ଏତେ ଭୟଙ୍କର ଥିଲା କନୌଜରେ ସଡକ ଦୁର୍ଘଟଣା । ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍, ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ବସର ଇନ୍ଧନ ଟାଙ୍କି ଫାଟି ଯାଇଥିବା ସୂଚନା ।

222

କନକ ବ୍ୟୁରୋ: ବସ୍ ଟ୍ରକ ମୁହାଁମୁହିଁ ଧକ୍କାରେ ଲାଗିଲା ନିଆଁ । ଅଗ୍ନିକାଣ୍ଡଟି ଏତେ ଭୟଙ୍କର ହୋଇଥିଲା ଯେ, ଆଖି ପିଛୁଳାକେ ଜଳିଗଲା ବସ୍ ଓ ଟ୍ରକ୍ । ଟ୍ରକ୍ ଡିଜେଲ ଟାଙ୍କି ଫାଟି ନିଆଁ ଲାଗି ଟ୍ରକ ସହ ବସ୍ ବି ଜଳିଗଲା । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଉତରପ୍ରଦେଶର କନୌଜରେ ।

ଶୁକ୍ରବାର, ରାତି ପ୍ରାୟ ୧୧ଟା ୩୦ । ଉତ୍ତରପ୍ରଦେଶ, କନୌଜର ଗୁରସହାୟଗଞ୍ଜରୁ ଜୟପୁର ଅଭିମୁଖେ ଯାଉଥିଲା ସ୍ଲିପର ବସ । ବସ୍ରେ ଥିଲେ ୪୩ଜଣ ଯାତ୍ରୀ । ହଠାତ୍ ଚଳନ୍ତା ବସ୍କୁ ଧକ୍କାଦେଲା ସାମନାରୁ ଆସୁଥିବା ଏକ ଟ୍ରକ । ଆଉ ଫାଟିଗଲା ଟ୍ରକରେ ଥିବା ଡିଜେଲ ଟାଙ୍କି । ଦୁର୍ଘଟଣା ପରେ ଆଖି ପିଛୁଳାକେ ଜଳିଗଲା ଟ୍ରକ ଓ ବସ୍ । ତୁରନ୍ତ କିଛି ଯାତ୍ରୀ ବସରୁ ବାହାରିବାରେ ସକ୍ଷମ ହୋଇଥିବାବେଳେ, ପାଖାପାଖି ୨୦ ଯାତ୍ରୀ ବସରେ ଜିଆନ୍ତା ଜଳିଗଲେ । ଅଗ୍ନିକାଣ୍ଡର ସେହି ଭୟଙ୍କର ଚିତ୍ର । ମଝି ରାସ୍ତାରେ ହୁ ହୁ ହୋଇ ଜଳିଯାଉଛି ବସ୍ ଓ ଟ୍ରକ । ଯେଉଁ ଯାତ୍ରୀ ବସରୁ ବାହାରିବାରେ ସକ୍ଷମ ହୋଇଛନ୍ତି, ସେମାନେ ଚିକ୍ରାର କରି କାନ୍ଦୁଛନ୍ତି । ବସରୁ ବାହାରି ପାରିନଥିବା ଯାତ୍ରୀ ବସରେ ଜୀଅନ୍ତା ଜଳିଯାଉଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ଦମକମଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲା । ସେପଟେ ଆହତ ୨୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ଏବଂ ୨ଜଣ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଯାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । କାନପୁର ରେଂଜର ଆଇଜି ମୋହିତ ଅଗ୍ରୱାଲ ଘଟଣା ସ୍ଥଳରେ ପହଁଚି ସ୍ଥିତି ନିରିକ୍ଷଣ କରିଛନ୍ତି । ବର୍ତମାନସୁଦ୍ଧା ଘଟଣାରେ ମୃତଙ୍କ ସଂଖ୍ୟା ଜଣାପଡି ନାହିଁ । ଡିଏନ୍ଏ ଟେଷ୍ଟ ପରେ ହିଁ ମୃତକଙ୍କ ସଂଖ୍ୟା ଜଣା ପଡିବ ବୋଲି ସୂଚନା ଦେଇଛନ୍ତି ଆଇଜି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶୀ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । କନୌଜ ଅଂଚଳର ଏହି ସଡକ ଦୁର୍ଘଟଣାକୁ ନେଇ ସାରା ଦେଶରେ ଚାଂଚଲ୍ୟ ଖେଳି ଯାଇଛି ।