ଦେଶର ୪୬ତମ ପ୍ରଧାନ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ରଞ୍ଜନ ଗୋଗୋଇ

33

କନକ ବ୍ୟୁରୋ : ସୁପ୍ରିମ୍ କୋର୍ଟର ୪୬ତମ ପ୍ରଧାନ ବିଚାରପତି ରୂପେ ବୁଧବାର ପୂର୍ବାହ୍ନରେ ରାଷ୍ଟ୍ରପତି ଭବନର ଦରବାର ହଲରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ୍ ଗୋଗୋଇ ୨୦୧୯ ନଭେମ୍ବର ଶେଷ ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ରୂପେ ଦାୟିତ୍ୱ ନିର୍ବାହ କରିବେ। ଭାରତର ପ୍ରଧାନ ବିଚାରପତି ହେବାରେ ଉତ୍ତରପୂର୍ବାଞ୍ଚଳରୁ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି।

 

 ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ଉତ୍ସବରେ ଉପସ୍ଥିତ ଥିବା ନିଜ ମାଆଙ୍କ ପାଦ ଛୁଇଁ ପ୍ରଣାମ କରି ଜଷ୍ଟିସ ଗୋଗୋଇ ତାଙ୍କ ଲାଗି ଉଦ୍ଦିଷ୍ଟ ଆସନରେ ବସିଥିଲେ। ବର୍ତମାନ ସମୟରେ ଯେପରି ଭାବରେ ସୁପ୍ରିମକୋର୍ଟ ଅନେକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ରାୟ ଦେଉଛନ୍ତି ସେଥିପାଇଁ ଏବେ ନୂତନ ଭାବରେ ଶପଥ ନେଇଥିବା ବିଚାରପତିଙ୍କ ଉପରେ ସମସ୍ତଙ୍କର ରହିଛି ନଜର ।