ଘର ଭାରତରେ ହେଲେ ବିଦେଶରୁ କିଣାଯାଏ ସଉଦା । ବେଳେବେଳେ ହେଲିକପ୍ଟରରେ ପଠାଯାଏ ରାସନ

47

ଘର ଭାରତରେ ହେଲେ ସଉଦା ଆସିବ ବିଦେଶରୁ । ଆମେ କୌଣସି ବଡ ବଡିଆ ଲୋକଙ୍କ କଥା କହୁନାହୁଁ ବରଂ ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳ ସୀମାବର୍ତ୍ତୀ ଗାଁ ଗୁଡିକର ଆଦିବାସୀ ଲୋକଙ୍କ କଥା କହୁଛୁ । ଯେଉଁମାନେ ରାସନ ଆଣିବା ପାଇଁ ନେପାଳ ବଜାର ଉପରେ ନିର୍ଭର କରିଥାନ୍ତି । ସରକାରଙ୍କ ପକ୍ଷରୁ ମିଳୁଥିବା ରାସନର ପୂରା କୋଟା ଏମାନଙ୍କୁ ମିଳୁନଥିବାରୁ ଗହମ ଓ ବିଭିନ୍ନ ସଉଦା ପାଇଁ ଏମାନେ ନେପାଳ ବଜାରକୁ ଯାଇଥାନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଅଞ୍ଚଳ ପାଇଁ ବହୁତ କମ ରାସନ ଦିଆଯାଉଛି । ଯେଉଁଥିପାଇଁ ସେମାନଙ୍କୁ ନେପାଳ ବଜାରରେ ମିଳୁଥିବା ଚୀନ ସାମଗ୍ରୀ ଉପରେ ନିର୍ଭର କରିବାକୁ ପଡୁଛି । ଭାରତ ଓ ନେପାଳକୁ ଯୋଡୁଥିବା କାଳୀ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲ ପାର କରି ଏହି ଅଞ୍ଚଳର ବାସିନ୍ଦା ମାନେ ନେପାଳର ଟିଙ୍କର ଓ ଚାଙ୍ଗୁର ବଜାରରୁ ଆବଶ୍ୟକୀୟ ସାମଗ୍ରୀ କିଣିଥାନ୍ତି ।

ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ବାସିନ୍ଦା ମାନଙ୍କୁ ମାସକୁ ୫ କିଲୋ ଚାଉଳ ଓ ୨ କିଲୋ ଗହମ ଦିଆଯାଉଛି । ଯାହାକୁ ଏମାନଙ୍କ ଆବଶ୍ୟକତା ଠାରୁ ମଧ୍ୟ ବହୁତ କମ । ଏହାଛଡା ଏମାନଙ୍କୁ ପ୍ରତି ତିନି ମାସରେ ଥରେ ଲେଖାଏଁ ଏହି ରାସନ ମିଳିଥାଏ । ଏହି ଅଞ୍ଚଳର ଉପଜିଲ୍ଲାପାଳଙ୍କ ଆର କେ ପାଣ୍ଡେଙ୍କ କହିବା ଅନୁଯାୟୀ, ମୌସୁମୀ ଆସିବା ପୂର୍ବରୁ ଏମାନଙ୍କ ପାଇଁ ରାସନ ପଠା ଯାଇଥିଲା । ଏବେ ଆଗାମୀ ତିନି ମାସ ପାଇଁ ମଧ୍ୟ ରାସନ ହେଲିକପ୍ଟର ଦ୍ୱାରା ପଠାଯିବ । ଉକ୍ତ ଘାଟି ଅଞ୍ଚଳରେ ରାସ୍ତା କାମ ମରାମତି କରାଯାଉଥିବାରୁ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ହେଲିକପ୍ଟରର ସହାୟତା ନିଆଯାଇଥାଏ ।ଏଥିପାଇଁ ପ୍ରଶାସନ ସେନାର ସହାୟତା ନେଇଥାଏ ।