ରାଜନୀତିରୁ ସନ୍ନ୍ୟାସ ନେବେ! ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାରେ ସୁଜ୍ଞାନ

46

କନକ ବ୍ୟୁରୋ : ଓଡ଼ିଶାରେ ସର୍ବାଧିକ ଥର ବିଧାନସଭାକୁ ନିର୍ବାଚିତ ହେବାର ଗୌରବ ଅର୍ଜନ କରିଥିବା ଖଲ୍ଲିକୋଟ ରାଣୀ ସାହେବା ତଥା କବିସୂର୍ଯ୍ୟନଗର ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ୮୦ତମ ଜୟନ୍ତୀ ଅବସରରେ ଚାରି ଦିନିଆ ସମାରୋହ ଆଜିଠାରୁ ଆରମ୍ଭ ହୋଇଛି । ଜୟନ୍ତୀ ପାଳନ ସମିତି ପକ୍ଷରୁ ଖଲ୍ଲିାକୋଟ ଯୁବରାଜ ବଙ୍ଗଳାରେ ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମର ପ୍ରଥମ ତିନି ଦିନ ରକ୍ତଦାନ ଶିବିର ଆୟୋଜନ ସହିତ ଦୀପଦାନ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୫ ତାରିଖରେ ଯୁବରାଜ ବଙ୍ଗଳାରେ ସୁଜ୍ଞାନଙ୍କ ୮୦ତମ ଜୟନ୍ତୀ ମହୋତ୍ସବ ପାଳିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଆମନ୍ତ୍ରଣ କରାଯାଇଛି ।

ହେଲେ ଭବ୍ୟ ଜୟନ୍ତୀ ସମାରୋହ ଅବ୍ୟବହିତ ପୂର୍ବରୁ ସୁଜ୍ଞାନଙ୍କୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ରାଣୀଙ୍କ ୮୦ ତମ ଜୟନ୍ତୀ ଉତ୍ସବକୁ ନେଇ କର୍ମୀ ମହଲରେ ବେଶ୍‌ ଉତ୍ସାହ ଦେଖାଦେଇଛି । ହେଲେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ଭିନ୍ନ ଏକ ଚର୍ଚ୍ଚା ହେଉଛି, କୁଆଡ଼େ ରାଣୀ ଜୟନ୍ତୀ ଉତ୍ସବ ଅବସରରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବେ । ରାଣୀଙ୍କ ନିକଟତମ ମହଲ କିନ୍ତୁ ଏହାକୁ ଗ୍ରହଣ କରିନାହାନ୍ତି । ଏହା ଗୁଜବ, ଅବସର ଘୋଷଣା ନେଇ ସେଭଳି କିଛି ସମ୍ଭାବନା ନଥିବା ସମର୍ଥକମାନେ କହିଛନ୍ତି । ଅନ୍ୟପକ୍ଷରେ ରାଣୀ ନିଜର ମହାନତା ଦେଖାଇ ଅପ୍ରତ୍ୟାଶିତ ଭାବେ ଏଭଳି ଘୋଷଣା କରିପାରନ୍ତି ବୋଲି ମଧ୍ୟ କିଛି ଲୋକ କହୁଛନ୍ତି ।

ତେବେ ରାଣୀ ଏଭଳି କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ନେଇ ମଧ୍ୟ ଆଲୋଚନା ହେଉଛି। ବୟସାଧିକ୍ୟ ଯୋଗୁଁ ରାଣୀ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ, ତେଣୁ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ନିଜର ନିକଟତମଙ୍କୁ ଉତ୍ତର ଦାୟିତ୍ୱ ଦେବା କଥା ଚିନ୍ତା କରୁଥାଇ ପାରନ୍ତି ବୋଲି ରାଜନୈତିକ ବିଶାରଦ ମତ ରଖିଛନ୍ତି । ତେବେ ତାଙ୍କର ଉତ୍ତରଦାୟିତ୍ୱ କିଏ ନେବେ? କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀବାସୀ ରାଣୀଙ୍କ ବିକଳ୍ପ ଯିଏ ହେବେ ତାଙ୍କୁ ଗ୍ରହଣ କରିବେ କି ନାହିଁ ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହାଛଡ଼ା ରାଣୀଙ୍କ ସନ୍ନ୍ୟାସ ଚର୍ଚ୍ଚା ପଛରେ ଆଉ ଏକ କାରଣ ମଧ୍ୟ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ସୋସିଆଲ୍‌ ମିଡ଼ିଆରେ ଏ ଖବର ପ୍ରଚାର ହେବା ପରେ ସାଧାରଣରେ କ’ଣ ପ୍ରତିକ୍ରିୟା ହେଉଛି ତାହା ଅନୁଧ୍ୟାନ କରିବା ଏହି ପ୍ରଚାରର ଉଦ୍ଦେଶ୍ୟ ମଧ୍ୟ ହୋଇପାରେ ବୋଲି ରାଜନୈତିକ ବିଶ୍ଳେଷକ ମାନେ କହୁଛନ୍ତି।

ପ୍ରକାଶ ଯେ, ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ରାଣୀ ଖଲ୍ଲିକୋଟ ବିଧାନସଭା ଆସନରୁ ଲଗାତର ୭ ଥର ବିଧାୟିକା ହେବା ପରେ ଗତ ୨୦୦୯ରୁ କବିସୂର୍ଯ୍ୟନଗରରୁ ପ୍ରତିଦ୍ୱନ୍ଦ୍ୱିତା କରି ଦୁଇଥର ବିଧାୟିକା ହୋଇଛନ୍ତି । ଅପ୍ରତିଦ୍ୱନ୍ଦ୍ୱୀ ସୁଜ୍ଞାନ ଓଡ଼ିଶାର ଅନ୍ୟତମ ସଫଳ ରାଜନେତାର ମାନ୍ୟତା ପାଇଛନ୍ତି । ସରକାରୀ ରେକର୍ଡ଼ରେ ୧୯୩୭ ମସିହାରେ ଜନ୍ମ ଗ୍ରହଣ କରିଥିଲ ରାଣୀ ସୁଜ୍ଞାନ । ତେବେ ଓଡ଼ିଶାର ସବୁଠୁ ଏହି ବୟସ୍କା ବିଧାୟିକାକୁ ନେଇ ନାନା ପ୍ରକାର କଳ୍ପନାଜଳ୍ପନା ଦେଖାଦେଇଛି ।