ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ମହିଳା ମାନଙ୍କୁ ଛୋଟ ପୋଷାକ ନ ପିନ୍ଧିବାକୁ ବଡୋଦରା ପୋଲିସର ପରାମର୍ଶ ।

254

ଆଗକୁ ଆସୁଛି ନୂଆବର୍ଷ । ଆଉ ଏହାକୁ ସେଲିବ୍ରେସନ କରିବାକୁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନୂଆବର୍ଷ ପାଇଁ କିଏ ଡ୍ରେସ କିଣିବାରେ ବ୍ୟସ୍ତ ତ କିଏ ସାଙ୍ଗସାଥୀଙ୍କ ସହ ପିକିନିକ୍ ପାର୍ଟିର ମଜା ଉଠାଉଛନ୍ତି । ଆଉ ଏଭଳି ସମୟରେ ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ଝିଅ ମାନଙ୍କୁ ଛୋଟ ପୋଷାକ ନ ପିନ୍ଧିବାକୁ ପରାମର୍ଶ ଦେଇଛି ପୋଲିସ । ସୂଚନା ଅନୁଯାୟୀ, ନୂଆବର୍ଷ ପୂର୍ବରୁ ବଡୋଦରା ପୋଲିସ ମହିଳାମାନଙ୍କ ସୁରକ୍ଷା ପାଇଁ ଜାରି କରିଥିବା ଗାଇଡଲାଇନରେ ଏଭଳି ପରାମର୍ଶ ଦେଇଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି: ଲୋକେ ଏମିତି କିଛି କାମ କରନ୍ତୁ ନାହିଁ ଯାହା ପିଲାଙ୍କ ଉପରେ ଏବଂ ସୁସଂସ୍କାରୀ ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ନାରୀମାନଙ୍କ ସୁରକ୍ଷା ପାଇଁ କ’ଣ କରିବା ଓ ନ କରିବା ଉଚିତ- ସେ ତାଲିକାରେ ଏକଥା ଉପରେ ଆଲୋକପାତ କରିଛି ପୁଲିସ।

ବଡ଼ୋଦରା ପୁଲିସ କମିସନର ଅନୁପମ ସିଂହ ଘାଲୌଟ୍ ଜାରି କରିଥିବା ବିଜ୍ଞପ୍ତିରେ ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ ଓ ବିଶୃଙ୍ଖଳ ଆଚରଣ ନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତିବର୍ଷ ନବବର୍ଷକୁ ସ୍ୱାଗତ କରିବା ନିମନ୍ତେ ଡିସେମ୍ବର ୩୧ ତାରିଖ ପାଳନ କରିବା ବାହାନାରେ ଅସାମାଜିକ ତତ୍ତ୍ୱମାନେ ନିଜେ ବା ସେମାନଙ୍କ ଚିହ୍ନାପରିଚୟ ଲୋକମାନଙ୍କ ଦ୍ୱାରା ନାନା ପ୍ରକାରର ପାର୍ଟି ଆୟୋଜନ କରୁଛନ୍ତି। ଏହି ପାର୍ଟିରେ ନିଶାମିଶ୍ରିତ ପାନୀୟ, ଅଶୋଭନୀୟ ଆଚରଣ ଓ ଭଙ୍ଗୀ ଆଦି ଚାଲୁଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ରାତି ୧୦ଟା ପରେ ଡାକବାଜି ଯନ୍ତ୍ର ବଜାଇବା ଓ ଆତସବାଜି ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି। ପାର୍ଟି ଆୟୋଜନ କରୁଥିବା ଲୋକେ ସିସିଟିଭି କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି।ଏସବୁ ବାଦ୍ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଅଶୋଭନୀୟ ଓ ଅଶାଳୀନ ଢଙ୍ଗରେ ‘ଅଙ୍ଗ ପ୍ରଦର୍ଶନ’ ହେଉଛି ବଡ଼ ଗର୍ହିତ କଥା। ଏହାକୁ ନିଷିଦ୍ଧ କରାଯିବାର କାରଣ ହେଉଛି, ତାହା ପିଲାମାନଙ୍କ ଉପରେ କୁପ୍ରଭାବ ପକାଏ। କିନ୍ତୁ ଏହା କେଉଁ ପ୍ରକାର ଅଙ୍ଗ ପ୍ରଦର୍ଶନ ତାହା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇ ନାହିଁ।