ଭାରତକୁ ଚେତାବନୀ ଦେଲା ଆମେରିକା ! ଭେନେଜୁଏଲା ଠାରୁ ତେଲ ନକିଣିବାକୁ ପରାମର୍ଶ

135

କନକ ବ୍ୟୁରୋ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ‌ଭେନେଜୁଏଲାରୁ ତେଲ ନକିଣିବାକୁ ଆମେରିକା ପକ୍ଷରୁ ଭାରତ ସମେତ ବିଭିନ୍ନ ଦେଶକୁ ଚେତାବନୀ ଦିଆଯାଇଛି । ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍‌ଟନ୍‌ ଟ୍ବିଟ୍‌ କରି ଜଣାଇଛନ୍ତି ଯେ, ଯେଉଁ ଦେଶ କିମ୍ବା ବ୍ୟକ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଚୋରିକୁ ସମର୍ଥନ କରିବେ, ଆମେରିକା ସେମାନଙ୍କୁ ଭୁଲିବ ନାହିଁ । ସେ କହି‌ଲେ, ଭେନେଜୁଏଲାର ଲୋକଙ୍କ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ସବୁ ପ୍ରକାର କଳକୌଶଳ ବ୍ୟବହାର କରିବ । ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ କରନ୍ତୁ ବୋଲି ସେ କହିଛନ୍ତି ।

ଗତକାଲି ଭାରତର ଗ୍ରେଟର୍‌ ନୋଏଡା ଠାରେ ଭେନେଜୁଏଲାର ତୈଳ ମନ୍ତ୍ରୀ ମାନୁଏଲ୍‌ କୁଏଭେଡୋ କହିଥିଲେ ଯେ, ଭାରତକୁ ଆମେ ଅଧିକ ତେଲ ବିକ୍ରି କରିବାକୁ ଚାହୁଁଛି । ଏହି ଖବର ପ୍ରଚାରିତ ହେବାର ଗୋଟିଏ ଦିନ ପରେ ଆମେରିକା ପକ୍ଷରୁ ଏଭଳି ଧମକ ଦିଆଯାଇଛି । ମାନୁଏଲ୍ କହିଥିଲେ ଯେ, ଭାରତ ସହିତ ଆମର ବହୁତ ଭଲ ସମ୍ପର୍କ ଅଛି ଏବଂ ଆମେ ଏହାକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ । ଭାରତ ସହ ଆମେ ଆମର କାରବାର ସୁଦୃଢ଼ କରିବାକୁ ଚାହୁଁଛୁ । ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଆମେରିକା ପକ୍ଷରୁ ସେହି ଦେଶ ଉପରେ କଟକଣା ଜାରି କରାଯାଇଛି ।

ଆମେରିକା ଚାହୁଁଛି ମାଦୁରୋ ଶୀଘ୍ର ଇସ୍ତଫା ଦିଅନ୍ତୁ । ଭେନେଜୁଏଲାରୁ ଆମେରିକା ତେଲ କିଣିବା ବନ୍ଦ କରିଦେବା ପରେ ଏହା ଏବେ ଭାରତ ଓ ଚୀନ୍‌କୁ ଅଧିକ ତେଲ ବିକ୍ରି କରି ନିଜ ଅର୍ଥନୀତିକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛି । ଭାରତ ଏହାର ତୃତୀୟ ସର୍ବାଧିକ ତେଲ ‌ଭେନେଜୁଏଲାରୁ କିଣୁଛି। ଭେନେଜୁଏଲାର ଅର୍ଥନୀତି ତେଲ ଉପରେ ନିର୍ଭରଶୀଳ। ଆମେରିକା ପକ୍ଷରୁ କଟକଣା ଲଗାଯିବା ପରେ ଏହି ଦେଶ ୨୦ ବିଲିଅନ୍‌ ଡଲାର କ୍ଷତି ସହିଛି ।

ଉଲ୍ଲେଖଯୋଗ୍ୟ, ୨୦୧୪ ପରଠାରୁ ଭେନେଜୁଏଲା ଅର୍ଥନୀତିରେ ଘୋର ମାନ୍ଦାବସ୍ଥା ଦେଖାଦେଇଥିଲା । ସେଠାକାର ୧୦% ଲୋକ ଦେଶ ଛାଡ଼ି ପଳାଇଲେଣି । ସେଠାକାର ମାଦୁରୋ ସରକାରଙ୍କୁ ଆମେରିକା ଘୋର ବିରୋଧ କରୁଛି । ମାଦୁରୋଙ୍କ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଦରକାର ପଡ଼ିଲେ ମିଲିଟାରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେରିକା ଧମକ ଦେଇଛି ।