କରିପାରିଥିଲା ।

ରାଜନୈତିକ ନୁହେଁ ବ୍ୟକ୍ତିଗତ ଭାବେ ମଧ୍ୟ ନବୀନଙ୍କୁ ବେଶ ଭଲଭାବେ ଜାଣିଥିଲେ ବାଜପେୟୀ । କେବଳ ନବୀନ ନୁହେଁ ବାପା ବିଜୁ ପଟ୍ଟନାୟକ ମଧ୍ୟ ବାଜପେୟୀଙ୍କ ଘନିଷ୍ଠ ଥିଲେ । ଅଣକଂଗ୍ରେସ ରାଜନୀତିରେ ଉଭୟ ବାଜପେୟୀ ଓ ବିଜୁ ପଟ୍ଟନାୟକ ଥିଲେ ବେତାଜ ବାଦଶାହା । ଆଉ ବିଜୁଙ୍କ ଦେହାନ୍ତ ପରେ ନବୀନଙ୍କୁ ରାଜନୀତିର ପାଠ ପଢାଇଥିଲେ ବାଜପେୟୀ । ରାଜନୀତିରେ ନୂଆ କରି ପାଦ ଥାପିଥିବା ନବୀନ ବାଜପେୟୀଙ୍କ ଠାରୁ ଅନେକ କିଛି ଶିଖିବାକୁ ପାଇଛନ୍ତି । ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି ।

ଏମ୍ସର ଶିଳାନ୍ୟାସ ଠାରୁ ଆରମ୍ଭ କରି ଆଇଓସିଏଲର ମୂଳଦୁଆ ପକାଇବା ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ଓଡିଶା ପାଇଁ ବାଜପେୟୀଙ୍କର ଥିଲା ଏକ ସ୍ୱତନ୍ତ୍ର ଭଲପାଇବା । ଓଡିଶାକୁ ବିକାଶ ପଥରେ ଆଗେଇ ନେବାକୁ ବାଜପେୟୀଙ୍କର ଥିଲା ବଡ ଅବଦାନ । ଏବେ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ଦୂରତା ବଢିଛି ସତ କିନ୍ତୁ ବାଜପେୟୀଙ୍କ ପାଇଁ ଉଭୟ ଦଳର ନେତାଙ୍କ ମନରେ ରହିଛି ଯଥେଷ୍ଟ ସମ୍ମାନ । କାରଣ ଉଭୟ ଦଳକୁ ରାଜନୈତିକ ଶିଖରରେ ପହଞ୍ଚାଇଥିଲେ ବାଜପେୟୀ । ଆଉ ଯେତେବେଳେ ଆଜି ବାଜପେୟୀଙ୍କର ଦେହାନ୍ତ ହୋଇଛି ସେତେବେଳେ ଉଭୟ ଦଳର ନେତା ନିଜର ମାର୍ଗଦର୍ଶକ ତଥା ପ୍ରିୟ ନେତାଙ୍କୁ ଝୁରୁଛନ୍ତି ।