ୟୁପିରେ ବିବାହ କରନ୍ତୁ ! ଉପହାରରେ ଯୋଗୀ ସରକାର ଦେବେ ୨୦ ହଜାର ଟଙ୍କା ଓ ସ୍ମାର୍ଟଫୋନ୍

37

ଉତ୍ତର ପ୍ରଦେଶରେ ଗରିବ ଝିଅଙ୍କ ବିବାହ କରାଇବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଉପରେ ‘ସାମୂହିକ ବିବାହ କାଯ୍ୟକ୍ରମ’ର ଆୟୋଜନ କରାଯିବ । ଏହି ପ୍ରକାର ଆୟୋଜନରେ ସାଂସଦ ଓ ବିଧାୟକଙ୍କ ବ୍ୟତୀତ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ । ସବୁଠାରୁ ଖାସ କଥା ହେଲା ଏହି ଯୋଜନା ଅନୁସାରେ ଦମ୍ପତିଙ୍କୁ ଦିଆଯାଉଥିବା ରାଶି ୨୦ ହଜାର ଟଙ୍କାକୁ କନ୍ୟାଙ୍କ ନାମରେ ଖାତାରେ ଜମା କରିଦିଆଯିବ । ଏହା ବ୍ୟତୀତ ବିବାହରେ ଏକ ସ୍ମାର୍ଟଫୋନ ମଧ୍ୟ ଉପହାରରେ ମିଳିବ ।

ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୭୧୪୦୦ ଝିଅଙ୍କ ବିବାହ କରାଯିବ । ୫ ରୁ ଅଧିକ ବିବାହ ହେଲେ ଏହି ସମାରୋହ ପଞ୍ଚାୟତ, ଜିଲ୍ଲା ପଞ୍ଚାୟତ, ନଗର ନିଗମ ଓ ନଗର ପାଳିକା ପରିଷଦ ସ୍ତରରେ ଆୟୋଜିତ କରାଯିବ । ଜିଲ୍ଲାଅଧିକାରୀ ଏକ ବିବାହ କାର୍ଯ୍ୟକ୍ରମ ସମିତିର ଗଠନ କରିବେ ।

ଏହି ବିବାହରେ ଦମ୍ପତିଙ୍କୁ ନଗଦ ୨୦ ହଜାର ଟଙ୍କା ସହ ବାସନ ଓ ପୋଷାକ ମଧ୍ୟ ପ୍ରଦାନ କରାଯିବ । ସମିତି ହିଁ ବିବାହର ଟେଣ୍ଟ, ବିବାହ ସଂସ୍କାର ଆଦିର ବ୍ୟବସ୍ଥା କରିବ । ପ୍ରଥମେ ଏହି ଯୋଜନା ଅନୁସାରେ ଦମ୍ପତିଙ୍କୁ ୨୦ ହଜାର ଟଙ୍କା ଅନୁଦାନ ସ୍ୱରୂପ ଦିଆଯାଉଥିଲା, କିନ୍ତୁ ଏବେ ସରକାର ସେମାନଙ୍କ ବିବାହ ପାଇଁ ମୋଟ ୩୫ ହଜାର ଟଙ୍କା ଖର୍ଚ୍ଚ କରିବେ । ଏଥିରେ ୨୦ ହଜାର ଟଙ୍କା କନ୍ୟାର ଖାତାରେ ଜମା ହେବ, ୧୦ ହଜାର ଟଙ୍କାରେ ପୋଷାକ, ପାୟଲ,ବାସନ ଓ ସ୍ମାର୍ଟଫୋନ କିଣାଯିବ । ଏହା ବ୍ୟତୀତ ବଳକା ୫ ହଜାର ଟଙ୍କା ବିବାହ ପେଣ୍ଡାଲ ପାଇଁ ଖର୍ଚ୍ଚ କରାଯିବ ।

ଏହି ସମାରୋହରେ କୌସଣି ବ୍ୟକ୍ତି କିମ୍ବା ସଂସ୍ଥା ଚାହିଁଲେ ଦମ୍ପତିଙ୍କୁ ଉପହାର ପ୍ରଦାନ କରିପାରିବେ । ଯଦି କେହି ଏପରି କରିବାକୁ ଚାହଁ ତେବେ ପୂର୍ବରୁ ଏହାର ସୂଚନା ଦେବାକୁ ପଡ଼ିବ । ଏହାସହ ଉପହାର ଦେଉଥିବା ବ୍ୟକ୍ତିର ନାମ ଓ ଉପହାର ମୂଲ୍ୟର ସବିଶେଷ ସୂଚନା ଦେବାକ ପଡ଼ିବ । ଏହି ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୩୦ ପ୍ରତିଶତ , ଅନ୍ୟ ପଛୁଆ ବର୍ଗ ୩୫ ପ୍ରତିଶତ , ସାଧାରଣ ବର୍ଗ ୨୦ ପ୍ରତିଶତ ଓ ଓ ଅଳ୍ପସଂଖ୍ୟକ ବର୍ଗର ୧୫ ପ୍ରତିଶତ ଭାଗିଦାରୀ ରହିବ ।