ମତେ ଗଣ୍ଡେ ଖାଇବାକୁ ଦିଅ, ଭୋକରେ ରହିବି ଆଉ କେତେ ଦିନ? ସରକାର ମତେ ଟିକେ ସାହାଯ୍ୟ କର ବୋଲି ଆକୁଳ ନିବେଦନ କରୁଛନ୍ତି ନିରାଶ୍ରୟୀ ଉଷା ମାଝୀ

722

କନକ ବ୍ୟୁରୋ : ମୁଁ ଅଭାଗିନୀ, ଗରିବ ନିରାଶ୍ରୟୀ ମଣିଷ ଟିଏ । ଏତେ ବଡ଼ ଦୁନିଆରେ ମୋର ନିଜର ବୋଲି କେହି ନାହିଁ । ନାଁ ମୋତେ ଭତ୍ତା ମିଳୁଛି, ନା କୌଣସି ସରକାରୀ ସହାୟତା । ମୋର ଗୋଡ଼ ଅଛି ସତ କିନ୍ତୁ ଚାଲିବାର ବଳ ନାହିଁ । ଜନ୍ମର ମୁଁ ଦିବ୍ୟାଙ୍ଗ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ପର ଦୁଆରେ ଦିନ କାଟୁଛି । କିଏ ଦୟାରେ କିଛି ଦେଲେ, ପେଟକୁ ଦାନା ଯାଉଛି, ନହେଲେ ଖାଡ଼ା ଉପବାସ । ହାତ ଯୋଡ଼ି ବିନତୀ କରୁଛି, ମୋତେ ଖାଇବାକୁ ଦାନା ମୁଠେ ଦିଅ । ମୋତେ ଟିକିଏ ସାହାଯ୍ୟ କର ସରକାର । କୋହଭରା କଣ୍ଠରେ ଏପରି ନିବେଦନ କରିଛନ୍ତି ୪୦ବର୍ଷୀୟ ଏହି ଦିବ୍ୟାଙ୍ଗ ମହିଳା ।

ବୌଦ୍ଧ ଜିଲ୍ଲା ସଦର ବ୍ଳକ ଆମ୍ଭଝିିରୀ ଗ୍ରାମର ଉଷା ମାଝୀ । ବୟସ ମାତ୍ର ୪୦ । ଜନ୍ମରୁ ସେ ଦିବ୍ୟାଙ୍ଗ । ନିଜର ୨ ହାତ ସାହାଯ୍ୟରେ ଚାଲୁଛନ୍ତି । ଘର ପରିବାର ବୋଲି କିଛି ନାହିଁ । ଭାରି ହୀନସ୍ତା ହେଉଛନ୍ତି ଉଷା । ବାପା ମାଁ ଥିବାବେଳେ ପେଟକୁ ମୁଠାଏ ଖାଦ୍ୟ ଆଉ ପିନ୍ଧିବାକୁ ଖଣ୍ଡେ କନା ମିଳୁଥିଲା । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ବାପା ମା ଝିଅକୁ ବାହା କରାଇପାରିଲେ ନାହିଁ । ହେଲେ ସେମାନେ ଆରପାରିକୁ ଚାଲିଯିବା ପରେ ଏବେ ଉଷା ପେଟ ଚାଖଣ୍ଡକ ପାଇ ଜାରି ରଖିଛନ୍ତିି ସଂଘର୍ଷ ।

ନିଜେ ଛିଡା ବି ହୋଇପାରୁନାହାନ୍ତି , ଆଉ ଏହି ସମୟରେ ସେ କାମ କରିବେ ବା କିପରି? କିନ୍ତୁ ପେଟ ତ ଭୋକର ଅକ୍ଷମତା ବୁଝିବନି । ସେଥିପାଇଁ ବାଧ୍ୟ ହୋଇ ଗୁରୁଣ୍ଡି ଘୋଷାଡ଼ି କାହା ଘର ଝାଡ଼ୁ ମାରିଦେଉଛନ୍ତି ତ ଆଉ କେତେବେଳେ କାହା ଘର ଲିପା ପୋଛା କରିଦେଉଛନ୍ତି । ତା’ ବଦଳରେ ମିଳୁଛି ମୁଠାଏ ଭାତ । କିଛି ନିମିଳିଲେ ଖାଡ଼ା ଉପାସ କଟୁଛି ଦିନ । ଏଭଳି ଏକ ଅସହାୟ ଏବଂ ସର୍ବହରା ହୋଇପଡିଥିବା ଉଷାଙ୍କ ଉପରେ ଆଜିଯାଏ ଦୃଷ୍ଟି ପଡ଼ିଲାନି ପ୍ରଶାସନର । ନାଁ ଭତ୍ତା ପାଉଛନ୍ତି ନା ଚାଉଳ ନା ଆବାସ ଗୃହ ।

ଗରିବ ଗୁରୁବାଙ୍କ ପାଇଁ ରାଜ୍ୟ ସରାକରଙ୍କ ମାଳ ମାଳ ଯୋଜନା ଓ କୁଢ଼ କୁଢ଼ ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ଏଠାରେ ପ୍ରକୃତ ହିତାଧିକାରୀ ପରଦୁଆରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ । ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ମାଧ୍ୟମରେ ସରପଞ୍ଚଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ବି ଏଯାଏଁ କୌଣସି ସହାୟତା ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ନିରାଶ୍ରୟୀ ଉଷା ।  ତେବେ ଘଟଣା ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇବା ପରେ ତାଙ୍କୁ ତୁରନ୍ତ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।