ଏଫ୍-୧୬ ଲଢୁଆ ବିମାନର ଅପବ୍ୟବହାର କରୁଛି ପାକିସ୍ତାନ । ଅସନ୍ତୋଷ ଜଣାଇଲା ଆମେରିକା ।

324

କନକ ବ୍ୟୁରୋ : ପାକିସ୍ତାନ ଏଫ୍-୧୬ ଲଢୁଆ ବିମାନର ଅପବ୍ୟବହାର କରୁଛି ବୋଲି ଖୋଦ ଆମେରିକା ସ୍ୱୀକାର କରିଛି । ଗତ ଫେବ୍ରୁଆରୀ ୨୭ରେ ପାକିସ୍ତାନ ବାୟୁସେନା ଭାରତ ଉପରେ ଆକ୍ରମଣ କରିବାକୁ ଏଫ୍-୧୬ ବିମାନ ବ୍ୟବହାର କରିଥିଲା । ଏହା ସବୁ ସର୍ତ୍ତାବଳୀର ଉଲ୍ଲଙ୍ଘନ ବୋଲି କହି ଆମେରିକା ସରକାର ଗତ ଅଗଷ୍ଟ ମାସରେ ପାକିସ୍ତାନକୁ ଏକ ପତ୍ର ଲେଖି ଅସନ୍ତୋଷ ଜାହିର କରିଥିଲେ ।

ଆମେରିକାର ଅସ୍ତ୍ର ନିୟନ୍ତ୍ରଣ ଓ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗର ତତ୍‌କାଳୀନ ଉପସଚିବ ଆଣ୍ଡ୍ରେ ଥମ୍ପସନ ପାକିସ୍ତାନର ବାୟୁସେନା ମୁଖ୍ୟ ମୁଜାହିଦ ଅନଓ୍ଵର ଖାଁଙ୍କୁ ଏହି ପତ୍ର ଲେଖିଥିଲେ । ଏହି ପତ୍ରରେ କୁହାଯାଇଥିଲା ଯେ ଆମେରିକା ସହିତ ହୋଇଥିବା ଚୁକ୍ତିର ଉଲ୍ଲଙ୍ଘନ କରି ପାକିସ୍ତାନ ବାୟୁସେନା ଏଫ-୧୬ ଓ ସେଥିରେ ଲାଗିଥିବା ଆମେରିକୀୟ ଅସ୍ତ୍ରଶସ୍ତ୍ରକୁ କେତେକ ନିଷିଦ୍ଧ ଅଞ୍ଚଳ(କଶ୍ମୀର)କୁ ସାମରିକ ଉଦ୍ଦେଶ୍ୟରେ ନେଇଥିଲା । ପାକିସ୍ତାନର ଏହି କାର୍ଯ୍ୟ ଆଞ୍ଚଳିକ ସୁରକ୍ଷାକୁ ବିପନ୍ନ କରିଛି ।

ପାକିସ୍ତାନ ଓ ଆମେରିକା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ କେବଳ ଆତଙ୍କବାଦ ନିରୋଧୀ ଅଭିଯାନରେ ଏଫ-୧୬କୁ ପାକ ବାୟୁସେନା ବ୍ୟବହାର କରିପାରିବ । ଅନ୍ୟ କୌଣସି ଦେଶକୁ ଆକ୍ରମଣ କରିବାକୁ ଏଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ ।

ଗତ ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ତା’ପରଦିନ ଅର୍ଥାତ ଫେବ୍ରୁଆରୀ ୨୭ରେ ପାକିସ୍ତାନ ବାୟୁସେନା ଏଫ୍-୧୬ ବିମାନ ସମେତ ଆଉ କେତେକ ବିମାନ ଭାରତୀୟ ବାୟୁସେନାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସତର୍କ ଭାରତୀୟ ବାୟୁସେନା ସେଗୁଡ଼ିକର ମୁହାଁମୁହିଁ ସାମନା କରି ଘଉଡ଼େଇଦେଇଥିଲା । ଏହି ଘଟଣାରେ ପାକିସ୍ତାନ ଏକ ଏଫ୍‌-୧୬ ବିମାନ ହରାଇଥିଲା ବୋଲି ଭାରତ ସେତେବେଳେ ଦାବି କରିଥିଲା ଓ ତାହାର ପ୍ରମାଣ ମଧ୍ୟ ଦେଇଥିଲା । କିନ୍ତୁ ପାକିସ୍ତାନ ତାହାକୁ ମାନିନଥିଲା । ଏବେ ଆମେରିକାର ଗୋପନ ପତ୍ର ପରେ ଭାରତର ଦାବି ସତ ପ୍ରମାଣିତ ହୋଇଛି ।