କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପୋଲିସ୍ ହେପାଜତରେ ଅଭିଯୁକ୍ତ, ଘଟଣାକୁ ବିଜେଡିର ନିନ୍ଦା

244

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ ହୋଇଛି। ଭାଗ୍ୟ ପରିବର୍ତନ ସଭାରେ ସୁମନ୍ତ ନାୟକ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୁଲିସ ହେପାଜତରେ ରହିଛି ଅଭିଯୁକ୍ତ  । କେଉଁ କାରଣରୁ ଯୁବକ ଜଣକ ସାଧାରଣ ସଭାରେ ଏମିତି ଆକ୍ରମଣ କଲେ ସେ ନେଇ ପୁଲିସ ତଦନ୍ତ କରୁଛି। ଏହା ବିଜେଡି ପ୍ରାୟୋଜିତ ଆକ୍ରମଣ ବୋଲି ଖାରବେଳ ଅଭିଯୋଗ କରିଥିବା ବେଳେ ବିଜେଡି ପକ୍ଷରୁ ଖଣ୍ଡନ କରାଯିବା ସହ ଘଟଣାର ନିନ୍ଦା କରାଯାଇଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଖାରବେଳଙ୍କୁ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କେବଳ ସେତିକି ନୁହେଁ, କାହିଁକି ବାରମ୍ବାର ଖାରବେଳଙ୍କୁ ଏପରି ଆକ୍ରମଣ ହେଉଛି, ଏହା ପଛରେ ଅସଲରେ କିଏ ଅଛି, ତାକୁ ଧରିବା ଲାଗି କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଯାଇଛି।

ସୂଚନା ଅନୁଯାୟୀ, ଖାରବେଳ ସ୍ବାଇଁ ଗତକାଲି ସକାଳେ କାଶୀପୁର ବ୍ଲକ ଟିକିରିରେ ଭାଗ୍ୟ ପରିବର୍ତନ ସଭା କରି କାଶୀପୁର ଯାଇଥିଲେ। ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଶ୍ରୀ ସ୍ବାଇଁ ନିଜ ବକ୍ତବ୍ୟ ଦେବା ସମୟରେ କିଛି ଯୁବକ ମଞ୍ଚ ନିକଟକୁ ଚାଲି ଆସିଥିଲେ। ତୁରନ୍ତ ସଭା ବନ୍ଦ କରି ସ୍ଥାନ ଛାଡ଼ି ଚାଲି ଯିବାକୁ ବି ଧମକ ଦେଇଥିଲେ। ହଠାତ୍ ସୁମନ୍ତ ନାୟକ ନାମକ ଜଣେ ଯୁବକ ମଞ୍ଚ ଉପରକୁ ଚଢ଼ିଯାଇ ତାଙ୍କ ମୁହଁକୁ ଆକ୍ରମଣ କରିଥିଲା। ଆତର୍କିତ ଆକ୍ରମଣ ଖରାବେଳଙ୍କୁ ବିଚଳିତ କରିଥିଲା। ଏନେଇ ସେ କହିଛନ୍ତି ଯେ ବିଜେଡି ବିରୋଧରେ କହିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆକ୍ରମଣ କରାଇଛନ୍ତି। ପୁଲିସ ଆକ୍ରମଣରେ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ କୁଆଡ଼େ ଆସିଥିଲେ ତାହାର ମଧ୍ୟ ତଦନ୍ତ ହେବ ବୋଲି ଏସପି ରାହୁଲ ପି.ଆର ପ୍ରକାଶ କହିଛନ୍ତି।

ତେବେ ବିଜେଡି ପକ୍ଷରୁ ଖାରବେଳଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି। କାଶୀପୁର ଅଞ୍ଚଳରେ ଏଭଳି ଆକ୍ରମଣ କରିବା ଭଳି କେହି ବିଜେଡି କର୍ମୀ ନାହାନ୍ତି ବୋଲି ରାଜ୍ୟ ବିଜେଡି ସ˚ପାଦକ ଜଗଦୀଶ ପାତ୍ର ସ୍ପଷ୍ଟ କରିଛନ୍ତି। ଜଣେ ରାଜନୈତିକ ଦଳର ନେତାଙ୍କୁ ସଭାରେ ଏମିତି ଆକ୍ରମଣକୁ ବିଜେଡି ନିନ୍ଦା କରୁଥିବା ଶ୍ରୀ ପାତ୍ର କହିଛନ୍ତି।