ବାଜିଲା ଯୁଦ୍ଧର ବିଗୁଲ୍ ! କୋରିଆ ଉପତ୍ୟକାରେ ଶକ୍ତି ପ୍ରଦର୍ଶନ କଲା ଆମେରିକୀୟ ସେନା

37

କନକ ବ୍ୟୁରୋ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଯୁଦ୍ଧ ପରିସ୍ଥିତି । ଉତ୍ତର କୋରିଆ ସୀମାରେ ପଇଁତରା ମାରିଲା ଆମେରିକାର ଯୁଦ୍ଧ ବିମାନ । ପ୍ରଥମ ଥର ପାଇଁ ଉତ୍ତର କୋରିଆ ସୀମାର ଅତି ନିକଟରେ ଶକ୍ତି ପ୍ରଦର୍ଶନ କରିଛି ଆମେରିକା । ଫଳରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଯୁଦ୍ଧ ସମ୍ଭାବନା ବଢିଯାଇଛି । ଉତ୍ତର କୋରିଆକୁ ଧ୍ୱଂସ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଧମକ ପରେ ଏହି ପଦକ୍ଷେପ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଆମେରିକାର ବି-ୱାନ ବି ବୋମ୍ବର୍ସ ଏବଂ ଏଫ୍-୧୫ସି ଇଗଲ ଫାଇଟର ଜେଟ୍ ଯୁଦ୍ଧର ରିହର୍ସଲ କରିଛି ।

ଟ୍ରମ୍ପ ବନାମ କିମ୍ ଜଙ୍ଗ : ମୁହାଁମୁହିଁ ଦୁଇ ରାଷ୍ଟ୍ରମୁଖ୍ୟ : 

vlcsnap-2017-09-24-19h24m38s259ମିଳିତ ଜାତିସଂଘରେ ଡୋନାଲଡ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗଙ୍କୁ , ରକେଟ୍ ମ୍ୟାନ୍ ବୋଲି କହି ସେ ନିଜ ପ୍ରତି ଏବଂ ଦେଶ ପ୍ରତି ସୁଇସାଇଡ୍ ମିଶନରେ ବାହାରିଥିବା କହିଥିଲେ । ଟ୍ରମ୍ପଙ୍କ ଏହି ଟ୍ୱିଟକୁ ଉତ୍ତର କୋରିଆ ଏକ ଅପମାନସୂଚକ ମନ୍ତବ୍ୟ ବୋଲି ଗ୍ରହଣ କରି କ୍ଷୁବ୍ଧ ହୋଇଗଲା । ଟ୍ରମ୍ପଙ୍କ ମନ୍ତବ୍ୟର ଜବାବ ଦେଇ ଉତ୍ତର କୋରିଆ କହିଲା, ଆମେରିକାର ଚେତାବନୀ କୁକୁର ଭୁକିବା ଭଳି, ଯାହାକୁ ଉତ୍ତର କୋରିଆ ଭୟ କରେନାହିଁ ।

ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏଭଳି ବୟାନବାଜି ଯେତିକି ଭୟାନକ ଲାଗୁଥିଲା ଏହାର ସମ୍ଭାବ୍ୟ ପରିଣାମ ତାଠାରୁ ଅଧିକ ସାଂଘାତିକ ମନେହେଉଥିଲା । ଆମେରିକା ରାଷ୍ଟ୍ରପତି , କିମ ଜଙ୍ଗଙ୍କୁ ରକେଟ୍ ମ୍ୟାନ କହିବା ପରେ ପୁଣି ଉତ୍ତର କୋରିଆ କହିଲା ଆମେରିକା ଉପରେ ରକେଟ୍ ମାଡ ନିଶ୍ଚୟ କରାଯିବ ।

ଇତିମଧ୍ୟରେ ଉତ୍ତର କୋରିଆ ଆଇସିବିଏମ୍ ଅର୍ଥାତ୍ ଅନ୍ତମହାଦେଶୀୟ ମିଜାଇଲ୍ ତିଆରି କରିବାରେ ସକ୍ଷମ ହୋଇଛି । ଯାହା ଆମେରିକାକୁ ସହଜରେ ପହଁଚିପାରିବ । ଏହାଛଡା ହାଇଡ୍ରୋଜେନ୍ ବୋମା ମଧ୍ୟ ପରୀକ୍ଷଣ କରି ଏଥିରେ ସଫଳତା ପାଇଛି ଉତର କୋରିଆ । ତେଣୁ ଅନ୍ତମହାଦେଶୀୟ ମିଜାଇଲ୍ ମାଧ୍ୟମରେ ଆମେରିକାକୁ ଆକ୍ରମଣ କରିବାକୁ ସାମର୍ଥ ପାଇଯାଇଛି ଉତ୍ତର କୋରିଆ । ଯେଉଁଥିପାଇଁ ଆମେରିକା ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡିଛି । ଆମେରିକାରେ ନିଶ୍ଚୟ ମିଜାଇଲ୍ ମାଡ କରାଯିବ ବୋଲି ଉତ୍ତର କୋରିଆ କହିବା ପରେ ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, ହୁଏତ ଉତ୍ତର କୋରିଆ ଆଉ ବେଶୀ ଦିନ ବିଶ୍ୱ ମାନଚିତ୍ରରେ ରହିବ ନାହିଁ । ଟ୍ରମ୍ପଙ୍କ ଏହି ଟ୍ୱିଟ୍ ଏକ ସାଂଘାତିକ ପରିଣାମ ଆଡକୁ ଯାଇପାରେ ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି ।