ନୂଆଁ ସମୀକରଣ ସୃଷ୍ଟି କରିପାରେ ଉତରପ୍ରଦେଶ ନିର୍ବାଚନର ଫଳାଫଳ : ନୀତୀଶ-ନବୀନଙ୍କ ସାକ୍ଷାତ ପରେ ଆରମ୍ଭ ହେଲା ଚର୍ଚ୍ଚା

44

କନକ ବ୍ୟୁରୋ : ମଙ୍ଗଳବାର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଜନତା ଦଳର ବରିଷ୍ଠ ନେତା ଶରଦ ଯାଦବ । ବନ୍ଦ କୋଠରିରେ କଣ ଆଲୋଚନା ହେଲା, ସେ ନେଇ କିଛି ସ୍ପଷ୍ଟ ଚିତ୍ର ମିଳିନି । ହେଲେ ଏହାକୁ ପୁରୁଣା ଜନତା ଦଳ ପରିବାରର ପୁନଃଗଠନର ନାଁ ଦିଆଯାଇଛି । ଦିନେ ନବୀନ, ନୀତୀଶ ଓ ଶରଦ ଥିଲେ ଭାରତୀୟ ଜନତା ପାର୍ଟି ସହ । ହେଲେ ଏମାନେ ମୋଦି ବ୍ରିଗେଡ ସହ ନାହାନ୍ତି । ଜାତୀୟ ରାଜନୀତିରେ ଏମାନଙ୍କୁ ଅଣ-ବିଜେପି ଓ ଅଣ-କଂଗ୍ରେସ ଫୋର୍ସ୍ କୁହାଯାଏ ।

ନୀତୀଶ ଓ ନବୀନଙ୍କ ପରି ମୋଦି ବିରୋଧୀ ଝଡ ପଶ୍ଚିମବଙ୍ଗରେ ବି ବୋହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ ଦିଲ୍ଲୀ ଦରବାରରେ ମୋଦି ବିରୋଧୀ ନାରା ଦେଇଛନ୍ତି । ମୋଦିଙ୍କ ବିକାଶ ମନ୍ତ୍ରରେ ପୂର୍ବ ଭାରତକୁ ସ୍ୱତନ୍ତ୍ର ସ୍ଥାନ ମିଳିଛି । ହେଲେ ପୂର୍ବ ଭାରତରେ ନୀତିନ, ମମତା ଓ ନବୀନଙ୍କ ମିଳିତ ଝଡ କୌଣସି ମୁହୂର୍ତ୍ତରେ ବି ମୋଦି ଶିବରରେ କରି ପାରେ ତୁମ୍ପି ତୋଫାନ, ଏହାକୁ ଏଡାଇ ହେବ ନାହିଁ ।

ଦିନେ ବିଜେପି ସହ ଥାଇ ଏବେ ହାତ ଛାଡିଥିବା ରାଜନୈତିକ ଦଳଙ୍କ ଅଙ୍କକଶାକୁ ନେଇ ବିଜେପି ପ୍ରସ୍ତୁତ । ହେଲେ ଜାତୀୟ ରାଜନୀତିରେ ଆଂଚଳିକ ପରିସ୍ଥିତି ଦେଖି ଏମାନେ କଡ ଲେଉଟାନ୍ତି ବୋଲି ବିଜେପି କହିଛି । ନବୀନ ନିବାସରେ ଅଣ-ବିଜେପି ନେତାଙ୍କ ସହ ମେଳି କରି ନବୀନ ବିଜେପି ପାଇଁ ସତର୍କ ଘଂଟି ଦେଇଛନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

ମୋଦିଙ୍କ ନିର୍ବାଚନୀ କ୍ଷେତ୍ର ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏହି ବିଶାଳ ବିଧାନସଭାରେ ଯଦି ବିଜେପି ବିଜୟୀ ହୁଏ, ଜାତୀୟ ରାଜନୀତିରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହେବ । ଏହାକୁ ଦେଖି ଅନେକ ଆଂଚଳିକ ଦଳ କେନ୍ଦ୍ରରେ କାହା ଆଡକୁ ଢଳିବେ, ତାହା ସ୍ଥିର କରିବେ । ହେଲେ ନବୀନଙ୍କ ପରି ମମତା ଓ ନୀତିଶ ବି ରଖିଛନ୍ତି ଅଣ-ବିଜେପି ଓ ଅଣ-କଂଗ୍ରେସ ଆଭିମୁଖ୍ୟ । ଏପରି ସ୍ଥିତିରେ ଏହି ତିନି ଶକ୍ତି ମିଶି ଗଲେ, ମୋଦିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରି ପାରନ୍ତି ।