ୟୁପି ବିଧାନସଭା ଭିତରେ ବିସ୍ଫୋରକ ! ସୁରକ୍ଷା ବଢାଇଲେ ଯୋଗୀ ସରକାର

29

ୟୁପି ବିଧାନସଭା ଭିତରେ ୧୨ ଜୁଲାଇରେ ମିଳିଥିଲା ଧଳା ରଙ୍ଗର ବିସ୍ଫୋରକ ପଦାର୍ଥ । ଆଣ୍ଟି ମାଇନିଙ୍ଗ୍ ଓ ଡ୍ରଗ ସ୍ୱାର୍ଡ଼ର ଟିମ୍ ବିଧାନସଭାରେ ଯାଞ୍ଚ କରୁଥିବା ସମୟରେ ତାଙ୍କୁ ମିଳିଥିଲା ଏହି ବିସ୍ଫୋରକ ପଦାର୍ଥ । ଏବେ ଏହି ପାଉଡ଼ରକୁ ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି । ଯାଞ୍ଚରୁ ଜଣାପଡ଼ିଛି ଏହି ପାଉଡ଼ର ପ୍ଲାଷ୍ଟିକ ବିସ୍ଫୋରକ ଅଟେ ଏବଂ ଏହା ଡିଟୋନେଟର ସହ ହିଁ କାମ କରେ । ଡିଟୋନେଟରକୁ ବାଦ ଦେଇ ବିସ୍ଫୋରଣ କରିବା ଅସମ୍ଭବ । ଉତ୍ତରପ୍ରଦେଶ ବିଧାନସଭାରେ ଯେଉଁଠି ସମସ୍ତ ପାର୍ଟିର ନେତା ବସୁଥିଲେ, ସେହି ସ୍ଥାନରୁ ମିଳିଲା ଏହି ବିସ୍ଫୋରକ ପଦାର୍ଥ । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ବିଧାନସଭା ଭିତରୁ ଏକ ପୁଡ଼ିଆରୁ ମିଳିଲା ୧୫୦ ଗ୍ରାମ ପିଇଟିଏନ୍ । ବିଧାନସଭା ଭିତରେ ବିସ୍ଫୋରକ ସାମଗ୍ରୀ ମିଳିବା ଚିନ୍ତାଜନକ ବିଷୟ । ଏହା ଏକ ଭୟଙ୍କର ଷଡ଼ଯନ୍ତ୍ର ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଯିଏ ଏହି ଷଡ଼ଯନ୍ତ୍ର ପଛରେ ରହିଛି ତାହାର ଖୁବ ଶୀଘ୍ର ପର୍ଦ୍ଦାଫାସ ହେବା ଜରୁରୀ, ମୁଁ ବିପକ୍ଷ ଦଳ ଠାରୁ ଏହି ମାମଲା ନେଇ ସହଯୋଗ ଅପିଲ କରୁଛି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଏହାର ଯାଞ୍ଚ କରୁ ବୋଲି ସେ ଦାବି କରିଛନ୍ତି । ଷଡ଼ଯନ୍ତ୍ରକାରୀଙ୍କୁ ଉଚିତ ଦଣ୍ଡ ମିଳିବା ଦରକାର ବୋଲି ସେ କହିଛନ୍ତି ।

ଯୋଗୀ କହିଛନ୍ତି ବିଧାନସଭା ଭିତରେ ବିନା ପାସରେ ଏବେ ପ୍ରବେଶ ବନ୍ଦ ହେବ । ଏହାସହ ସଦନର ସମସ୍ତ ସଦସ୍ୟ ସୁରକ୍ଷା ସମ୍ବନ୍ଧୀୟ ଗାଇଡ଼ଲାଇନ ମାନନ୍ତୁ ବୋଲି ସେ କହିଛନ୍ତି । ବିଧାନସଭା ସୁରକ୍ଷା ଆଉ ଅଧିକ କଡ଼ାକଡ଼ି କରିବା ଜରୁରୀ ବୋଲି ସେ କହିଛନ୍ତି । ସୁରକ୍ଷା ସହ କୌଣସି ସାଲିସ କରିବା ଉଚିତ ନୁହଁ । ଏପରି ଘଟଣା ପାଇଁ କେବଳ ସରକାର ଦୋଷୀ ନୁହଁନ୍ତିି , ଏଥିପାଁଇ ଆପୋଷ ବୁଝାମଣା ମଧ୍ୟ ଜରୁରୀ । ଫରେନସିକ ରିପୋର୍ଟ ଅନୁସାରେ ବିଧାନସଭାରୁ ମଳିଥିବା ବିସ୍ଫୋଟକର ନାମ ହେଲା ପିଇଟିଏନ ।

କିନ୍ତୁ ଏଭିତରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ବିଧାନସଭା ଭିତରକୁ ବିସ୍ଫୋରକ ସାମଗ୍ରୀ ଗଲା କେମିତି ? କାରଣ ୟୁପି ବିଧାନସଭାରେ ପ୍ରବେଶ କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଦେଇ ଯିବାକୁ ପଡ଼େ । କେବଳ ଏତିକି ନୁହେଁ ବିଧାନସଭାରେ କେବଳ ବିଧାୟକ, ମନ୍ତ୍ରୀ, ସଫେଇ କର୍ମଚାରୀ ଓ ମାର୍ଶଲଙ୍କୁ ହିଁ ପ୍ରବେଶର ଅନୁମତି ରହିଛି । ଏନେଇ କଂଗ୍ରେସ ନେତା ଅଖିଳେଶ ପ୍ରତାପ ସିଂ କହିଛନ୍ତି ଏହି ଘଟଣା ରାଜ୍ୟର ସୁରକ୍ଷାର ସତକୁ ସାମ୍ନାକୁ ଆଣୁଛି । ବିଧାନସଭାରେ ବିସ୍ଫୋରକ ସାମଗ୍ରୀ ମିଳିବା ନିହାତି ଏକ ଚିନ୍ତାଜନକ ବିଷୟ । ଯଦି ବିଧାସଭା ହିଁ ସୁରକ୍ଷିତ ନୁହଁ, ତେବେ ଜନତାଙ୍କର କ’ଣ ହେବ ।

ଏହି ଘଟଣା ପରେ ବିଧାନସଭା ବାଚସ୍ପତି ସୁରକ୍ଷାକୁ ନେଇ ଏକ ଗାଇଡ଼ଲାଇନ ଜାରି କରିଛନ୍ତି –

– ସବୁ ପ୍ରବେଶ ଦ୍ୱାରରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ରହିବ

– ଭିତରେ ରହିବେ ଏଟିଏସ୍ ଟିମ୍

– ପ୍ରବେଶ ଦ୍ୱାର ସମେତ ୬ ଟି ସ୍ଥାନରେ ସ୍କାନର ରହିବ

– ସମସ୍ତ କର୍ମଚାରୀ ପ୍ରବେଶ କରିବା ପୂର୍ବରୁ ଭଲ ଭାବେ ଯାଂଚ ପ୍ରକ୍ରିୟା ଦେଇ ଯିବେ

– ବିଧାୟକଙ୍କ ପ୍ରମାଣ ଅନୁସାରେ ଡ୍ରାଇଭରଙ୍କ ପାସ ତିଆରି ହେବ, ପୁରୁଣା ଗାଡ଼ିର ପାସ ରଦ୍ଦ ହେବ

ୟୁୁପି ସରକାରଙ୍କ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ କହିଛନ୍ତି, ସୁରକ୍ଷାକର୍ମୀ ନିଜର କାମ ଠିକରେ କରୁଛନ୍ତି । ଏନେଇ କେହି ଚିନ୍ତା କରିବା ଦରକାର ନାହିଁ । ଆତଙ୍କୀ ପୁରା ଦେଶରେ ଖୋଲାରେ ବିଚରଣ କରୁଛନ୍ତି କିନ୍ତୁ ୟୁପିରେ ତାଙ୍କୁ ସ୍ଥାନ ମିଳିବ ନାହିଁ ।

ତେବେ ଜାଣନ୍ତୁୁ କ’ଣ ଏହି ପିଇଟିଏନ ବିସ୍ଫୋରକ ପଦାର୍ଥ –
– ଏହାକୁ ପ୍ଲାଷ୍ଟିକ ବିସ୍ପୋରକ କୁହାଯାଏ

– ଏହା ଦେଖିବା ପାଇଁ ଚିନି ପରି ଧଳା

– ଏହାର କୌଣସି ଗନ୍ଧ ନାହିଁ

– ମେଟାଲ ଡିଟେକ୍ଟର ଏହାକୁ ଧରିପାରିବ ନାହିଁ

– ଅତ୍ୟଧିକ ଗରମରେ ଏହା ବିସ୍ଫୋରଣ ହୋଇଥାଏ

– ବଡ଼ ବଡ଼ ଆତଙ୍କୀ ସଂଗଠନ ଏହାର ବ୍ୟବହାର କରନ୍ତି

ୟୁପି ବିଧାନସଭାରେ ପିଇଟିଏନ ବିସ୍ଫୋରକ ମିଳିବା ପରେ ରାଜ୍ୟରେ ସୁରକ୍ଷା ପ୍ରତି ପ୍ରଶ୍ଚବାଚୀ ସୃଷ୍ଟି ହୋଇଛି । ଏହି ବିସ୍ଫୋରକ ପଦାର୍ଥର ପୁରା ନାମ ପେଣ୍ଟା ଏରିଥ୍ରୋଟୋଲ ଟେଟ୍ରା ନାଇଟ୍ରେଟ୍ । ଏହାର ଉତ୍ପାଦନ ୧୯୧୨ରେ ଆରମ୍ଭ ହୋଇଥିଲା । ପ୍ରଥମ ବିଶ୍ୱଯୁଦ୍ଧରେ ର୍ଜମାନ ସେନା ପ୍ରଥମ ଥର ପାଇଁ ଏହି ବିସ୍ଫୋରକ ବ୍ୟବହାର କରିଥିଲେ ।

ଚର୍ଚ୍ଚିତ ମାମଲା –
-୨୦୦୧ରେ ଅଲକାଏଦାର ସଦସ୍ୟ ରିଚାର୍ଡ଼ ରିଡ଼ ନିଜର ଜୋତା ତଳେ ଏହାକୁ ଲୁଚାଇ ରଖି ପ୍ୟାରିସରୁ ମିୟାମି ଯାଉଥିବା ଆମେରିକା ଏୟାରଲାଣ୍ଡ ଫ୍ଲାଇଟ ୬୩ କୁ ଉଡ଼ାଇବା ଚେଷ୍ଟା କରିଥିଲେ । ହେଲେ ଏହା ବିଫଳ ହୋଇଥିଲା । ଏଥିପାଇଁ ଏହି ବିସ୍ପୋରକ ପଦାର୍ଥକୁ ସୁବମ୍ବର ମଧ୍ୟ କୁହାଯାଏ ।

-ଏହାସହ ୨୦୦୯ରେ ନାଇଜେରିଆର ଅଲକାଏଦା ସଦସ୍ୟ ଉମର ଫାରୁକ, ଅବଦୁଲା ମୁତାଲବର ଅଣ୍ଡରୱ୍ୱେରରେ ଏହି ବିସ୍ଫୋରକ ପଦାର୍ଥ ମିଳିଥିଲା । ସେ ଏହି ବିସ୍ଫୋରକ ଜରିଆରେ ଏକ ବିମାନ ଉଡ଼ାଇବା ପାଇଁ ଚେଷ୍ଟା କରୁଥିଲା ।

ପ୍ରକୃତ କଥା ହେଲା ଏହି ବିସ୍ଫୋରକର ସବୁ ଠାରୁ ବଡ଼ ଗୁଣ ହେଲା ଏହାକୁ ଚିହ୍ନିବା ମୁସ୍କିଲ । ବିସ୍ଫୋରକ ଖୋଜିବା ପାଇଁ ମୁତୟନ ହେଉଥିବା ସନ୍ଧାନୀ କୁକୁର ମଧ୍ୟ ସହଜରେ ଏହାର ଉପସ୍ଥିତିକୁ ଜାଣିପାରେ ନାହିଁ । ସମ୍ଭବତଃ ଏଥିପାଇଁ ଆତଙ୍କୀମାନେ ଏହି ବିସ୍ଫୋରକ ସାମଗ୍ରୀକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ଚେଷ୍ଟା କରିଥାନ୍ତି ।