ଓଡ଼ିଶା ବନ୍ଦର ପ୍ରଭାବ : ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ କଲେଜର ପରୀକ୍ଷା ବାତିଲ

75

କନକ ବ୍ୟୁରୋ : ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ପାଇଁ ପରୀକ୍ଷା ବାତିଲ୍ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ କଲେଜର ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ ହୋଇଛି । ପୁନଃପରୀକ୍ଷା ନିମନ୍ତେ ପରବର୍ତ୍ତୀ ସମୟରେ କାର୍ଯ୍ୟସୂଚୀ ଜଣାଇ ଦିଆଯିବ । ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୨୧ରେ ହେବାକୁ ଥିବା ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।

ସୂଚନାଯୋଗ୍ୟ ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜିି ଓଡ଼ିଶା ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ରାଜ୍ୟ ସରକାରଙ୍କ ଅନୁରୋଧ ଓ ଚେତାବନୀ ସତ୍ୱେ ନିଜ ଜିଦରେ ଅଟଳ ରହିଛି ନବନିର୍ମାଣ କୃଷକ ସଂଗଠନ । ବନ୍ଦ୍ ପାଳନକାରୀମାନେ ରାସ୍ତା ଅବରୋଧ କରିବା ସହ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ୍ ରହିଛି । ସେହିପରି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷା ଅନୁଷ୍ଠାନ ସାମ୍ନାରେ ପିକେଟିଂ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସକାଳ ୯ଟା ୩୦ସୁଦ୍ଧା ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ପହଁଚିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ବନ୍ଦ ପାଳନରେ ଘରୋଇ ବସ୍ ମାଲିକ ସଂଘ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି । କିନ୍ତୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କୁ ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ବନ୍ଦକୁ ବିଜେପି ଓ କଂଗ୍ରେସ ନୈତିକ ସମର୍ଥନ କରୁଥିବାରୁ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି । ସେପଟେ ବିଜେଡି କହିଛି, କେବଳ ରାଜ୍ୟ ସରକାରଙ୍କୁ ଦୋଷ ଦେବା ପାଇଁ ଏହା ଏକ ମିଳିତ ରାଜନୈତିକ ଷଡଯନ୍ତ୍ର ।