ସିଙ୍ଗାପୁରରେ ହାତ ମିଳାଇଲେ ଟ୍ରମ୍ପ ଓ କିମ ଜଙ୍ଗ: ସରିଲା ଦ୍ୱିତୀୟ ପର୍ଯ୍ୟାୟ ବୈଠକ, ଟ୍ରମ୍ପ କହିଲେ,ଆଶାଠୁ ଅଧିକ ସଫଳ ହେଲା ଆଲୋଚନା

20

କନକ ବ୍ୟୁରୋ: ବିଶ୍ୱର ୨ ଜଣ ପ୍ରମୂଖ ନେତା ତଥା ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଉତର କୋରିଆ ରାଷ୍ଟ୍ରପତି ଶାସକ କିମ ଜଙ୍ଗ ଉନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷାତ ଶେଷ ହୋଇଛି । ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ବୈଠକ ଆଶାଠୁ ଅଧିକ ସଫଳ ହୋଇଥିବା ଆଲୋଚନା ପରେ ଟ୍ରମ୍ପ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ୫୦ ମିନିଟ ଧରି ଆଲୋଚନା ହୋଇଥିଲା । ସିଙ୍ଗାପୁରର ସେଂଟୋସା ଦ୍ୱୀପରେ ଟ୍ରମ୍ପ ଓ କିମ ଜଙ୍ଗଙ୍କ ମଧ୍ୟରେ ଭେଟ ହେବା ପରେ ଉଭୟ ଦେଶର ନେତା ହାତ ମିଳାଇଛନ୍ତି ।

ଉଭୟ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଭେଟକୁ ଐତିହାସିକ କୁହାଯାଉଛି, କାରଣ ଆମେରିକାର କୌଣସି ରାଷ୍ଟ୍ରପତି ଉତରକୋରିଆର ନେତାଙ୍କୁ ଭେଟିବା ଏହା ହେଉଛି ପ୍ରଥମ ଘଟଣା ।ଅନ୍ୟପକ୍ଷରେ କ୍ଷମତାର ୭ ବର୍ଷ ପରେ କିମ ଜଙ୍ଗ ପ୍ରଥମ ଥର ପାଇଁ ଏତେ ବଡ ବିଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ଡୋନାଲଡ ଟ୍ରମ୍ପ କହିଛନ୍ତି,ମୋର ବିଶ୍ୱାସ ଯେ,ଆମର ସଂପର୍କ ଶକ୍ତିଶାଳୀ ହେବ । ପୁରୁଣା ମତଭେଦ ଭୁଲି ଆମେ ଆଗକୁ ଅଗ୍ରସର ହେଉଥିବା ସେ କହିଛନ୍ତି ।ସେହିଭଳି କିମ ଜଙ୍ଗ କହିଛନ୍ତିି ସମସ୍ତ ବାଧାବିଘ୍ନକୁ ଭୁଲି ଆମର ସାକ୍ଷାତକାର ହୋଇଛି ଏପର୍ଯ୍ୟନ୍ତ ପହଚିଂବା ସହଜ ନଥିଲା ।

ଏଠାରେ ବଡ ପ୍ରଶ୍ନ ଉଠୁଛି, ବିଶ୍ୱର ଏହି ଦୁଇ ପ୍ରମୁଖ ନେତାଙ୍କ ସାକ୍ଷାତ ପରେ କଣ ଦୁଇଦେଶର ସମ୍ପର୍କ ସାମାନ୍ୟ ହୋଇପାରିବ । ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କଣ ଟଳିବ । ପରମାଣୁ ନିରସ୍ତ୍ରୀକରଣ ପାଇଁ ଉତର କୋରିଆ ରାଷ୍ଟ୍ରପତି କଣ ରାଜି ହେବେ । ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି କହିସାରିଛନ୍ତି ବୈଠକ ସକାରତ୍ମକ ଥିଲା । ଉତର କୋରିଆ ରାଷ୍ଟ୍ରପତି ବି କହିଛନ୍ତି, ଏହି ସାକ୍ଷାତ ଏତେ ସହଜ ନଥିଲା । କୁହାଯାଉଛି, ଏହି ଦୁଇ ବିଶ୍ୱନେତାଙ୍କ ସାକ୍ଷାତ ପାଇଁ ଖର୍ଚ ହୋଇଛି ପ୍ରାୟ ଶହେ କୋଟି ଟଙ୍କା ।