ଆମେରିକାରୁ ଫେରିଲେ ମା’ର କଙ୍କାଳ ଦେଖିଲେ ! ଏକ ହୃଦୟବିଦାରକ କାହାଣୀ

59

ଉଜ୍ଜଳ ଭବିଷ୍ୟତ ପାଇଁ ବାପାମା’ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେଇଥାନ୍ତି । କିନ୍ତୁ ଏହି ଉଚ୍ଚଶିକ୍ଷା ଲାଭ କରି ପିଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ତ ଉଚ୍ଚ ହୋଇଯାଏ ସତ ହେଲେ ସେମାନେ ଶିକ୍ଷିତ ହୋଇପାରନ୍ତି ନାହିଁ । ଯେଉଁ ଜନ୍ମକଲା ବାପାମା’ଙ୍କ ପାଇଁ ଉପରକୁ ଯାଇଥାନ୍ତି ସେହିମାନଙ୍କୁ ହିଁ ଭୁଲି ଯାଇଥାନ୍ତି ଏହି ଉଚ୍ଚଶିକ୍ଷିତ ପିଲାମାନେ । ଟଙ୍କା ମୋହରେ ବିଦେଶ ଯାଇ ଭୁଲି ଯାଆନ୍ତି ଯେ ନିଜ ଦେଶରେ କେହି ଜଣେ ନିଜ ଲୋକ ଅଛି ବୋଲି । ହେଲେ ଯେତେବେଳେ ମନେ ପଡିଥାଏ ସେତେବେଳକୁ ନେଡି ଗୁଡ କହୁଣୀକୁ ବୋହି ସାରିଥାଏ ।

ଏହି ଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମୁମ୍ବାଇରେ । ଆଉ ସେହି ଉଚ୍ଚଶିକ୍ଷିତ ଯୁବକ ହେଉଛନ୍ତି ଋତୁରାଜ୍ ସାହାଣୀ । ଦୀର୍ଘ ଦିନ ହେବ ମାଆ ସହିତ ଫୋନରେ କଥା ନ ହୋଇ ଯେତେବେଳେ ସେ ମାଆ ରହୁଥିବା ଘରେ ଆସି ପହଞ୍ଚିଲେ ସେତେବେଳେ ବନ୍ଦ ଘର ଭିତରେ କେବଳ ଥିଲା ମାଆଙ୍କ କଙ୍କାଳ ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଅନ୍ଧେରିର ଐଶ୍ୱିଓ୍ଵାରା ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିଲେ ୬୩ ବର୍ଷୀୟା ବିଧବା ଆଶା ସାହାଣୀ । ତାଙ୍କ ସ୍ୱାମୀ କେଦାରନାଥ ସାହାଣୀଙ୍କର ୨୦୧୩ରେ ପରଲୋକ ଘଟିଥିବା ବେଳେ ଏକମାତ୍ର ପୁଅ ଋତୁରାଜ୍ ଜଣେ ଆଇଆଇଟି ଇଞ୍ଜିନିୟର ଓ ସେ ଆମେରିକାରେ ଚାକିରି କରି ସେଠାରେ ଅବସ୍ଥାପିତ । ତେବେ ରବିବାର ଋତୁରାଜ୍ ହଠାତ ଆସି ମାଆ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚିଥିଲେ ।

ତେବେ ଋତୁରାଜ୍ ଜେତେ କଲିଂ ବେଲ ବଜାଇଲେ ମଧ୍ୟ କବାଟ ଖୋଲି ନ ଥିଲା । ଶେଷରେ ସେ ଜଣେ ଚାବି ନିର୍ମାତାଙ୍କୁ ଡାକି କବାଟ କଣା କରି ଲକ୍ ଖୋଲିଥିଲେ । କବାଟ ଖୋଲି ଭିତରକୁ ଯାଇ ଋତୁରାଜ୍ ଯାହା ଦେଖିଥିଲେ ସେଥିରେ ସ୍ତବ୍ଧ ହୋଇଯାଇଥିଲେ । ଘର ଭିତରେ ପଡିଥିଲା ମାଆଙ୍କ କଙ୍କାଳ । ସେ ନିଜ ପୋଷାକ ପିନ୍ଧା ଅବସ୍ଥାରେ ହିଁ ମୃତ୍ୟୁ ବରଣ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୦୧୬ ଏପ୍ରିଲରେ ଋତୁରାଜ୍ ଓ ତାଙ୍କ ମଆ ଆଶାଙ୍କ ମଧ୍ୟରେ ଶେଷ କଥାବାର୍ତ୍ତା ହୋଇଥିଲା । ସେଠାରେ ଆଶା ଏକୁଟିଆ ଅବସାଦରେ ରହୁଥିବାରୁ ସେ କୌଣସି ଓଲଡଏଜ୍ ହୋମକୁ ଯିବା ପାଇଁ ଚାହୁଥିଲେ ବୋଲି ଋତୁରାଜଙ୍କୁ କହିଥିଲେ । ମାତ୍ର ଋତୁରାଜ୍ ଏହାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କେବେ ଆଶଙ୍କର ମୃତ୍ୟୁ ଘଟିଛି ଓ କିପରି ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ କଙ୍କାଳ ଜବତ କରି ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇଛି।