କାର୍ଗିଲ ଯୁଦ୍ଧର ମହାନାୟକ ! ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇ ନଥିଲେ ବାଜପେୟୀ, ହାର ମାନିଥିଲା ପାକିସ୍ତାନ

3

କନକ ବ୍ୟୁରୋ : ଭାରତ ମାଟିରେ ପଡୋଶୀର ପ୍ରବେଶକୁ କିଭଳି ଦୃଢ ହସ୍ତରେ ଦମନ କରିଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାକୁ ସାରା ବିଶ୍ୱ ଦେଖିଛି । ଜଣେ ବିଚକ୍ଷଣ ରାଷ୍ଟ୍ରନାୟକ ଭାବେ ପୁରା ଘଟଣାରେ ଆମେରିକାର ହସ୍ତକ୍ଷେପକୁ ବି କଡା ଜବାବ ଦେଇଥିଲେ ବାଜପେୟୀ । ଆମେରିକା ରାଷ୍ଟ୍ରପତି କ୍ଲିଂଟନଙ୍କୁ ଲେଖିଥିଲେ ସିକ୍ରେଟ ଲେଟର ।

ନିଷ୍ପତି ନେବାରେ ଅଟଳ ଆଉ ତାକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ଅଟଳ । କାରଗିଲ ଯୁଦ୍ଧ ସମୟରେ କିଭଳି ବାଜପେୟୀ ଦୃଢ ଭାବେ ଠିଆ ହୋଇଥିଲେ ତାକୁ ଆମେରିକା ମଧ୍ୟ ଗୁରୁତ୍ୱ ଦେଇଥିଲା । ଆମେରିକା ରାଷ୍ଟ୍ରପତି ବିଲ କ୍ଲିଂଟନଙ୍କୁ ସିକ୍ରେଟ ଲେଟର ପଠାଇ ବାଜପେୟୀ କଡା ଆଭିମୁଖ୍ୟ ପୋଷଣ କରି କହିଥିଲେ, ଭାରତ ମାଟିରୁ ଯଦି ପାକିସ୍ତାନୀ ସୈନ୍ୟ ପଛକୁ ନଫେରନ୍ତି ତେବେ ଆମେ ସେମାନଙ୍କୁ ଯେ କୈାଣସି ପ୍ରକାରେ ବିଦା କରିବାକୁ ସକ୍ଷମ । ପୂର୍ବତନ ଜାତୀୟ ସୁରକ୍ଷା ପରମର୍ଶଦାତା ଥରେ ଏକ ସାକ୍ଷାତକାରରେ କହିଥିଲେ, ସୀମା ପାର ସହ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ମଧ୍ୟ ଅସ୍ୱୀକାର କରାଯାଇ ପାରିନଥାନ୍ତା ।

ପାକିସ୍ତାନୀ ସେନା ଯେତେବେଳେ ଭାରତରେ ଅନୁପ୍ରବେଶ କରିବା ସହ କାରଗିଲ ଘାଟିରେ ନିଜ ଆଡ୍ଡା ଜମାଇଥିଲା ଠିକ ସେତିକିବେଳେ ଭାରତୀୟ ସେନାର ମୁହଁତୋଡ ଜବାବ ପାକିସ୍ତାନ ସେନାକୁ ପଛଘୁଂଚା ଦେବାକୁ ବାଧ୍ୟ ହୋଇଥିଲା । ଦୃଢ ରାଜନୈତିକ ନେତୃତ୍ୱ ସହ ସେନାର ସାହାସିକତା ଭାରତ ମୁଣ୍ଡରେ ଲଗାଇଥିଲା ବିଜୟ ଟୀକା । ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ନାଁ ଦିଆଗଲା ଅପରେସନ ବିଜୟ । ୧୯୯୯ ମେ’ରୁ ଜୁଲାଇ ଭିତରେ ଭାରତ ଓ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ହୋଇଥିଲା । ତେବେ ବଡ କଥା ହେଉଛି, ଆମେରିକାର ହସ୍ତକ୍ଷେପ ମଧ୍ୟ ବାଜପାୟୀଙ୍କୁ ସେହି ସମୟରେ ଚାପଗ୍ରସ୍ତ କରିନଥିଲା । ବରଂ ଯିଦ୍ ଥିଲା, ପାକିସ୍ତାନୀ ସେନା ଭାରତୀୟ ସୀମାରୁ ପଛକୁ ଫେରିବା ଦରକାର ।

ରାଜନୀତି ଆଉ ଦେଶନୀତି ମଧ୍ୟରେ ଯେଉଁ ସମତୁଲ ସ୍ଥିତି ବାଜପାୟୀ ରଖିଥିଲେ, ତାହା ବୋଧହୁଏ ଦେଶର ଦଶକ ଦଶକ ରାଜନୀତିର ଇତିହାସରେ ଆଉ କାହାଠାରୁ ଦେଖିବାକୁ ମଧ୍ୟ ମିଳିନାହିଁ । ପାକିସ୍ତାନର ଶତ୍ରୁତା ଆଚରଣକୁ ଦୃଢତାର ସହ ଜବାବ ଦେବା ଆଉ ମିତ୍ରତାର ହାତ ବଢାଇ ବସରେ ଲାହୋର ଯିବା, ଏହା ବାଜପେୟୀଙ୍କର ବ୍ୟକ୍ତିତ୍ୱକୁ ସାମ୍ନାକୁ ଆଣୁଛି ଯାହା ଦର୍ଶାଉଛି, ଆଚରଣ ଅନୁସାରେ ଆଭିମୁଖ୍ୟ ବଦଳିଥାଏ ।

Comments are closed.