ବିଜେପୁର ଲଢେଇରେ ସାମିଲ ହେଲା ଉତ୍କଳ ଭାରତ! ଉପନିର୍ବାଚନ ପାଇଁ ଘୋଷଣା କଲା ପ୍ରାର୍ଥୀ

18

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ନିମନ୍ତେ ଉତ୍କଳ ଭାରତର ପ୍ରାର୍ଥୀ ଭାବେ ଜଗତରାମ ପୁଟେଲଙ୍କ ନାମ ଘୋଷଣା କରାଯାଇଛି। ଏ ନେଇ ଦଳର ରାଜ୍ୟ ସଭାପତି ଐର ଖାରବେଳ ସ୍ୱାଇଁ ଏକ ପ୍ରେସ୍ ବିବୃତି ଜରିଆରେ ଜଣାଇଛନ୍ତି। ବିଜେପୁର ମହାମୁକାବିଲା ପାଇଁ ପୂର୍ବରୁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେଡିର ପ୍ରାର୍ଥୀ ଭାବେ ସ୍ୱର୍ଗତଃ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ କରାଯାଇଛି । ସେହିଭଳି ବିଜେପୁର ପାଇଁ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରର୍ଥୀ କରିଛି । ଅଶୋକ ମଧ୍ୟ ପୂର୍ବରୁ ବିଜେଡି ଦଳରୁ ବିଧାୟକ ହୋଇଛନ୍ତି । ତେବେ ବିଜେଡି ତରବରିଆ ଭାବେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଅଶୋକ । ତେବେ ପ୍ରାର୍ଥୀ ଚୟନରେ ସବୁଠାରୁ ପଛରେ ରହିଛି କଂଗ୍ରେସ । ବିଜେପୁର ପାଇଁ କାହାକୁ ପ୍ରାର୍ଥୀ କରିବ ସେ ନେଇ ଏବେ ମଧ୍ୟ କଂଗ୍ରେସ ଦଳ ମଧ୍ୟରେ କନଫ୍ୟୁଜନ ଲାଗି ରହିଛି । ରିପୁ ସେଠ କିମ୍ବା ପ୍ରଣୟ ସାହୁଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରିପାରେ କଂଗ୍ରେସ । ପ୍ରାର୍ଥୀ ଚୟନ ପାଇଁ ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିର ରିପୋର୍ଟ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଦିଆଯିବ । କେନ୍ଦ୍ରୀୟ ନେତୃବୃନ୍ଦ ହିଁ ବିଜେପୁର ପାଇଁ ପ୍ରାର୍ଥୀଙ୍କ ନାମରେ ମୋହର ମାରିବେ ବୋଲି କୁହାଯାଇଛି ।

ବିଜେପୁର ନିର୍ବାଚନ ପାଇଁ ଆଉ ଦିନ କେଇଟା ବାକି ରହିଛି । ନିର୍ବାଚନ କମିଣନଙ୍କ ନିକଟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୬ ଫେବୃୟାରୀ । ୭ ଫେବୃୟାରୀରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବାକୁ ଥିବା ବେଳେ ୯ ତାରିଖ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି । ସେହିଭଳି ବିଜେପୁର ଉପନିର୍ବାଚନ ପାଇଁ ୨୪ ଫେବୃୟାରୀରେ ମତଦାନ ହେବାକୁ ଥିବା ବେଳେ ୨୮ ଫେବୃୟାରୀରେ ଫଳାଫଳ ପ୍ରକାଶ ପାଇବ ।