ଦୋହଲିଗଲା ବିଜେପି ଗଡ ! ଯୋଗୀଙ୍କୁ ଲାଗିଲା ବଡ ଝଟକା, ଉପନିର୍ବାଚନରେ ଉଭୟ ଆସନରେ ବିଜେପି ପଛୁଆ

50

ଉତ୍ତରପ୍ରଦେଶ ଓ ବିହାର ଉପନିର୍ବାଚନର ଫଳାଫଳ ଉପରେ ପୂରା ଦେଶର ନଜର ରହିଛି । ମୋଟ ୩ଟି ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କୁ ଲାଗିଛି ଜବରଦସ୍ତ ଝଟକା । ଦୋହଲିଯାଇଛି ଯୋଗୀଙ୍କ ଗଡ । ପ୍ରାରମ୍ଭିକ ରାଉଣ୍ଡ ଭୋଟ ଗଣତି ପରେ ଉଭୟ ଗୋରଖପୁର ଓ ଫୁଲପୁରରେ ପଛୁଆ ରହିଛି ବିଜେପି । ଗୋରଖପୁର ଆସନରୁ ଯୋଗୀ ୫ଥର ସାଂସଦ ଥିଲେ ସୁଦ୍ଧା ବିଜେପି ଏହି ଆସନରେ ପଛୁଆ ଚାଲିଛି । ଉଭୟ ଆସନରେ ଆଗୁଆ ରହିଛି ଏସପି-ବିଏସପି ମେଣ୍ଟ । ଯୋଗୀଙ୍କ ଗଡରେ ବିଜପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି । ସେହିଭଳି କେଶବ ପ୍ରସାଦ ମୋର୍ଯ୍ୟଙ୍କ ଗଡରେ ଏସପି ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ସେହିଭଳି ବିହାରରେ ଅରରିଆ ଲୋକସଭା ଆସନରେ ମଧ୍ୟ ପଛୁଆ ଚାଲିଛି ବିଜେପି । ଏଠାରେ ବିଜେପିକୁ କଡା ଟକ୍କର ଦେଉଛି ଆରଜେଡି । ଏହି ଉପନିର୍ବାଚନ ନୀତିଶଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । କାରଣ ବିହାରରେ ମହାମେଂଟ ଭାଙ୍ଗିବା ପରେ ପ୍ରଥମ ଉପନିର୍ବାଚନ ଫଳାଫଳ ଆଜି ଆସିବ ।୨୦୧୯ ସାଧାରଣ ନିର୍ବାଚନ ଆଗରୁ ଉପନିର୍ବାଚନ ଫଳାଫଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ୟୁପି ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ଏହା ପ୍ରଥମ ନିର୍ବାଚନ । ତେଣୁ ଏହାକୁ ଯୋଗୀ ସରକାରଙ୍କ ଲୋକପ୍ରିୟତାର ପରୀକ୍ଷା ବୋଲି ବିଚାର କରାଯାଉଛି । ଏହି ଦୁଇଟି ଆସନରେ ସମାଜବାଦୀ ପାର୍ଟିକୁ ସମର୍ଥନ କରୁଛି ବହୁଜନ ସମାଜବାଦ ପାର୍ଟୀ । ତେଣୁ ଆଜିର ଫଳାଫଳ ଅଖିଳେଶ ଯାଦବ ଓ ମାୟାବତୀଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି