ଉରି ଆକ୍ରମଣକୁ ପୁରିଲା ୩ ବର୍ଷ ! ଶୋଇଥିବା ସମୟରେ ସେନା ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ, ମାତ୍ର ୧୦ ଦିନ ଭିତରେ ପ୍ରତିଶୋଧ ନେଇଥିଲା ଭାରତୀୟ ସେନା ।

298

ଆଜିର ହସୁଥିବା ଦିନଟି ୩ ବର୍ଷ ତଳେ କଳା ଦିନରେ ପରିଣତ ହୋଇଥିଲା । ୨୦୧୬ ମସିହା ସେପ୍ଟେମ୍ବର୧୮ ଜମ୍ମୁ-କାଶ୍ମୀରର ଉରି ଅଞ୍ଚଳରେ ଆତଙ୍କବାଦୀମାନେ ଭାରତୀୟ ଯବାନଙ୍କ ଉପରେ  ଆକ୍ରମଣ କରିଥିଲେ । ଭୋର୍  ୫.୩୦ ସମୟରେ ଜୈଶ୍-ଏ-ମହମ୍ମଦର ୪ ଜଣ ଆତଙ୍କୀ ଭାରତୀୟ ସେନାର ବ୍ରିଗେଡ୍ ହେଡକ୍ୱାଟର୍ସ ଉପରେ ଅଚାନକ ଆକ୍ରମଣ କରିଥିଲେ । ସେନାର ଯବାନମାନେ ଶୋଇଥିବା ଅବସ୍ଥାରେ ଆତଙ୍କବାଦୀମାନେ କାପୁରୁଷ ହୋଇ ଆକ୍ରମଣ କରିଥିଲେ । ଯେଉଁଥିରେ ୧୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଅନେକ ଯବାନ ଗୁରୁତର ହୋଇଯାଇଥିଲେ । ୩ ମିନିଟ୍ ଭିତରେ ଆତଙ୍କବାଦୀ ୧୭ ଟି ହ୍ୟାଣ୍ଡ୍ ଗ୍ରେନେଡ୍ ଫୋପାଡି ରକ୍ତର ତାଣ୍ଡବ ଖେଳାଇଥିଲେ । ଏହାପରେ ଆତଙ୍କବାଦୀମାନଙ୍କ ସହ ସେନାର ୬ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା । ଯେଉଁଥିରେ ୪ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇଥିଲା ଭାରତୀୟ ସେନା ।

ଏହି ଘଟଣା ପରେ ଭାରତୀୟ ସେନା ଯେଉଁ ପଦକ୍ଷେପ ନେଲା ତାହା ସଂପୁର୍ଣ୍ଣ ଦୁନିଆରେ ଏକ ଉଦାହରଣ ହୋଇଉଠିଲା । ଆତଙ୍କବାଦୀଙ୍କ କାପୁରୁଷତା କାର୍ଯ୍ୟକୁ ଉଚିତ୍ ଶିକ୍ଷା ଦେବା ପାଇଁ ସେନା ଯବାନ ଏହି ଆକ୍ରମଣର ୧୦ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୯ ତାରିଖରେ ପାକ୍ ର ଘରେ ପଶି ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ । ଯାହା “ସର୍ଜିକାଲ୍ ଷ୍ଟ୍ରାଇକ୍” ନାମରେ ଖୁବ୍ ପରିଚିତ । ଭାରତୀୟ ସେନାର ୧୫୦ ଜଣ ପାରା କମାଣ୍ଡୋ ପିଓକେରେ ପଶି ୬ ଆତଙ୍କୀ ଲଞ୍ଚ୍ ପ୍ୟାଡ୍ କୁ ଧ୍ୱଂସ କରିବା ସହ ୫୦ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ । ଆତଙ୍କବାଦ ବିରୁଦ୍ଧରେ ପ୍ରଥମଥର ପାଇଁ ଏତେ ବଡ଼ ପଦକ୍ଷେପକୁ କିଛି କ୍ଷଣ ମଧ୍ୟରେ ସଫଳ କରି ଦେଖାଇଥିଲେ ଭାରତୀୟ ସେନା । ପୁରା ପ୍ଲାନିଙ୍ଗ୍ ର ସହ ଭାରତୀୟ ସେନାର ଯବାନ ସେପ୍ଟେମ୍ବର ୨୮ -୨୯  ଅଧରାତିରେ ପିଓକେ ସୀମାର ୩ କି.ମି. ପର୍ଯ୍ୟନ୍ତ ପଶି ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସବିଧ୍ୱଂସ କରିଦେଇଥିଲେ ।

ଏନେଇ ବଲିଉଡ୍ ରେ ଏକ ସିନେମା ମଧ୍ୟ ନିର୍ମିତ ହୋଇଥିଲା । ଅଭିନେତା ଭିକି କୋଶଲ୍ ଏହି ସିନେମାରେ ମୁଖ୍ୟ ଭୂମିକାରେ ଆସିଥିଲେ । ଉରି ଆକ୍ରମଣ ଏବଂ ସର୍ଜିକାଲ୍ ଷ୍ଟ୍ରାଇକ୍ ର ସମ୍ପୁର୍ଣ୍ଣ ଘଟଣାକୁ ଏହି ସିନେମାରେ ନିଖୁଣ ଭାବେ ଉପସ୍ଥାପନ କରାଯାଇଥିଲା ।