ଜାତୀୟତା’ର ମନ୍ତ୍ରଦାତା ଥିଲେ ମଧୁବାବୁ !

380

ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ସୀମାହୀନ ଜାତିପ୍ରୀତି,ତ୍ୟାଗ, ଗଭୀର ଅଧ୍ୟବସାୟ, ଆନ୍ତରିକତା ଓ ବିଚକ୍ଷଣ ଦୂରଦର୍ଶିତା ପ୍ରଣିଧାନଯୋଗ୍ୟ । ସତ୍ୟ, ନ୍ୟାୟ ଓ ସାଧୁତା ବଳରେ ସେ ସୃଷ୍ଟି କରିଥିଲେ ଓଡିଆ ଜାତି ପାଇଁ ଗୌରବମୟ ପରମ୍ପରା । ମହାତ୍ମା ଗାନ୍ଧି ଆନୁଷ୍ଠାନିକ ଭାବେ ‘ସ୍ୱଦେଶୀ ଆନ୍ଦୋଳନ’ ଆରମ୍ଭ କରିବା ବହୁ ପୂର୍ବରୁ ହିଁ ମଧୁସୂଦନ ଓଡିଶାରେ ଏହା ଆରମ୍ଭ କରି ଦେଇଥିଲେ । ତେବେ ସେ ଥିଲେ ଓଡିଆ ଜାତୀୟ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା । ବିଚ୍ଛିନ୍ନାଂଚଳକୁ ଏକତ୍ର କରି ଆଧୁନିକ ଓଡିଶା ଗଠନ କରିବାରେ ସେ ଥିଲେ ସୂତ୍ରଧର । ସେ ୧୮୮୨ରେ ପ୍ରତିଷ୍ଠା କରିଥିଲେ ‘ଉତ୍କଳ ସଭା’ ଏବଂ ୧୯୦୩ରେ ପ୍ରତିଷ୍ଠା କରିଥିଲେ ‘ଉତ୍କଳ ସମ୍ମିଳନୀ’ ।

ତେବେ ମଧୁବାବୁଙ୍କ ଜୀବନର ମୂଳମନ୍ତ୍ର ଥିଲା ଜାତୀୟତାବୋଧ । ‘ଉତ୍କଳ ସନ୍ତାନ’, ‘ଜନନୀର ଉକ୍ତି’, ‘ସନ୍ତାନର ଉକ୍ତି’, ‘ସମ୍ମିଳନୀ’, ‘ଜାତିର ଇତିହାସ’ ଆଦି କାବ୍ୟଗୁଡିକରେ ପ୍ରତିଫଳିତ ହୋଇଛି ତାଙ୍କର ଜାତିପ୍ରୀତି । ତେବେ ଜାତି ଉର୍ଦ୍ଦେଶ୍ୟରେ ତାଙ୍କର ଏହି ଉକ୍ତିଟି ହେଲା, ‘ଜାତି ନନ୍ଦିଘୋଷ ଚଳିବ କି ଭାଇ,ସ୍ୱାର୍ଥକୁ ସାରଥୀ କଲେ, ଚଳାଏ କି ଗାଡି ଦାନାର ତୋବଡା, ଘୋଡା ମୁହେଁ ବନ୍ଧା ଥିଲେ ?’