ଋଷିଆ ବିରୋଧରେ ରାସାୟନିକ ଅସ୍ତ୍ର ପ୍ରୟୋଗ ଅଭିଯୋଗ ଆଣିଲା ଆମେରିକା : ଋଷ କହିଲା ପରୀ କଥାର କାହାଣୀ
କନକ ବ୍ୟୁରୋ : ରୁଷ ଆମେରିକା ଉପରେ ରାସାୟନିକ ଅସ୍ତ୍ରରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛି ଏବଂ ବିଶ୍ୱର ଯେକୌଣସି ରାଷ୍ଟ୍ରରେ ଏଭଳି ଆକ୍ରମଣ କରିବା ପାଇଁ ରୁଷର ସାମର୍ଥ୍ୟ ରହିଥିବାରୁ ଏହା ବିପଜ୍ଜନନ ସ୍ଥିତି ସୃଷ୍ଟି କରିବ ବୋଲି ଆଜି ଆମେରିକା ଜାତିସଂଘରେ କହିଛି। ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ନିକି ହାଲି କହିଛନ୍ତି ଯେ ବ୍ରିଟେନରେ ପୂର୍ବ ଗୁପ୍ତଚର ସର୍ଗଇ ସ୍କ୍ରିପାଲ ଏବଂ ତାଙ୍କ ଝିଅ ଜୁଲିଆଙ୍କ ଉପରେ ନର୍ଭ ଗ୍ୟାସ ଆକ୍ରମଣ ପଛରେ ରୁଷର ହାତଥିବା ସ୍ପଷ୍ଟ ହୋଇଯାଇଛି ଏବଂ ଏହା ସାରା ବିଶ୍ୱପାଇଁ ଚିନ୍ତାର ବିଷୟ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରୁଷ ଗୁଇନ୍ଦା ସଂସ୍ଥା ଦ୍ୱାରା ଏଭଳି ଆକ୍ରମଣର ପ୍ରତିବାଦରେ ବ୍ରିଟେନ ଗତକାଲି ୨୩ ଜଣ ରୁଷ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି । ସିରିୟାରେ ମଧ୍ୟ ସାଧାରଣ ଜନତାଙ୍କ ଉପରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରି ରୁଷ ପୂର୍ବରୁ ବିଭୀଷିକା ସୃଷ୍ଟି କରିଥିବାରୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ହାଲି କହିଛନ୍ତି।
ବିଭିନ୍ନ ଅନ୍ତର୍ଜାତୀୟ ବିବାଦକୁ ରୁଷ ଅତି ଜଟିଳ କରୁଛି ଏବଂ ନିଜର ଘାତ ଶକ୍ତି ବଳରେ ଅନ୍ୟ ରାଷ୍ଟ୍ରର ପ୍ରଭାବକୁ ଗୌଣ କରିବାକୁ ଉଦ୍ୟମ କରୁଛି ବୋଲି ଆମେରିକା ଅଭିଯୋଗ କରିଛି। ରୁଷ ବିରୋଧରେ ଜାତିସଂଘରେ ଆମେରିକାର ଜୋରଦାର ଅଭିଯାନକୁ ବ୍ରିଟେନ ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ରଙ୍କ ସମର୍ଥନ ପରେ ଅନ୍ତର୍ଜାତୀୟ କୂଟନୀତି ସରଗରମ ହୋଇଉଠିଛି। ରୁଷ-ଆମେରିକା ସଂପର୍କ ଦିନକୁ ଦିନ ତିକ୍ତ ହେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ରୁଷ ବିରୋଧରେ ବୟାନବାଜି ଜାରି ରଖିଛନ୍ତି।
ଅନ୍ୟପକ୍ଷରେ ରୁଷ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହା ‘ପରୀ କଥା’ର କାହାଣୀ ଭଳି ବୋଲି କହିଛି। ସ୍କ୍ରିପାଲଙ୍କ ଉପରେ ହୋଇଥିବା ନର୍ଭ ଗ୍ୟାସ ଆକ୍ରମଣ ପଛରେ ଆମର କୌଣସି ଭୂମିକା ନାହଁ ବୋଲି ରୁଷ ରାଷ୍ଟ୍ରଦୂତ ଜାତିସଂଘରେ କହିଛନ୍ତି। ସିରିୟାରେ ରାସାୟନିକ ଅସ୍ତ୍ର ପ୍ରୟୋଗକୁ ମଧ୍ୟ ରୁଷ ଖଣ୍ଡନ କରିଛି। ତେବେ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ଜାତିସଂଘରେ ପ୍ରବଳ ଚାପ ସୃଷ୍ଟି କରିଥିବାରୁ ଏହାର ମୁକାବିଲା ପାଇଁ ମଧ୍ୟ ରୁଷ ପ୍ରସ୍ତୁତହେଉଛି। ନିକଟରେ ଟ୍ରମ୍ପଙ୍କ ଦ୍ୱାରା ବହିଷ୍କୃତ ହୋଇଥିବା ପୂର୍ବ ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ କହିଛନ୍ତି ଯେ ରୁଷ ଆମେରିକା ପାଇଁ ଏବେ ବଡ଼ ବିପଦ ହୋଇ ଦେଖାଦେଇଛି। ଉତ୍ତର କୋରିଆ ସଙ୍କଟଠାରୁ ଆରମ୍ଭ କରି ଆଫଗାନିସ୍ତାନରୁ ସିରିୟା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରୁଷର ଷଡ଼ଯନ୍ତ୍ର ଆମେରିକାର ଉଦ୍ୟମକୁ ଦିଗହରା କରିଦେଉଛି ବୋଲି ସେ କହିଛନ୍ତି।
ରୁଷ ସମଗ୍ର ବିଶ୍ୱରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି କରୁଛି ଏବଂ ଏହି ରାଷ୍ଟ୍ରର ଆଚରଣ ବେଳକୁ ବେଳ ଦାୟିତ୍ୱହୀନ ହୋଇଉଠୁଛି ବୋଲି ଆଜି ଜାତିସଂଘରେ ନିକି ହାଲିଙ୍କ ବୟାନ ଝଡ଼ ସୃଷ୍ଟି କରିଛି। ରୁଷର ବିଭାଜନକାରୀ ଏବଂ ବିଧ୍ୱଂସୀ ନୀତି ଯୋଗୁଁ ବିଭିନ୍ନ ରାଷ୍ଟ୍ରରେ ଅସ୍ଥିରତା ଲାଗି ରହୁଛି ବୋଲି ଆମେରିକାର ଅଭିଯୋଗକୁ ଏହାର ମିତ୍ର ରାଷ୍ଟ୍ରମାନେ ସମର୍ଥନ କରିଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏ କ୍ଷେତ୍ରରେ ଅତ୍ୟନ୍ତ ସତର୍କତାର ସହ ଗୋଟି ଚାଳନା କରୁଛନ୍ତି।