ପୁଣିଥରେ ଉତ୍ତରକୋରିଆର ପରମାଣୁ ବୋମା ପରୀକ୍ଷା : ସାରା ବିଶ୍ୱର କଡା ବିରୋଧ ପରେ ବି ନୂଆ ରେଞ୍ଜରେ କରୁଛି ବୋମା ପରୀକ୍ଷା

29

କନକ ବ୍ୟୁରୋ : ସାରା ବିଶ୍ୱରେ ଉତ୍ତର କୋରିଆର ପରମାଣୁ ବୋମା ପରୀକ୍ଷଣ ଉପରେ ରୋକ ଲଗାଇବା ପାଇଁ ଅନେକ ଥର ଉତ୍ତର କୋରିଆକୁ କୁହାଗଲାଣି । କିନ୍ତୁ ବାରମ୍ବାର ସେ ପରୀକ୍ଷଣ କରିବାର ଲାଗିଛି । ଯାହା ଦ୍ୱାରା ସାରା ବିଶ୍ୱ ଚିନ୍ତାରେ । ପରିସ୍ଥିତି ଏପରି ହୋଇଛି ଯେ, ଯେଉଁଥିରେ କି ଆମେରିକା ଓ ଉତ୍ତରକୋରିଆ ମୁହାଁମୁହିଁ ହୋଇଛନ୍ତି । ତେବେ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ଏବଂ କୋରିଆ ଉପଦ୍ୱୀପକୁ ପରମାଣୁ ମୁକ୍ତ କରିବା ଦିଗରେ କାର୍ଯ୍ୟ କରିବାପାଇଁ ପ୍ରତିଶୃତି ଦେଇଥିବା ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ତାଙ୍କ ପ୍ରତିଶ୍ରୁତି ଠିକ୍ ଭାବେ ପାଳନ କରିନାହାନ୍ତି। ଏବେ ଉତ୍ତର କୋରିଆ ଏକ ନୂଆ ରେଜଂରେ କ୍ଷେପଣାସ୍ତ୍ର ତିଆରି କରୁଛି।

 

ଯେଉଁ କାରଖାନାରେ ଉତ୍ତର କୋରିଆ ଏହାର ପ୍ରଥମ ଆଇସିବିଏମ୍ (ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର) ନିର୍ମାଣ କରିଥିଲା ସେଠାରେ ହିଁ ଏହି କ୍ଷେପଣାସ୍ତ୍ର ତିଆରି ହେଉଥିବା ଆମେରିକା ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି। ଏନେଇ ବଳିଷ୍ଠ ପ୍ରମାଣ ମଧ୍ୟ ରହିଥିବା ଆମେରିକା କହିଛି। ଜୁଲାଇ ୨୦ରୁ ୨୨ ତାରିଖ ମଧ୍ୟରେ ନିଆଯାଇଥିବା କିଛି ଫଟୋରୁ ଜଣାପଡ଼ୁଛି ଯେ ଅତି କମରେ ଗୋଟିଏ କିମ୍ବା ଦୁଇଟି ଆଇସିବିଏମ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏପରି ବାରମ୍ବାର ଅନେକ ପ୍ରକାରର ବୋମା ପରୀକ୍ଷା କରୁଥିବାରୁ ଏହାକୁ ବିରୋଧ କରିଛ ଆମେରିକା । କେବଳ ଆମେରିକା ନୁହେଁ ବରଂ ଦକ୍ଷିଣ କୋରିଆ ସମେତ ଜାପାନ ଆଦି ରାଷ୍ଟ୍ର ଏପରି କାର୍ଯ୍ୟକୁ ତୀବ୍ର ବିରୋଧ କରିଆସୁଛନ୍ତି । ହେଲେ ଉତ୍ତରକୋରିଆ ସମସ୍ତଙ୍କ କଥାକୁ ଅଣଦେଖା କରି ଗୋଟିଏ ପରେ ଗୋଟିଏ ବୋମା ପରୀକ୍ଷା କରୁଥିବା ଜଣାପଡିଛି । ପରମାଣୁ ବୋମା ପରୀକ୍ଷା କରିବା କାରଣରୁ ସାରା ବିଶ୍ୱରେ ପ୍ରଦୂଷଣ ମାତ୍ରା ବୃଦ୍ଧି ହେବା ସହ ଅନେକ କ୍ଷତି ହେଉଛି । ତେଣୁ ଏହାକୁ ଅନେକ ଦେଶ ବିରୋଧ କରୁଛନ୍ତି । ହେଲେ ଉତ୍ତରକୋରିଆ କାହାରି କଥା ନଶୁଣି ଗୋଟିଏ ପରେ ଗୋଟିଏ ବୋମା ପରୀକ୍ଷା କରିବାରେ ଲାଗିଛି ।