ମହଙ୍ଗା ପଡିଲା ମୋଦି ଏବଂ ଯୋଗୀଙ୍କ ଚିତ୍ର ଆଙ୍କିବା ! ମୁସଲିମ୍ ମହିଳାଙ୍କୁ ଘରୁ ବାହାର କଲେ ସ୍ୱାମୀ

108

modi-yogi-paintingକନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଛବି ଆଙ୍କିବା ମହଙ୍ଗା ପଡିଛି ଜଣେ ମୁସଲିମ୍ ମହିଳାଙ୍କୁ । ଉଭୟଙ୍କ ପେଣ୍ଟିଂ କରିବାରୁ ମହିଳାଙ୍କୁ ଘରୁ ବାହାର କରିଦେଇଛନ୍ତି ଶ୍ୱଶୁର ଲୋକ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବସାରିକପୁର ଗାଁରେ । ତେବେ ଏହି ଘଟଣାରେ ପୁଲିସ୍ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେମାନଙ୍କ ବିରୋଧରେ ଆଇପିସି ଧାରା ୧୪୭, ୩୨୩, ୫୦୬ ଏବଂ ୪୯୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

muslim-reutersସୂଚନା ଅନୁସାରେ, ୨୦୧୬ରେ ମଟୁରୀ ଗାଁର ମହମ୍ମଦ ଶମଶେର୍ ଖାନ୍ ନିଜ ଝିଅ ନଗମା ପରବୀନଙ୍କ ବିବାହ ବସାରିକପୁରର ବରବେଜ୍ ଖାନଙ୍କ ସହ କରାଇଥିଲେ । ବିବାହର କିଛି ଦିନ ବେଶ୍ ଖୁସିରେ କଟିଥିଲା । ଚିତ୍ର ଆଙ୍କିବାରେ ରୁଚି ରଖୁଥିବା ନଗମା ଦିନେ ମୋଦି ଏବଂ ଯୋଗୀଙ୍କ ପେଣ୍ଟିଂ କରିଥିଲେ । ଚିତ୍ର କରି ସାରିବା ପରେ ଏହାକୁ ସେ ନିଜ ପରିବାର ଲୋକଙ୍କୁ ଦେଖାଇଥିଲେ । ତେବେ ନଗମା କିନ୍ତୁ ଜାଣି ନଥିଲେ ତାଙ୍କର ଏହି ରୁଚି ହିଁ ଅନ୍ୟ ମାନଙ୍କ ପାଇଁ ପାଲଟିବ ଅରୁଚିର କାରଣ । ଶ୍ୱଶୁର ଘର ଲୋକ ଏହି ପେଣ୍ଟିଂ ଦେଖିବା ପରେ ନଗମାଙ୍କୁ ନିସ୍ତୁକ ପିଟିଥିଲେ ।

ଖବର ପାଇଁ ଝିଅ ଶ୍ଵଶୂର ଘରେ ପହଞ୍ଛିଥିଲେ ବାପା ଶମଶେର୍ ଖାନ। ତେବେ ଶମଶେରଙ୍କୁ ନଗମାଙ୍କ ପରିବାର ଲୋକ କହିଥିଲେ ‘ଆପଣଙ୍କ ଝିଅ ପାଗଳ ହୋଇଯାଇଛି। ନରେନ୍ଦ୍ର ମୋଦି ଆଉ ଯୋଗୀ ଆଦିତ୍ୟନାଥଙ୍କ ପେଣ୍ଟିଂ କରି ଘରେ ଟାଙ୍ଗୁଛି । ତେଣୁ ତା’ର ଏ ଘରେ ରହିବା କୌଣସି ଅଧିକାର ନାହିଁ’। ଏପରି କହି ନଗମାଙ୍କୁ ଘରୁ ବାହାର କରିଦେଇଥିଲେ ।