କାଠଫାଳିଆରେ ଛାତ୍ରଙ୍କୁ ନିସ୍ତୁକ ମାଡ ! କ୍ଲାସରୁମରେ ଫ୍ୟାନ ଲଗାଇବାକୁ କହିବାରୁ ଶିକ୍ଷକଙ୍କ ନାରକୀୟ କାଣ୍ଡ

24

କନକ ବ୍ୟୁରୋ : ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଥିବା ବେଳେ ନିକଟରେ ଏପରି ଘଟଣା ଘଟିଛି ଯାହା ଜାଣିଲେ ଆପଣ ସନ୍ଦେହରେ ପଡିଯିବେ ଯେ, ପ୍ରକୃତରେ ସ୍କୁଲ ଦଣ୍ଡମୁକ୍ତ ଅଂଚଳ ନା ଦଣ୍ଡଯୁକ୍ତ ଅଂଚଳ । ଏପରି ଏକ ଅଭାବନୀୟ ଘଟଣା ଗଟିଛି ଉତ୍ତରପ୍ରଦେଶ ଆହ୍ଲାବାଦର ରୁଦ୍ରପ୍ରୟାଗ ବିଦ୍ୟାମନ୍ଦିରର । ଯେଉଁଠି ଛାତ୍ରମାନଙ୍କୁ ନିସ୍ତୁକ ପିଟୁଛନ୍ତି ପ୍ରିନସିପାଲ । ଏକ ବଡ କାଠ ଫାଳିଆ ଧରି  ପ୍ରିନସିପାଲ ଜଣକ ଛାତ୍ର ମାନଙ୍କୁ ମନ ଇଚ୍ଛା ମାଡ ମାରିଛନ୍ତି । ତେବେ ଏହି ଛାତ୍ରମାନଙ୍କୁ ପ୍ରିନସିପାଲଙ୍କ ଏପରି ମାଡ ମାରିବା ପଛର କାରଣ ଜାଣିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମାନେ କୌଣସି ବଡ ଅପରାଧ କରିନଥିଲେ । ବରଂ ପ୍ରବଳ ଗରମ ଲାଗୁଥିବାରୁ କ୍ଲାସ ରୁମରେ ଫ୍ୟାନ୍ ଲଗାଇବାକୁ ଦାବି କରିଥିଲେ ଏହି ଛାତ୍ରମାନେ ।

ଯେଉଁଥି ପାଇଁ ପ୍ରବଳ ରାଗି ଯାଇଥିଲେ  ପ୍ରିନସିପାଲ । ଆଉ ଏକ କାଠ ଫାଳିଆ ଧରି ଛାତ୍ରଙ୍କୁ ପ୍ରବଳ ପିଟିଥିଲେ । ଯେଉଁଥିରେ ଜଣେ ଛାତ୍ର ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ତେବେ ପ୍ରିନସିପାଲଙ୍କ ଏପରି କାଣ୍ଡର ଭିଡିଓ ରେକର୍ଡିଂ କରିଥିଲେ ସ୍କୁଲର ଜଣେ କର୍ମଚାରୀ । ଆଉ ଏହି ଭିଡିଓଟି ଭାଇରାଲ ହେବା ସହ ଆହତ ଛାତ୍ରଙ୍କ ମାଆ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୁକ୍ତ ପ୍ରିନସିପାଲ ସତ୍ୟେନ୍ଦ୍ର ଦ୍ୱିବେଦୀଙ୍କୁ ଥାନାକୁ ଡକାଇ ପଚରା ଉଚରା କରିବା ପରେ ସେ ନିଜ ଦୋଷ ସ୍ୱୀକାର କରିଥିଲେ । ଆଉ ଭବିଷ୍ୟତରେ ଏପରି ନକରିବାକୁ ପ୍ରତିଶ୍ରୁତି ଦେବା ପରେ ଅଭିଭାବକ ଓ ପ୍ରିନସପାଲଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।