ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ ଖାଇକୁ ଖସି ୧୩ ମୃତ, ୯ ଆହତ

42

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଟିହରି ଜିଲ୍ଲାରେ ଏକ ଯାତ୍ରୀବାହି ବସ ୨୫୦ ମିଟର ଖାଇକୁ ଖସି ପଡିବାରୁ ଘଟଣା ସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ତେବେ ଘଟଣାଟି ହୃଷିକେଶ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ହୋଇଥିବା ସୂଚନା ମିଳିଛି । ତେବେ ଖବର ପାଇଲାପରେ ସ୍ଥାନୀୟ ପୋଲିସ ଓ ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ବସଟି ସେଠାକାର ରାଜ୍ୟ ସରକାରଙ୍କ ହୋଇଥିବା ଜଣା ପଡିଛି ।

ବସଟି ପାହାଡ ବା ଖାଇର ୨୫୦ ଫୁଟ ତଳକୁ ଖସି ପଡିଥିଲା । ଏତେ ତଳେ ପଡିଥିବା ସହ ପାଗ ଭଳନଥିବାରୁ ଲୋକମାନଙ୍କୁ ଉଦ୍ଧାର କରାଯିବାରେ ଡେରି ହୋଇଥିଲା । ତଥାପି ସେଠାକାର ପୋଲିସ, ଦମକଳ ବାହିନୀ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି । ଏପଟେ ସରକାରଙ୍କ ପକ୍ଷରୁ ମୃତ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯିବା ସହ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଦେବା ପାଇଁ ଘୋଷଣା କରାଯାଇଛି । ଦୁର୍ଘଟଣା କିପରି ହେଲା ଓ ଏଥି ଲାଗି କେଉଁ ମାନେ ଦାୟୀ ତାହାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବା ଲାଗି ଜଣେ ମାଜିଷ୍ଟେଟଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି । ତେବେ କେତେକ ସ୍ଥାନୀୟ ଲୋକ ଓ ଆହତଙ୍କ କହିବା ଅନୁଯାୟୀ ବସଟି ହଠାତ ଏକ ବଙ୍କାଣି ଅତିକ୍ରମ କଲୋବେଳେ ଦୁର୍ଘଟଣା ଘଟିଲା । କେହି କିଛି ବୁଝିବା ଆଗରୁ ୧୩ ମୂଲ୍ୟବାନ ଜୀବନ ଦୀପ ଲିଭିଗଲା ବୋଲି ସେମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।