୨୦୨୨ ମିଶନ ମହାକାଶ ! ମହିଳା ବୈଜ୍ଞାନିକଙ୍କ ହାତରେ ମୋଦିଙ୍କ ସ୍ୱପ୍ନ , ଜାଣନ୍ତୁ କିଏ ଏହି ମହିଳା

66

୭୨ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ‘ଗଗନାୟାନ’ ମିଶନର ଘୋଷଣା କରିଥିଲେ ନରେନ୍ଦ୍ର ମୋଦି । ଏହି ସ୍ୱଦେଶୀ ସ୍ପେଶପ୍ରୋଗାମ ମିଶନ ଜରିଆରେ ୨୦୨୨ ସୁଦ୍ଧା ମହକାଶକୁ ନିଜସ୍ୱ ଯାନରେ ମଣିଷ ପଠାଇବ ଭାରତ । ମୋଦିଙ୍କ ଏହି ଡ୍ରିମ ପ୍ରୋଜେକ୍ଟର ଦାୟିତ୍ୱ ଏବେ ଜଣ ମହିଳାଙ୍କ ହାତରେ । ଯାହାଙ୍କ ନେତୃତ୍ୱରେ ମହାକାଶକୁ ନିଜସ୍ୱ ଯାନରେ ବୈଜ୍ଞାନିକ ପଠାଇବ ଭାରତ । ମହିଳାଙ୍କୁ ଏହି ମିଶନର ଦାୟିତ୍ୱ ଦେଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ସରକାର । ଆଉ ସେହି ମହିଳା ଜଣଙ୍କ ହେଉଛନ୍ତି ବିଆର ଲଳିତାମ୍ବିକା ।

ବିଆର ଲଳିତାମ୍ବିକା ପୂର୍ବରୁ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସିଛନ୍ତି । ତାଙ୍କରି ନେତୃତ୍ୱରେ ହିଁ ଭାରତ ୧୦୪ଟି ସାଟେଲାଇଟ ଏକା ସଙ୍ଗରେ ଲଞ୍ଚ କରି ରେକର୍ଡ ସୃଷ୍ଟି କରିଥିଲା । ଆଉ ଏଥିପାଇଁ ବିଶ୍ୱ ସ୍ତରରୁ ତାଙ୍କୁ ପ୍ରଂଶସିତ କରାଯାଇଥିଲା । ଲଳିତାମ୍ବିକା ରକେଟ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଦୀର୍ଘ ୩୦ ବର୍ଷ ଧରି ସେ ଇସ୍ରୋ ସହ କାମ କରି ଆସୁଛନ୍ତି । ୧୯୮୮ ମସିହାରେ ବିକ୍ରମ ସାରାଭାଇ ସେଣ୍ଟରରେ କ୍ୟାରିଅର ଆରମ୍ଭ କରିଥିବା ଲଳିତାମ୍ବିକା କଣ୍ଟ୍ରୋଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ଖୁବଶୀଘ୍ର ଲଳିତାମ୍ବିକା ଏହି ମିଶନ ପାଇଁ ଟିମ ଚୟନ କରିବେ ଓ ଦୁଇ ମାସ ମଧ୍ୟରେ ପ୍ରଥମ ପ୍ରୋଜେକ୍ଟର ରିପୋର୍ଟ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଗନାୟାନର ଘୋଷଣା ପରେ ଇସ୍ରୋ ଏହି ନିଷ୍ପତିକୁ ସ୍ୱାଗତ କରିଥିଲା । ଇସ୍ରୋ ଚେୟାରମ୍ୟାନ କେ. ଶିବନ କହିଥିଲେ ଏହା ଦେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ତେବେ ଏହି ମିଶନକୁ ପୂରା କରିବାକୁ ପ୍ରାୟ ୧୦ ହଜାର କୋଟି ଖର୍ଚ୍ଚ ହେବ । ଯଦି ୨୦୨୨ ସୁଦ୍ଧା ଭାରତର ଏହି ମିଶନ ସଫଳ ହୁଏ ତେବେ ମହାକାଶକୁ ନିଜସ୍ୱ ଯାନରେ ମଣିଷ ପଠାଇବାରେ ଚତୁର୍ଥ ଦେଶ ଭାବେ ରେକର୍ଡ କରିବ ଭାରତ । ଏହାପୂର୍ବରୁ ସୋଭିୟତ ୟୁନିୟନ, ଆମେରିକା ଓ ଚୀନ ନିଜର ଯାନକୁ ମହାକାଶକୁ ପଠାଇ ସାରିଛନ୍ତି ।