ମୋଦି ବିରୋଧି ମେଂଟଙ୍କୁ ସଫଳତା, ଯୋଗୀ ଆଦିତ୍ୟ ନାଥଙ୍କୁ ବଡ଼ ଝଟକା ! ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଆସନରେ ବାଜିମାତ୍ କଲା ସମାଜବାଦୀ ପାର୍ଟି

45

କନକ ବ୍ୟୁରୋ: ଉତ୍ତର ପ୍ରଦେଶ ଓ ବିହାରରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ ଧକ୍କା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ କୁହାଯାଉଥିବା ଗୋରଖପୁର ଆସନରେ ବାଜିମାତ କରିଛି ସମାଜବାଦୀ ପାର୍ଟି । ଏଠାରେ ଏସପି ପ୍ରାର୍ଥୀ ପ୍ରବୀଣ କୁମାର ନିଶଦ ବିଜୟୀ ହୋଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆସନ ଫୁଲପୁରରେ ମଧ୍ୟ ବାଜି ମାରିଛି ସମାଜବାଦୀ ପାର୍ଟି । ଏଠାରେ ବିଜୟୀ ହୋଇଛନ୍ତି ଏସପି ପ୍ରାର୍ଥୀ ନଗେନ୍ଦ୍ର ପ୍ରସାଦ ସିଂ ପାଟିଲ ।

ସେପଟେ ବିହାରର ଜେହାନାବାଦ ଓ ଆରାରିଆ ଆସନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ କେବଳ ଭବୁଆ ଆସନରୁ ରିଙ୍କିରାଣୀ ପାଣ୍ଡେ ବିଜୟୀ ହୋଇ ବିଜେପିର ସମ୍ମାନ ରକ୍ଷା କରିଛନ୍ତି । ୟୁପି ବିଧାନସଭା ନିର୍ବଚନରେ ସବୁଠାରୁ ବଡଦଳ ଭାବେ ଉଭା ହୋଇଥିବା ବିଜେପି ଏବଂ ବିହାରରେ ଲାଲୁଙ୍କ ହାତଛାଡି ବିଜେପି ହାତ ଧରିଥିବା ନୀତିଶ କୁମାରଙ୍କ ବିରୋଧରେ ଜନାଦେଶ ଯାଇଥିବାରୁ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ ଆଣିିଛନ୍ତି ବିରୋଧୀ ।

ବୁଆ-ଭତିଜା ଜିନ୍ଦାବାଦ, ମହାଗଠବନ୍ଧନ ଜିନ୍ଦାବାଦ । ହିନ୍ଦିରେ ବୁଆ ଅର୍ଥାତ ପିଉଷୀ ଏବଂ ଭତିଜା ଅର୍ଥାତ ପୁତୁରା । ବୁଆ-ମାୟାବତୀ ଏବଂ ଭତିଜା ଅଖିଳେଶ ଯାଦବ । ଗୋରଖପୁର ଓ ଫୁଲପୁର ଦୁଇଟି ଲୋକସଭା ଉପନିର୍ବାଚନରେ ବିଜେପିର ବିଜୟଧାରାରେ ବ୍ରେକ ଲଗାଇବାକୁ ଉତରପ୍ରଦେଶରେ ଯେଉଁ ନୂଆ ରାଜନୈତିକ ସମୀକରଣ ହୋଇଥିଲା ତାକୁ ସଫଳତା ମିଳିଛି । କାରଣ ବିଜେପିକୁ ମାତ ଦେଇ ଦୁଇଟିଯାକ ଆସନ ହାତେଇ ନେଇଛି ସମାଜବାଦୀ ପାର୍ଟି । ଆଉ ଏଥିପାଇଁ ଏସପିକୁ ସମର୍ଥନ କରିଥିଲା ବହୁଜନ ସମାଜ ପାର୍ଟି । ୟୁପି ରାଜନୀତିରେ ବଦଳୁଥିବା ଏହି ପାଣିପାଗ ଗେରୁଆ ଦଳକୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ଗତବର୍ଷ ବିଧାନସଭା ନିର୍ବାଚନରେ ୪୦୪ ଆସନରୁ ୩୨୪ଟି ଆସନରେ ଜିତି ଏସପି, ବିଏସପି ଓ କଂଗ୍ରେସକୁ ଧୁଳି ଚଟାଇଥିଲା ଭାରତୀୟ ଜନତା ପାର୍ଟି । ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ୮୦ରୁ ୭୩ଟି ଆସନ ହାତେଇଥିଲା ବିଜେପି । ହେଲେ ଏହି ଉପନିର୍ବାଚନରେ ସମାନ ଶତ୍ରୁ ବିଜେପିକୁ ରୋକିବା ପାଇଁ ସହମତ ହୋଇଥିଲେ ଏସପି ଓ ବିଏସପି । ସେପଟେ ବିହାରରେ ମଧ୍ୟ ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନରୁ ଦୁଇଟିରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଜେହାନାବାଦ ଓ ଆରାରିଆ ଦୁଇଟି ଆସନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ବିଜୟୀ ହୋଇଥିବାବେଳେ କେବଳ ଭବୁଆ ଆସନରେ ବିଜେପିର ସମ୍ମାନ ରକ୍ଷା କରିଛନ୍ତି ରିଙ୍କିରାଣୀ ପାଣ୍ଡେ ।

ଅନ୍ୟପଟେ, ୟୁପିରେ ଏସପି-ବିଏସପି ମେଂଟର ସଫଳତା ପରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲେଖିଛନ୍ତି ଅନ୍ତର ଆରମ୍ଭ ହୋଇଗଲା । କାଲି ସୋନିଆ ଡିନର ଡିପ୍ଲୋମାସି.. କାରଣ ଗତକାଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଡାକିଥିବା ଡିନର ପାର୍ଟିରେ ଯୋଗ ଦେଇଥିଲା ତୃଣମୂଳ କଂଗ୍ରେସ । ଯେଉଁଠି ବିଜେପିକୁ ଚେକମେଟ୍ ଦେବାଲାଗି ୨୦ଟି ବିରୋଧୀ ଦଳ ଏକାଠି ହେବାର ମୂଳଦୁଆ ପଡିଥିବା କୁହାଯାଉଛି । ଏବଂ ୟୁପି ଓ ବିହାର ଉପନିର୍ବାଚନରେ ବିଜେପିର ପରାଜୟ ଏହାର ଆରମ୍ଭ ବୋଲି ଚର୍ଚ୍ଚାକୁ ବଳ ଯୋଗାଇଛି ।