ଉତ୍ତରପ୍ରଦେଶରେ ବଦଳୁଛି ରାଜନୈତିକ ସମୀକରଣ: ପୋଷ୍ଟରରେ ପ୍ରିୟଙ୍କାଙ୍କ ସହ ଡିମ୍ପଲଙ୍କ ଫଟୋକୁ ନେଇ ଚର୍ଚ୍ଚା

22

କନକ ବ୍ୟୁରୋ : ‘ମହିଲାଓଁକା ୟୁପି ମେ ବଜେଗା ଡଙ୍କା, ଜବ ସାଥ ଆୟେଙ୍ଗି ଡିମ୍ପଲ ଔର ପ୍ରିୟଙ୍କା’ । ଏଭଳି ସ୍ଲୋଗାନ ଥାଇ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ସହ ପୋଷ୍ଟର ଦେଖିବାକୁ ମିଳିଛି ଆହ୍ଲାବାଦରେ । ଏଥିରୁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଂଟ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୈତିକ ସଂକଟର ସାମ୍ନା କରୁଥିବା ଅଖିଳେଶ ଗୋଷ୍ଠୀ ଉତ୍ତରପ୍ରଦେଶରେ କଂଗ୍ରେସର ହାତ ଧରି ବିଧାନସଭା ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି ।

ବାପା ମୁଲାୟମଙ୍କ ବିରୋଧରେ ବିଦ୍ରୋହର ଡାକରା ଦେଇ ସଂକଟରେ ଫସି ଯାଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବ । ଆଉ ସରକାର ବିରୋଧୀ ହାୱାକୁ କାଉଂଟର କରିବା ପାଇଁ କଂଗ୍ରେସର ସହଯୋଗ ଲୋଡୁଛନ୍ତି । ସେଥିପାଇଁ ପତ୍ନୀ ତଥା କନୌଜ ସାଂସଦ ଡିମ୍ପଲ ଯାଦବଙ୍କୁ ଆଗକୁ କରିଛନ୍ତି । ପ୍ରାକ ନିର୍ବାଚନୀ ମେଂଟ ପାଇଁ କଂଗ୍ରେସକୁ ରାଜି କରିବାକୁ ପ୍ରିୟଙ୍କ ଗାନ୍ଧୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଡିମ୍ପଲ ଯାଦବ ।

ଏପଟେ ନିଜେ ମଧ୍ୟ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଅଖିଳେଶ ଯାଦବ । ୟୁପିରେ ଦୁଇ ମହିଳା ଡିମ୍ପଲ ଓ ପ୍ରିୟଙ୍କାଙ୍କୁ ଆଗକୁ କରି ନିର୍ବାଚନ ଜିତିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ହେଲେ ଏଭଳି ସମୀକରଣକୁ ଅପସନ୍ଦ କରୁଛନ୍ତି କିଛି ଭେଟେରାନ କଂଗ୍ରେସ ନେତା । ଗୁଲାମ ନବୀ ଆଜାଦ, ରାଜ ବବ୍ୱର ଓ ପି.ଏଲ. ପୁନିଆଙ୍କ ପରି ନେତା ମେଂଟ ପ୍ରସ୍ତାବ ବିରୋଧରେ ଥିବା ସୂଚନା ମିଳିଛି ।

ସେପଟେ ଦଳୀୟ ଚିହ୍ନ ସାଇକେଲକୁ ନେଇ ବି ଦ୍ୱନ୍ଦ୍ୱ ଏଯାଏଁ ଟଳିନାହିଁ । ବଲ ଏବେ ନିର୍ବାଚନ କମିଶନଙ୍କ କୋର୍ଟରେ । ସମାଜବାଦୀ ପାର୍ଟିରେ ଦେଖାଦେଇଥିବା ପାରିବାରିକ କନ୍ଦଳରୁ ନିର୍ବାଚନୀ ଚିହ୍ନ କାହା ସପକ୍ଷରେ ଯିବ, ତାହା ସ୍ଥିର କରିବେ ଜାତୀୟ ନିର୍ବାଚନ କମିଶନ । ବିଧାନସଭା ଭୋଟକୁ ଆଉ ଅଳ୍ପଦିନ ବାକି ଥିବାବେଳେ ଅଖିଳେଶଙ୍କୁ ସାଇକେଲ ଚିହ୍ନରେ ଲଢିବା ପାଇଁ ସୁଯୋଗ ନମିଳିଲେ ବଡ କ୍ଷତି ସହିବାକୁ ପଡିପାରେ ।

ଏପଟେ କ୍ଷତି ସହୁଛନ୍ତି ପୋଷ୍ଟର ବ୍ୟବସାୟୀ । ଉତ୍ତରପ୍ରଦେଶରେ କେବଳ ସମାଜବାଦୀ ପାର୍ଟିର ସାଇକେଲ ଚିହ୍ନ ଥିବା ପୋଷ୍ଟର ବିକି ପ୍ରଚୁର ଲାଭ କରୁଥିଲେ ଦୋକାନୀ । ମୁଲାୟମ, ଅଖିଳେଶ ଓ ଡିମ୍ପଲଙ୍କ ଫଟୋ ସହିତ ପୋଷ୍ଟର ବି ପ୍ରସ୍ତୁତ କରିଥିଲେ । ହେଲେ ଏବେ ପରିବାର ବିବାଦ ଏମାନଙ୍କ ବେପାର ବୁଡାଇବାକୁ ବସିଛି । କାରଣ ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ ସାଇକେଲ ଚିହ୍ନ ମିଳିବ କି ନା, ତାକୁ ନେଇ ଦ୍ୱନ୍ଦ୍ୱ । ଆଉ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଷ୍ଟର ଛାପିଥିବା ବ୍ୟବସାୟୀ ବି ଆଶଙ୍କାରେ ଅଛନ୍ତି ।