ବାଣୀବିହାରରେ ବିରଳ ଆନ୍ଦୋଳନ : ମୌନ ବ୍ରତ ରଖି ଧାରଣାରେ ବସିଲେ କୁଳପତି, ଶାନ୍ତି ଫେରାଇ ଆଣିବାକୁ କଲେ ଦାବି

32

କନକ ବ୍ୟୁରୋ : ଅନଶନରେ ବସିଲେ କୁଳପତି । ଅଶାନ୍ତ କ୍ୟାମ୍ପସରେ ଶାନ୍ତି ଫେରାଇଆଣିବାକୁ ଭିସି ଦେଲେ ଧାରଣା । ୧୨ ଘଂଟା ଧରି ମୌନବ୍ରତ । ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ବଳ କଷାକଷି ଭିତରେ ଆଜି ବାଣୀବିହାର କ୍ୟାମ୍ପସରେ ପ୍ରଥମ ଥର ପାଇଁ ଜଣେ କୁଳପତି ଅନଶନରେ ବସିଥିଲେ । ଆଉ ଦାବି ଥିଲା କ୍ୟାମ୍ପସରେ ଶାନ୍ତି ଓ ଶୈକ୍ଷିକ ବାତାବରଣ ଫେରାଇଆଣିବା । କିନ୍ତୁ ଧାରଣାରେ ବସିଥିବା ଭିସି, ମୌନବ୍ରତ ରଖିଥିବାରୁ ବିଭିନ୍ନ ପ୍ରଶ୍ନ ଉତ୍ତର ମିଳିପାରୁନାହିଁ । କ୍ୟାମ୍ପସରେ କିଏ ବିଶୃଙ୍ଖଳା କରୁଛି, କାହା ପାଇଁ ଆଶାନ୍ତ ହେଉଛି ବାଣୀବିହାର ଏବଂ ସେ କାହାକୁ ଏଥିପାଇଁ ଦାୟୀ କରୁଛନ୍ତି , ଏହି ମୂଳ ପ୍ରଶ୍ନର ଉତ୍ତର ମିଳିପାରୁନାହିଁ ।

ଛାତ୍ର ସଂସଦ ନିର୍ବାଚନୀ ହିଂସାକୁ ନେଇ ୩ ସପ୍ତାହର ସାଇନ-ଏ-ଡାଏ ପରେ ବି ଶାନ୍ତ ପଡିନି କ୍ୟାମ୍ପସ । ଏବେବି ନିର୍ବାଚନ ଜିଦରେ ଅଡି ବସିଛନ୍ତି ଛାତ୍ର ଗୋଷ୍ଠୀ । ଯାହାକୁ ନେଇ ଆଜି ବସିଥିଲା ପିଜି କାଉନସିଲ୍ ବୈଠକ । ନିର୍ବାଚନ ପାଇଁ ଆବଶ୍ୟକ ପରିବେଶ ହେଲେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହୋଇପାରିବ ବୋଲି ଆଶା ରହିଛି । ଏହାରି ଭିତରେ ବାଣୀବିହାର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ।

ବାଣୀବିହାର କ୍ୟାମ୍ପସରେ ଦେଖାଦେଇଥିବା ଏଭଳି ସ୍ଥିତି ନୂଆ ନୁହଁ । କିଛି ଦିନ ତଳେ ରେଭେନ୍ସା ୟୁନିଭରସିଟିରେ ଦେଖାଦେଇଥିଲା ସମାନ ସ୍ଥିତି । କ୍ୟାମ୍ପସରେ ରାଜନୈତିକ ଚାପକୁ ବିରୋଧ କରି ପଦ ଛାଡିଦେଇଥିଲେ ଭିିସି । ପରେ ତାଙ୍କୁ ବୁଝାସୁଝା କରି ଫେରାଇ ଅଣାଯାଇଥିଲା।