ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଚୀନର କୃତ୍ରିମ ଦ୍ୱୀପ ନିର୍ମାଣକୁ କଡ଼ା ଭାଷାରେ ନିନ୍ଦା କଲେ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ୍ !

26

କନକ ବ୍ୟୁରୋ : ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଚୀନର କୃତ୍ରିମ ଦ୍ୱୀପ ନିର୍ମାଣ ଓ ସାମରିକୀକରଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ । ମାନିଲାରେ ଆୟୋଜିତ ଏସୀୟ ସୁରକ୍ଷା ସମ୍ମିଳନୀରେ ଏ ନେଇ ମିଳିତ ବିବୃତି ଦିଆଯାଇଛି । ଜାତିସଂଘର ଏକ ଟ୍ରିବ୍ୟୁନାଲ ଦେଇଥିବା ନିର୍ଦ୍ଦେଶକୁ ଚୀନ୍ ମାନିବା ଉଚିତ ବୋଲି କୁହାଯାଇଛି । ଏହା ବ୍ୟତୀତ ଏସିଆନ୍ ରାଷ୍ଟ୍ର ଗୁଡ଼ିକ ଏହି ବିବାଦରେ ଏକ ସ୍ୱଚ୍ଛ ନୀତି ଉପରେ କାମ କରିବା ଉଚିତ ଯାହା ଆଇନ ଆଧାରିତ, ଅର୍ଥପୂର୍ଣ୍ଣ ଓ ଉପଯୋଗୀ ହୋଇଥିବ ।

ସେପଟେ ହେଗ୍ ଅନ୍ତର୍ଜାତୀୟ ଅଦାଲତର ଏହି ନିର୍ଦ୍ଦେଶକୁ ମାନିବାକୁ ମନା କରିଛି ଚୀନ । ଏହି ପ୍ରସଙ୍ଗ ପଡ଼ୋଶୀ ଦେଶଗୁଡ଼ିକ ସହ ଏକ ବିବାଦ ମାତ୍ର ହୋଇଥିବାରୁ ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ର ଗୁଡ଼ିକ ଏଥିରୁ ଦୂରେଇ ରହିବା ଉଚିତ ବୋଲି କହିଛି ଚୀନ । ଏହି ବିବାଦୀୟ ଦ୍ୱୀପ ଉପରେ ଚୀନ ମାଲିକାନା ଦାବି କରୁଥିବା ବେଳେ ଫିଲିପାଇନ୍ସ, ଭିଏତନାମ, ମାଲେସିଆ, ବ୍ରୁନେଇ ଓ ତାଇୱାନ୍ ଏହାର କଡ଼ା ବିରୋଧ କରିଆସୁଛନ୍ତି  ।