ବୈଜୟନ୍ତଙ୍କ ବିରୋଧରେ ତଦନ୍ତ କରିବେ ଉଷା, ପ୍ରମିଳା ! ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ

26

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟଧାରା ସଂପର୍କରେ ଉଭୟ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଅର୍ଥାତ୍ ମନ୍ତ୍ରୀ ଉଷା ଦେବୀ ଓ ବିଧାୟିକା ପ୍ରମିଳା ମଲ୍ଲିକ ତଦନ୍ତ କରି ରିପୋର୍ଟ ଦେବେ । ଗତାକଲି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶ ଦେଇଛନ୍ତି । ପୂର୍ବରୁ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସାଂସଦଙ୍କ କାର୍ଯ୍ୟଧାରା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ । ଗତକାଲି ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କର୍ମୀ ଯୋଡି ହୋଇଛନ୍ତି । ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ପଣ୍ଡା ଦଳବିରୋଧୀ କାର୍ୟ୍ୟରେ ଲିପ୍ତ ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶ ପରେ ବୈଜୟନ୍ତ ଓ ବିଜେଡି ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ରାଜନୀତି ଜମିଛି । ପୂର୍ବରୁ ବୈଜୟନ୍ତଙ୍କ ଉପରେ ମାହାଙ୍ଗାରେ ହୋଇଥିବା ଅଣ୍ଡା଼ ମାଡ଼ ଓ ଆକ୍ରମଣ ଘଟଣାରେ ଉଷା ଦେବୀ ତଦନ୍ତ କରିଥିଲେ ଓ ପ୍ରତିପକ୍ଷ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏଥର କିନ୍ତୁ ବୈଜୟନ୍ତଙ୍କ କାର୍ଯ୍ୟଧାରାର ତଦନ୍ତ କରିବେ ଉଷା ଓ ପ୍ରମିଳା।

ନିଶ୍ଚିନ୍ତକୋଇଲି ପରେ ମହାକାଳପଡା କର୍ମୀ ନବୀନଙ୍କୁ ଫେରାଦ ହେଲେ

ଅନ୍ୟପଟରେ ଗତକାଲି ମହାକାଳପଡ଼ା ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଲିଖିତ ଭାବେ ଜଣାଇଥିଲେ, ରାଜ୍ୟ ସଭାପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ କରାଯାଇଥିଲା । ମାତ୍ର ନିର୍ବାଚନ ପରଠାରୁ ସେ ନିର୍ବାଚନମଣ୍ଡଳୀର ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେବେ ବି ଆଲୋଚନା କରିନାହାନ୍ତି । ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ମଧ୍ୟ ପଚାରୁନାହାନ୍ତି । ଦୁଇ ବର୍ଷ ତଳେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ନିଜେ ରାଜ୍ୟ ସଭାପତି ନିର୍ଦେଶ ଦେଇଥିଲେ ଯେ ସଂସଦୀୟ କ୍ଷେତ୍ର ଉନ୍ନୟନ ପାଣ୍ଠିର ସୁଷମ ବଣ୍ଟାନ କରାଯାଉ । ଏ ସଂପର୍କରେ ସେତେବେଳେ ଖବରକାଗଜରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ଏହା ସତ୍ତ୍ୱେ ସାଂସଦ ତାଙ୍କର ଦରମାପ୍ରାପ୍ତ କିଛି କର୍ମଚାରୀଙ୍କ ଦ୍ୱାରା ଅନାବଶ୍ୟକ ସ୍ଥାନରେ ସାଂସଦ ପାଣ୍ଠିର ଦୁରୁପଯୋଗ କରିଛନ୍ତି । ଏପରିକି ଏଥିରେ ଥିବା ନିୟମାବଳୀକୁ ଜଳାଞ୍ଜଳି ଦିଆଯାଇଛି । ବିଜେଡି କର୍ମୀ ଆହୁରି ଅଭିଯୋଗ କରିଛନ୍ତି, ଗତବର୍ଷ ମହାକାଳପଡ଼ାରେ ଅନୁଷ୍ଠିତ ଏକ ଜନସଭାରେ କିଛି ନିର୍ଦିଷ୍ଟ ଅପରାଧୀଙ୍କୁ ଧରି ସାଂସଦ ପହଞ୍ଚିଥିଲେ । ଏଥିଯୋଗୁଁ ସେ ସ୍ଥାନୀୟ ଜନତାଙ୍କ ରୋଷର ଶିକାର ହୋଇଥିଲେ। ଦଳର ହିତ ହେବା ଭଳି ସେ କାର୍ଯ୍ୟ କରୁନାହାନ୍ତି । ବରଂ ସ୍ଥାନୀୟ ଅଞ୍ଚଳର ଯେଉଁ ସ୍ଥାନକୁ ଗସ୍ତ କରୁଛନ୍ତି, ସାଙ୍ଗରେ ନିର୍ଦିଷ୍ଟ କିଛି ବିଜେପି ନେତାଙ୍କୁ ନେଇ ଯାଉଛନ୍ତି ଓ ବିରୋଧୀ ଦଳ କର୍ମୀ ଏବଂ ନେତାଙ୍କ ସହିତ ବସୁଛନ୍ତି । ଦୁଇଦିନ ତଳେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ସମେତ କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସେତେବେଳେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା ।

ଉଲ୍ଲେଖଥାଉକି, ନିଶ୍ଚିନ୍ତକୋଇଲି ବ୍ଲକରେ ପାନୀୟଜଳ ପ୍ରକଳ୍ପ ଉଦଘାଟନ ପ୍ରସଙ୍ଗକୁ ନେଇ ବିଜେଡି ବିବାଦ ପଦାକୁ ଆସିଥିଲା । ଶ୍ରୀ ପଣ୍ଡା ଏହି ଘଟଣାରେ ଖୋଲାଖୋଲି ତୃତୀୟ ମହଲାକୁ ଆଙ୍ଗୁଠି ଉଠାଇବା ପରେ ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଛି । ସାଂସଦ ଶୃଙ୍ଖଳାର ସବୁ ସୀମା ସରହଦ ଡେଇଁ ସାରିଲେଣି ବୋଲି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ ପୂର୍ବରୁ କହିଥିଲେ । ଏହା ସତ୍ତ୍ୱେ ସେ ଥମିନଯାଇ କେତେବେଳେ ନିଜର ରାଜନୈତିକ ସଚିବଙ୍କ ମାଧ୍ୟମରେ ପ୍ରତିକ୍ରିୟା ରଖୁଥିଲେ ତ ଆଉ କେତେବେଳେ ଟ୍ଵିଟ୍ କରି ଦଳୀୟ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ସାଂସଦଙ୍କୁ ସମର୍ଥନ କରି ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ପୂର୍ବତନ ସାଂସଦ ବୈଷ୍ଣବ ପରିଡା ମଧ୍ୟ ତୃତୀୟ ମହଲାଙ୍କୁ ଆଙ୍ଗୁଳି ଉଠାଇଥିଲେ । ହେଲେ ସୋମବାର ଦିନ ଉଭୟ ନବୀନଙ୍କୁ ଭେଟିବା ପରେ ଏହି ପ୍ରସଙ୍ଗ ନୂଆ ମୋଡ଼ ନେଇଥିଲା।