ଉତ୍କଳ ଦିବସ ! ସମ୍ବଲପୁରରେ ଦେଖା ଦେଇଥିଲା ଭାଷା ଆନ୍ଦୋଳନ

443

୧୮୯୫ରେ ସମ୍ବଲପୁରର କୋର୍ଟ – କଚେରିମାନଙ୍କରୁ ଓଡିଆ ଭାଷାକୁ ସଂପୂର୍ଣ୍ଣ ରୂପେ ଉଚ୍ଛେଦ କରି, ହିନ୍ଦୀ ଭାଷାକୁ ସରକାରୀ ଭାଷା ଭାବେ ପ୍ରଚଳନ କରାଯାଇଥିଲା । ତେବେ ଏହାକୁ ବିରୋଧ କରି ଧରଣୀଧର ମିଶ୍ରଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ସଭାରେ ହିନ୍ଦୀ ଭାଷା ପ୍ରଚଳନ ବିରୋଧରେ ଏକ ପ୍ରସ୍ତାବ ଗୃହୀତ ହୋଇ ଭାଇସରଏ ଲର୍ଡ ଏଲଗିନଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଯାଇଥିଲା । ମାତ୍ର ସେ ଏହାକୁ ଗ୍ରହଣ କରି ନଥିଲେ । ଏଥିରେ ଅତ୍ୟନ୍ତ ମର୍ମାହତ ହୋଇ କବି ଗଙ୍ଗାଧର ମେହେର ଲେଖିଥିଲେ କି, ନିଜ ଘରେ ବସି ନିର୍ବାସନ ଦୁଃଖ, ଆମ୍ଭ କି ଲଲାଟ ଲେଖନ, ମାତୃଭାଷା ମନା ଭାଇ ସଙ୍ଗ ବିନା, ବିକଳ ହେଉଛି ଜୀବନ । ସେଠାରେ ଜନଅସନ୍ତୋଷ ବୃଦ୍ଧି ପାଇଲା ।

ତେବେ ମଧୁବାବୁଙ୍କ ଉତ୍କଳ ସଭା ମାଧ୍ୟମରେ ସମ୍ବଲପୁରବାସୀଙ୍କୁ ସମର୍ଥନ ଜଣାଇଥିଲେ ଅବଶିଷ୍ଟ ଓଡିଆ । ସମ୍ବଲପୁରରୁ ହିନ୍ଦୀ ଭାଷା ଉଚ୍ଛେଦ ଦାବି କ୍ରମେ ଏହା ଏକ ପ୍ରାଦେଶିକ ସ୍ତରର ଆନ୍ଦୋଳନରେ ପରିଗଣିତ ହେଲା । ସମ୍ବଲପୁରର ପ୍ରତିନିଧି ଦଳ କେନ୍ଦ୍ରୀୟ ପ୍ରଦେଶର ଚିଫ୍ କମିସନର୍ ସାର୍ ଆଣ୍ଡ୍ରୁ ଫ୍ରେଜରଙ୍କୁ ସମ୍ବଲପୁରକୁ ଅନ୍ୟ ଓଡିଆ ଭାଷାଭାଷୀ ଅଂଚଳ ସହ ମିଶାଇବା ପାଇଁ ଏକ ଦାବି ପତ୍ର ଦେଇଥିଲେ । ତେବେ ସାର୍ ଫ୍ରେଜର ଉକ୍ତ ଦାବିପତ୍ରଟିକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଥିଲେ । ତାଙ୍କ ଉଦ୍ୟମରେ ୧୯୦୩ରେ ସମ୍ବଲପୁରରେ ଓଡିଆ ଭାଷା ପୁଣିଥରେ ପ୍ରବର୍ତ୍ତିତ ହେଲା ଏବଂ ଦୁଇ ବର୍ଷ ପରେ ସମ୍ବଲପୁରକୁ ଅବଶିଷ୍ଟ ଓଡିଆ ଭାଷା-ଭାଷୀ ଅଂଚଳ ସହ ସାମିଲ କରାଯାଇଥିଲା ।