ମୃତ୍ୟୁ ଉପରେ ବିଜୟ ପାଇବାକୁ ପ୍ରୟାସ : ସଂଜିବନୀ ବୁଟି ଖୋଜିବା ପାଇଁ ଉତରାଖଣ୍ଡ ସରକାରଙ୍କ ସ୍ୱତନ୍ତ୍ର ଟିମ୍

74

କନକ ବ୍ୟୁରୋ : ଆଉ ମରିବନି ମଣିଷ! ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଉତରାଖଣ୍ଡ ସରକାର। ହିମାଳୟ ପାଦଦେଶରେ ମୃତ ସଂଜିବନୀ ବୁଟି ଖୋଜିବା ପାଇଁ ଗଠନ କରିଛନ୍ତି ସ୍ୱତନ୍ତ୍ର ଟିମ୍ । ଆୟୁଷ ବିଭାଗ ଆରମ୍ଭ କରି ଦେଇଛି ସଂଜିବନୀ ବୁଟି ଖୋଜା ଅଭିଯାନ। ସଂଜିବନୀ ବୁଟି ଖୋଜିବା ପାଇଁ ହରିଶ ରାଓତଙ୍କ ସରକାର ଖର୍ଚ୍ଚ କରିବେ ୨୫ କୋଟି ଟଙ୍କା । ରାମାୟଣରେ ବର୍ଣ୍ଣିତ ଏହି ସଂଜିବନୀ ବୁଟି ଜଣେ ମରିଥିବା ଲୋକଙ୍କୁ ବଂଚାଇବାର ଶକ୍ତି ରହିଛି ବୋଲି କୁହାଯାଏ । ଶକ୍ତିଭେଦ ପରେ ମୃତ ପ୍ରାୟ ଲକ୍ଷ୍ମଣଙ୍କୁ ବଂଚାଇ ଦେଇଥିଲା ଏହି ସଂଜିବନୀ ବୁଟି । ବର୍ଣ୍ଣନା ରହିଛି, ବିଶଲ୍ୟକରଣୀ ଓ ସଂଜିବନୀ ବୁଟି ଚିହ୍ନି ନପାରି ଗନ୍ଧମାର୍ଦ୍ଧନ ପର୍ବତକୁ ସିଧା ଓପାଡି ନେଇ ଆସିଥିଲେ । ତେବେ ଉତରାଖଣ୍ଡର ଆୟୁଷ ବିଭାଗ, ଚମେଲୀ ଜିଲ୍ଲାର ଦ୍ରୋଣାଗିରୀ ରେଂଜରେ ଏହି ପୌରାଣିକ ମହୋଷଧୀକୁ ଖୋଜିବା ପାଇଁ ଅଂଟା ଭିଡିଛି । ଅଗଷ୍ଟ ମାସରୁ ଏହି ଅଭିଯାନ ଆରମ୍ଭ ହେବ, ଏ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ହିମାଳୟ ପାଦଦେଶରେ ସଂଜିବନୀ ବୁଟି ଖୋଜିବା କଷ୍ଟକର କାର୍ଯ୍ୟ ବୋଲି ସ୍ୱୀକାର କରିଛନ୍ତି ଉତରାଖଣ୍ଡ ସରକାର । ତେବେ ଏହି ଜଡିବୁଟିର ଜୀବନ ରକ୍ଷକ ଗୁଣ ରହିଛି ବୋଲି କହିଛନ୍ତି ବହୁ ଆୟୁର୍ବେଦ ଗବେଷକ । ଅମର ହେବା ପାଇଁ ମଣିଷର ପ୍ରୟାସ କାହିଁ କେତେ କାଳୁ ଚାଲି ଆସିଛି । ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁକୁ ଜୟ କରିପାରିନି ମଣିଷ । ଉତରାଖଣ୍ଡ ସରକାରଙ୍କ ଏହି ପ୍ରୟାସ କେତେ ସଫଳ ହେବ, ତାହା ତ ଭବିଷ୍ୟତ କହିବ। ହେଲେ ଯଦି ଏହି ପ୍ରୟାସ ସଫଳ ହେବ, ଆଉ ମଣିଷ ଅମର ହୋଇଯିବ; ତେବେ ତାର ପ୍ରଭାବ ସମାଜ ଉପରେ କିଭଳି ପଡିବ , ତାହା ଆଉ ଏକ ବିତର୍କିତ ପ୍ରସଙ୍ଗ।