ସୁଧୁରୁନି ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ! ପୂରଣ ହେଉନି ଖାଲି ପଡ଼ିଥିବା ପଦବୀ

153

କନକ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ବବିଦ୍ୟାଳୟ ଓ ୬୫୦ ଡିଗ୍ରି କଲେଜରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ବିଗୁଡ଼ୁଛି । ଦୀର୍ଘ ଦିନ ହେଲା ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ପଡ଼ିଥିଲେ ମଧ୍ୟ ପୂରଣ ହେଉନି । ଏବର୍ଷ ପୂରଣ କରାଯିବ । ଆସନ୍ତା ବର୍ଷ ସୁଦ୍ଧା ପୂରଣ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ କହୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଦବିଗୁଡ଼ିକ ପୂରଣ ହୋଇନି । ଏମିତି କି ଖୋ‌ଦ୍‌ ଉଚ୍ଚଶିକ୍ଷା ମନ୍ତ୍ରୀ ଗତ ବିଧାନସଭା ଅଧିବେଶନ ସମୟରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ବିଶ୍ବବିଦ୍ୟାଳୟଗୁଡ଼ିକରେ ୭୦୦ରୁ ଅଧିକ ଓ କଲେଜଗୁଡ଼ିକରେ ୩ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି । ସେଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି । ହେଲେ ଏବେ ବି ପଦଗୁଡ଼ିକ ଯେମିତି ଖାଲି ପଡ଼ିଥିଲା ସେମିତି ରହିଛି । ବରଂ ପ୍ରତି ମାସରେ ୧୦ରୁ ୧୫ ଜଣ ଅଧ୍ୟାପକ ଅବସର ନେଉଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ।

ଗତ ଅକ୍ଟୋବର ମାସରେ ଉଚ୍ଚଶିକ୍ଷା ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ ବିଭାଗ ଅଧୀନରେ ଥିବା ଅଧିକାଂଶ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ସରକାରୀ ଡିଗ୍ରି କଲେଜଗୁଡ଼ିକ ପାଇଁ ୨୩୦୬ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ଥିବା ବେଳେ ସେଥିରେ ଏବେ ୧୦୨୨ ଜଣ ଅଧ୍ୟାପକ ଓ ଅଧ୍ୟାପିକା ରହିଛନ୍ତି । ୫୨ଟି ସରକାରୀ ଡିଗ୍ରି କଲେଜରେ ୧୨୮୪ଟି ଶିକ୍ଷକ ପଦ ଖାଲିଥିବାରୁ ୧୨୩ ଜଣ ଆଡହକ୍‌ ଓ ଅତିଥି ଅଧ୍ୟାପକ ନିୟୋଜିତ ହୋଇଛନ୍ତି ।

୧୬୧ଟି ନିୟମିତ ଅଧ୍ୟାପକ ପଦ ଚୟନ ଲାଗି ଲୋକସେବା ଆୟୋଗକୁ କୁହାଯାଇଛି । ୫୨ ସରକାରୀ କଲେଜ ଲାଗି ୨୨୯୯ ଅଣଶିକ୍ଷକ ପଦ ମଞ୍ଜୁରୀ ହୋଇଥିବା ବେଳେ ସେଥିରେ ମାତ୍ର ୧୧୩୪ ଜଣ କାର‌୍ୟ୍ୟରତ ରହିଛନ୍ତି । ସେହିପରି ଅନୁଦାନପ୍ରାପ୍ତ ୫୯୮ଟି ବେସରକାରୀ ଡିଗ୍ରି କଲେଜରେ କେଉଁଠି ବି ନିୟମିତ ଅଧ୍ୟାପକ ନାହାନ୍ତି । ଏହି କଲେଜଗୁଡ଼ିକରେ ୬୨୬୪ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ଥିବା ବେଳେ ୧୬୬୬ଟି ଖାଲି ରହିଛି । ୩୬୯୮ ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ମଧ୍ୟରୁ ୧୦୯୮ଟି ଖାଲି ପଡ଼ିଛି ।

image courtesy-http://zeenews.india.com

ଅନ୍ୟପକ୍ଷରେ ଏପ୍ରିଲ ମାସରେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ୱବିଦ୍ୟାଳୟରେ ୭୦୦ରୁ ଅଧିକ ଶିକ୍ଷକ ଓ ୧୨୦୦ ଅଣଶିକ୍ଷକ ପଦ ଖାଲି ପଡ଼ିଛି । ରେଭେନ୍ସା ବିଶ୍ବବିଦ୍ୟାଳୟରେ ସବୁଠାରୁ ଅଧିକ ୧୭୦ଟି ଶିକ୍ଷକ ପଦବି ଖାଲି ଥିବା ବେଳେ ଉତ୍କଳରେ ୯୯, ବ୍ରହ୍ମପୁରରେ ୬୭, ସମ୍ବଲପୁରରେ ୪୬, ଉତ୍ତର ଓଡ଼ିଶାରେ ୧୨, ଫକୀର ମୋହନରେ ୧୦ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୨ଟି ଶିକ୍ଷକ ପଦବି ଖାଲି ପଡ଼ିଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ୨୧ଟି, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ୬୭ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ୪୨ଟି ନୂତନ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି ।

ରମାଦେବୀ ସ୍ୱୟଂଶାସିତ ଓ ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷକ ପଦବି ଉଚ୍ଛେଦ ସହିତ ଯଥାକ୍ରମେ ୭୧ ଓ ୧୧୬ଟି ଶିକ୍ଷକ ପଦବି ସୃଷ୍ଟି କରାଯାଇଛି । ଏହି ଦୁଇ ବିଶ୍ୱବିଦ୍ୟାଳୟ ଲାଗି ୨୨୧ ଟି ଅଣଶିକ୍ଷକ ପଦ ସୃଷ୍ଟି ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଉତ୍ତରରେ କହିଥିଲେ । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୫୪୩ଟି ଅଣଶିକ୍ଷକ ପଦବି ଖାଲି ଥିବା ବେଳେ ସମ୍ବଲପୁରରେ ୩୧୬, ବ୍ରହ୍ମପୁରରେ ୧୯୧, ରେଭେନ୍ସାରେ ୪୪, ଉତ୍ତର ଓଡ଼ିଶାରେ ୪୭, ଫକୀର ମୋହନରେ ୧୯ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୬ଟି ଅଣଶିକ୍ଷକ ପଦବି ଖାଲି ପଡ଼ିଛି ।

୨୦୧୫ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଲାଗି ଏଯାବତ୍‌ କୌଣସି ଶିକ୍ଷକ ଓ ଅଣଶିକ୍ଷକ ପଦବି ସୃଷ୍ଟି କରାଯାଇ ନଥିବା ମନ୍ତ୍ରୀ ଶ୍ରୀ ଦାସ ବିଧାନସଭାରେ ସୂଚନା‌ ଦେଇଥିଲେ । ଏହାପରେ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ୟୁଜିସି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ତେଣୁ ପଦଗୁଡ଼ିକ ଯେମିତି ଖାଲି ଥିଲା ସେମିତି ରହିଛି ।

plus two exam

ଗଣମାଧ୍ୟମ‌କୁ ସୂଚନା ଦେଇ ମନ୍ତ୍ରୀ ପୁଣିଥରେ ପୁରୁଣା କଥା ଦୋହରାଇଛନ୍ତି । ସେ କହିଛନ୍ତି ଯେ ଡିଗ୍ରି କଲେଜରେ ଏପର୍ଯ୍ୟନ୍ତ ୪୦୭ଟି ପଦରେ ନିଯୁକ୍ତି ଦିଆଯାଇଛି । ୪୨୬ ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ମଧ୍ୟମରେ ୧୬୨୫ ଜଣ ଅଧ୍ୟାପକ ନିଯୁକ୍ତି ଦିଆଯାଇଛି। ୮୩୩ ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ବିଶ୍ବବିଦ୍ୟାଳୟରେ ଖାଲିଥିବା ୩୧୭ଟି ସହଯୋଗୀ ଓ ସହକାରୀ ପ୍ରଫେସର ପଦ ପୂରଣ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହୋଇଛି । କିନ୍ତୁ ପୂରଣ ହୋଇ ନଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।