ପୁଣିଥରେ ଭାରତକୁ ସତର୍କ କଲା ଆମେରିକା : ରୁଷ୍‌ ଠାରୁ ନୂଆ ଅସ୍ତ୍ରଶସ୍ତ୍ର କିଣିଲେ ମିଳିବ ନାହିଁ ସ୍ୱତନ୍ତ୍ର ରିହାତି

18

କନକ ବ୍ୟୁରୋ : ରୁଷ୍‌ରୁ ଅସ୍ତ୍ରଶସ୍ତ୍ର କିଣିବା ପ୍ରସଙ୍ଗରେ ଆମେରିକା ପୁଣିଥରେ ଭାରତକୁ ସତର୍କ କରାଇଛି । ରୁଷ୍‌ରୁ ନୂଆ ଅସ୍ତ୍ରଶସ୍ତ୍ର କିଣିଲେ ଆମେରିକା ପକ୍ଷରୁ ସ୍ୱତନ୍ତ୍ର ରିହାତି ମିଳିବ ନାହିଁ । ଏ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ । ଉଲ୍ଲେଖଯୋଗ୍ୟ, ରୁଷ୍‌ରୁ ପ୍ରତିରକ୍ଷା ଅସ୍ତ୍ର କିଣୁଥିବା କିଛି ରାଷ୍ଟ୍ରଗୁଡ଼ିକ ନିମନ୍ତେ ଆମେରିକା ପକ୍ଷରୁ କେତେକ କଟକଣା ଲାଗୁ କରାଯାଇଥିଲା। ଏଥିରେ କିଛି ରାଷ୍ଟ୍ରଙ୍କୁ ଛାଡ଼ କରାଯାଇଥିଲା । ଭାରତକୁ ମଧ୍ୟ ଏହି ରିହାତି ବ୍ୟବସ୍ଥାରେ ସାମିଲ ପାଇଁ ଆମେରିକା ଏହାର ନିୟମରେ ସଂଶୋଧନ ଆଣିଥିଲା । କିନ୍ତୁ ଏବେ ଆମେରିକାର ପେଣ୍ଟାଗନ୍‌ ଅଧିକାରୀ ଭିନ୍ନ କଥା କହିଛନ୍ତି । ରୁଷ୍‌ରୁ ଭାରତ ନୂଆ ଅସ୍ତ୍ର କିଣିଲେ ରିହାତିର ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି ।

ଭାରତ ଏବେ ରୁଷ୍‌ରୁ ଏସ୍‌-୪୦୦ ‘ସର୍‌ଫେସ୍‌ ଟୁ ଏୟାର’ ମିସାଇଲ୍‌ କିଣିବାକୁ ଯାଉଥିବା ବେଳେ ଆମେରିକାର ଏଭଳି ତାଗିଦ୍‌କୁ ନେଇ ଆଶଙ୍କା ଦେଖାଦେଇଛି । ରୁଷ୍‌ ସହିତ ପ୍ରତିରକ୍ଷା ଓ ଗୁଇନ୍ଦା କ୍ଷେତ୍ରରେ ନୂଆ ରାଜିନାମା କଲେ ଭାରତ ଉପରେ କଟକଣା ଲାଗୁ ହେବ ବୋଲି କୁହାଯାଇଛି । ପେଣ୍ଟାଗନ୍‌ର ସହକାରୀ ପ୍ରତିରକ୍ଷା ସଚିବ (ଏସିଆ, ପ୍ରଶାନ୍ତ ମହାସାଗର ନିରାପତ୍ତା ବ୍ୟାପାର) ର‍୍ୟାଣ୍ଡାଲ୍‌ ସ୍କ୍ରାଇବର କହିଛନ୍ତି, ଭାରତକୁ ରିହାତି ଦେବା ପାଇଁ ନିୟମରେ ସଂଶୋଧନ ଅଣାଯାଇଛି ସତ । କିନ୍ତୁ ରୁଷ୍‌ରୁ ଏହା ମନଇଚ୍ଛା ଅସ୍ତ୍ରଶସ୍ତ୍ର କିଣିବା ଉପରେ ରୋକ୍‌ ଲଗାଯାଇଛି । ଉଲ୍ଲେଖଯୋଗ୍ୟ, ଆସନ୍ତା ସପ୍ତାହରେ ଭାରତ ଓ ଆମେରିକା ମଧ୍ୟରେ ‘୨+୨’ କଥାବାର୍ତ୍ତା ହେବ । ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହେବ ।