ବାପ-ପୁଅଙ୍କ ମଧ୍ୟରେ ସାଇକେଲ ରେସ୍ ! ନିର୍ବାଚନୀ ଚିହ୍ନକୁ ନେଇ ଚାଲିଛି ବଳ କଷାକଷି

30

କନକ ବ୍ୟୁରୋ : ବାପ-ପୁଅଙ୍କ ମଧ୍ୟରେ ସାଇକେଲ ରେସ୍ । ମୂଲାୟମ ସିଂହ ଯାଦବଙ୍କୁ ଗାଦିଚ୍ୟୁତ କରିବା ପରେ ଏବେ ଦଳର ନିର୍ବାଚନୀ ଚିହ୍ନକୁ ନେଇ ଚାଲିଛି ବଳ କଷାକଷି । ସାଇକେଲ ଚିହ୍ନରେ ନିଜର ଦାବି ରଖୁଛନ୍ତି ଉଭୟ ମୂଲାୟମ ସିଂହ ଯାଦବ ଓ ଅଖିଳେଶ ଯାଦବ ।

ସମାଜବାଦୀ ପାର୍ଟିରେ ଚାଲିଥିବା ବିବାଦ ମଧ୍ୟରେ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି ନେତା ଓ ଅଖିଳେଶଙ୍କ ସମର୍ଥକ । ଏମାନଙ୍କ ମଧ୍ୟରେ ରହିଛନ୍ତି ରାମଗୋପାଳ ଯାଦବ, ନରେଶ ଅଗ୍ରୱାଲ ଓ କିରଣମୟ ନନ୍ଦ ।

୯୦ପ୍ରତିଶତ ବିଧାୟକ ଅଖିଳେଶଙ୍କ ସମର୍ଥନରେ ଥିବାରୁ ପାର୍ଟି ଉପରେ ଅଧିକାର ରହିଥିବା ନିର୍ବାଚନ କମିସନଙ୍କୁ କହିଛନ୍ତି ନରେଶ ଅଗ୍ରୱାଲ । ଗତକାଲି ମୂଲାୟମ ସିଂହ ଯାଦବ ନିର୍ବାଚନ କମିସନଙ୍କୁ ସାକ୍ଷାତ କରିଥିଲେ । ବାପ-ପୁଅଙ୍କ ଭିତରେ ଲାଗିଥିବା ବିବାଦର ସମାଧାନ ପାଇଁ ବରିଷ୍ଠ ନେତା ଆଜମ ଖାନ୍ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନ ହୋଇପାରିନାହିଁ ।

ବିବାଦକୁ ନେଇ ଚିନ୍ତା ଥିଲେ ମଧ୍ୟ ଆହୁରୀ ସମୟ ଅଛି କିଛି ବି ପରିବର୍ତନ ଆସିପାରେ ବୋଲି ଆଜମ ଖାନ୍ କହିଛନ୍ତି । ସେପଟେ ମୂଲାୟମ ସିଂହ ଯାଦବଙ୍କ ଦ୍ୱାରା ସମାଜବାଦୀ ପାର୍ଟିରୁ ବହିଷ୍କାର ହୋଇଥିବା କିରନମୟ ନନ୍ଦା ନୂଆ ଅଭିଯୋଗ ଆଣିଛନ୍ତି ।

ଜାନୁଆରୀ ୧ତାରିଖରେ ଜାରି କରାଯାଇଥିବା ଦୁଇଟି ପତ୍ରରେ ମୂଲାୟମଙ୍କ ଭିନ୍ନ ଭିନ୍ନ ଦୁଇଠି ଦସ୍ତଖତ ଥିବା କିରଣମୟ ଅଭିଯୋଗ ଆଣିଛନ୍ତି । ତାଙ୍କର ଏହି ଅଭିଯୋଗ ପରେ ମୁଲାୟମଙ୍କ ଦସ୍ତଖତକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି ।