ପ୍ରଥମ ଓଡିଆ ଖବର କାଗଜକୁ ପୁରିଲା ଦେଢଶହ ବର୍ଷ : ୧୮୬୬ ଆଜିର ଦିନରେ ପ୍ରକାଶ ପାଇଥିଲା ଉତ୍କଳ ଦୀପିକା

315

କନକ ବ୍ୟୁରୋ : ଓଡିଶା ଯେତେବେଳେ ସନ୍ଧିକ୍ଷଣରେ ଥିଲା ସେତେ ବେଳେ ଓଡିଆ ଅସ୍ମିତା ବଂଚାଇବା ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । ସୃଷ୍ଟି ହୋଇଥିଲା ନୂଆ ଆଶା । କର୍ମବୀର ଗୌରିଶଙ୍କର ରାୟ ଆରମ୍ଭ କରିଥିଲେ ଓଡିଆ ମାଟି, ଭାଷା, ସାହିତ୍ୟ ଓ ସଂସ୍କୃତି ନେଇ ଏକ ଖବର କାଗଜ । ଏହା ହେଉଛି ଆଜକୁ ପ୍ରାୟ ଦେଢଶହ ବର୍ଷ ତଳର କଥା । ଆଜିର ଦିନରେ ୧୮୬୬ ମସିହାରେ ଜନ୍ମ ନେଇଥିଲା ଓଡିଆ ପ୍ରଥମ ଖବର କାଗଜ ଉତ୍କଳ ଦୀପିକା । ଏହା ସାପ୍ତାହିକ ଖବର କାଗଜ ଭାବରେ ପ୍ରକାଶିତ ହେଉଥିଲା । ଏହି ସମୟରେ ରାଜ୍ୟରେ ନଅଙ୍କ ଦୁର୍ଭିକ୍ଷ ହୋଇ ପୋକମାଛି ପରି ଲୋକ ମରିଥିଲେ । ଏଥିପାଇଁ ପ୍ରଶାସନକୁ ଜଣାଇବା ପାଇଁ ଉଦ୍ୟମ କରି ଗୌରୀଶଙ୍କର ଏହି ଖବରକାଗଜ ଆରମ୍ଭ କରିଥିଲେ । ଏହା ସହ ଏହି ସମୟରେ ଓଡିଆ ଭାଷା ମଧ୍ୟ ସଙ୍କଟ ଦେଇ ଗତି କରୁଥିଲା । ଉତ୍କଳ ଦୀପିକା ମାଧ୍ୟମରେ ଭାଷା ଆନ୍ଦୋଳନ ମଧ୍ୟ ଆଗକୁ ବଢିଲା । ଓଡିଆ ଜାତୀୟତା ସଂକେତ ସାଜିଲା ଏହି ଖବର କାଗଜ । ଉତ୍କଳ ଦୀପିକାର ପ୍ରକାଶନ ୧୯୩୬ରେ ବନ୍ଦ ହୋଇଗଲା ।